Latest Odisha News

BREAKING NEWS

ନୋବେଲ ବିଜେତା ମହମ୍ମଦ ୟୁନୁସ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ନିଯୁକ୍ତ

ଢ଼ାକା: ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ମଙ୍ଗଳବାର ମହମ୍ମଦ ୟୁନୁସ୍ କହିଥିଲେ ଯେ ସେ ଅନ୍ତରୀଣ ସରକାରର ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି। ଏହା ପୂର୍ବରୁ ସେ କହିଥିଲେ ଯେ ଶେଖ ହସିନା କ୍ଷମତା ହରାଇବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଗଣତନ୍ତ୍ରକୁ ଉପଯୁକ୍ତ ସ୍ଥାନ ନଦେବା ।

ବାଂଲାଦେଶରେ ଠିକ୍ ଭାବେ ନିର୍ବାଚନ ହୋଇନଥିଲା। ଶେଖ୍ ହସିନା ଲଗାତାର କ୍ଷମତାରେ ଥିଲେ। ସେ ବହୁତ ଶକ୍ତିଶାଳୀ ହୋଇଯାଇଥିଲେ । ଗୋଟିଏ ଦେଶ, ଗୋଟିଏ ନେତା, ଗୋଟିଏ କାହାଣୀ, ଗୋଟିଏ ନୀତି ଭଳି ନୀତି ଯୋଗୁଁ ଲୋକମାନେ ଅସନ୍ତୁଷ୍ଟ ଥିଲେ। ବେକାରୀ କାରଣରୁ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଥିଲେ। ଏହି ଘଟଣା ଘଟିବାର ଏହା ହିଁ ମୁଖ୍ୟ କାରଣ।

ଶେଖ୍ ହସିନା ଦେଶ ଛାଡିବା ପରେ ମଧ୍ୟ ବାଂଲାଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି । ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ମଧ୍ୟ ଏବେ ଆକ୍ରମଣ ହେଉଛି। ଆୱାମୀ ଲିଗ୍ ନେତାଙ୍କ ଘର ଓ ହୋଟେଲ ଉପରେ ଆକ୍ରମଣ କରାଯାଉଛି। ଆୱାମୀ ଲିଗ୍ ନେତାଙ୍କ ହୋଟେଲ ଉପରେ ଜନତା ଆକ୍ରମଣ କରିଥିଲେ, ଯେଉଁଥିରେ ୨୪ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ଇଣ୍ଡୋନେସିଆ ନାଗରିକ ମଧ୍ୟ ଅଛନ୍ତି।

ଇତି ମଧ୍ୟରେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ସଂସଦ ଭଙ୍ଗ କରିଛନ୍ତି। ବାଂଲାଦେଶ ସଙ୍କଟ ଉପରେ ରାଜ୍ୟସଭାରେ ବିବୃତି ଦେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଆମେ ଏହି ସଙ୍କଟ ଉପରେ ନଜର ରଖିଛୁ । ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟ ସେଠାରେ ହିଂସା ଜାରି ରହିଛି। ହିନ୍ଦୁ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଇଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି।

ଆମେ ଢାକା ସହ ଯୋଗାଯୋଗରେ ଅଛୁ। ଶେଖ୍ ହସିନା ଭାରତ ଆସିବା ପାଇଁ ଅନୁମତି ମାଗିଥିଲେ। ଆମେ ବାଂଲାଦେଶରେ ଥିବା ଭାରତୀୟ ସମ୍ପ୍ରଦାୟ ସହ ଯୋଗାଯୋଗରେ ଅଛୁ। ବାଂଲାଦେଶରେ ୯ ହଜାର ଛାତ୍ରଛାତ୍ରୀଙ୍କ ସମେତ ହଜାର ହଜାର ଭାରତୀୟ ଅଛନ୍ତି। ବିଏସଏଫକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି । ଏହା ପୂର୍ବରୁ ସର୍ବଦଳୀୟ ବୈଠକରେ ବାଂଲାଦେଶର ସଙ୍କଟ ସମ୍ପର୍କରେ ସୂଚନା ଦେଇଥିଲେ ଏସ ଜୟଶଙ୍କର ।

ବାଂଲାଦେଶରେ ବଢ଼ୁଥିବା ହିଂସାତ୍ମକ ପ୍ରତିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ଢାକା ଛାଡିଛନ୍ତି । ଆମେ ସରକାର ଚଳାଇବୁ ବୋଲି ସେନାମୁଖ୍ୟ କହିଛନ୍ତି। ବାସ୍ତବରେ ବାଂଲାଦେଶରେ ବିକ୍ଷୋଭ ଥମିବାର ନାଁ ନେଉନଥିଲା। ବାଂଲାଦେଶ ସଙ୍କଟକୁ ନେଇ ଭାରତରେ ଉତ୍ତେଜନା ମଧ୍ୟ ତୀବ୍ର ହୋଇଥିଲା। ଗତକାଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପଡ଼ୋଶୀ ଦେଶର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅବଗତ କରାଇଥିଲେ। ସେପଟେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଭାରତରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବାଂଲାଦେଶର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସମସ୍ତ ଦଳର ନେତାମାନଙ୍କୁ ଅବଗତ କରାଇଥିଲେ ।

Comments are closed.