Latest Odisha News

BREAKING NEWS

ବିଜେଡି ମାରିବ ପୋଲାଭରମ୍ ବାଣ !

ଭୁବନେଶ୍ୱର: ପୋଲାଭରମ୍ ପ୍ରକଳ୍ପକୁ ଅସ୍ତ୍ର କରି ଗୋଟିଏ ଗୁଳିରେ ବିଜେଡି ମାରିବ ଦୁଇଟି ତୀର। ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ବିଜେପି ରହିଥିବା ବେଳେ ପୋଲାଭରମକୁ ବଡ଼ ପ୍ରସଙ୍ଗ କରି ଜନତାଙ୍କ ବିଶ୍ବାସ ଜିତିବାକୁ ଉଦ୍ୟମ କରିବ ବିଜେଡି । ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି ଟିମ୍ । ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଟିମ୍ ଗଠନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଟିମରେ ଭୃଗୁ ବକ୍ସିପାତ୍ର, ରବିନାରାୟଣ ନନ୍ଦ, ରମେଶ ଚନ୍ଦ୍ର ମାଝୀ, ଈଶ୍ବର ପାଣିଗ୍ରାହୀଙ୍କ ପରି ବରିଷ୍ଠ ନେତା ରହିଛନ୍ତି । ଆସନ୍ତା ୮ତାରିଖରେ ପୋଲାଭରମ ପ୍ରକଳ୍ପ ପାଇଁ ମାଲକାନଗିରି ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ନବୀନଙ୍କୁ ରିପୋର୍ଟ ଦେବେ । ଟିମ୍ ପ୍ରଥମେ ଓଡିଶା ପଟ ବୁଲି ଦେଖିବେ କିଛି ସପ୍ତାହ ପରେ ଆନ୍ଧ୍ରପ୍ରଦେଶ ପଟେ ପ୍ରକଳ୍ପ ଅଞ୍ଚଳ ଦେଖିବେ ।

ବୁଡାଇଦେବ ପୋଲାଭରମ୍ !
ଆନ୍ଧ୍ରପ୍ରଦେଶରେ ପୋଲାଭରମ ପ୍ରକଳ୍ପ ହେଲେ ଓଡିଶା କ୍ଷତି ସହିବ। ମାଲକାନଗିରି ମୋଟୁ ତହସିଲର ପ୍ରାୟ ୩ହଜାର ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ହଜାର ହଜାର ପରିବାର ଭିଟାମାଟି ଛାଡିପାରନ୍ତି । ୫ହଜାର ହେକ୍ଟର ସଂରକ୍ଷିତ ଜଙ୍ଗଲ ନଷ୍ଟ ହେବା ସହ ୧୦ହଜାର ହେକ୍ଟର ଚାଷଜମି ଜଳମଗ୍ନ ହେବ । ସେଥିପାଇଁ ପ୍ରଥମରୁ ହିଁ ପ୍ରକଳ୍ପକୁ ଓଡିଶା ବିରୋଧ କରିଆସୁଛି । ଛତିଶଗଡ ଓ ତେଲେଙ୍ଗାନା ମଧ୍ୟ ପ୍ରକଳ୍ପକୁ ବିରୋଧ କରୁଛନ୍ତି । ଗୋଦାବରୀର ପଛୁଆ ପାଣି ମୋଟୁକୁ ବୁଡାଉଥିବା ବେଳେ ପୋଲାଭରମ ପ୍ରକଳ୍ପକୁ ନେଇ ସ୍ଥାନୀୟଲୋକେ ପ୍ରମାଦ ଗଣିଲେଣି ।

କାହିଁକି ଫେରିଲା ପୋଲାଭରମ୍ ରାଜନୀତି?
କେନ୍ଦ୍ର ବଜେଟରେ ପୋଲାଭରମ ପାଇଁ ଆନ୍ଧ୍ରକୁ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଘୋଷଣା ହେବା ପରେ ତେଜିଥିଲା ରାଜ୍ୟ ରାଜନୀତି । ପ୍ରକଳ୍ପ କାମ ଶୀଘ୍ର ସାରିବାକୁ କୁହାଯିବା ପରେ ଉଭୟ ବିଜେଡି ଓ କଂଗ୍ରେସ ଏହାକୁ ବିରୋଧ କରିଥିଲେ । ପରେ ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯାଇଥିବା ବେଳେ ଦିଲ୍ଲୀରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭେଟିଥିଲେ।

କାହିଁକି ବିଜେଡି କରୁଛି ପ୍ରସଙ୍ଗ?
ନିର୍ବାଚନରେ ପରାଜୟ ପରେ ପୋଲାଭରମକୁ ବଡ ପ୍ରସଙ୍ଗ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଚାହୁଁଛି ବିଜେଡି । କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାର, ରାଜ୍ୟରେ ବିଜେପି ସରକାର ଓ ଆନ୍ଧ୍ରପ୍ରଦେଶରେ ବିଜେପିର ମେଣ୍ଟ ସହଯୋଗୀ ଟିଡିପି କ୍ଷମତାରେ ରହିଛି । ତେଣୁ ପୋଲାଭରମ ପ୍ରସଙ୍ଗକୁ ଅସ୍ତ୍ର କଲେ ବିଜେଡି ଉଭୟ କେନ୍ଦ୍ର ଓ ରାଜ୍ୟକୁ ଏକାସାଙ୍ଗରେ ଟାର୍ଗେଟ୍ କରିପାରିବ। ଜନତାଙ୍କ ପାଇଁ ସ୍ବର ଉଠାଇବା ସହ ପୁଣି ବିଶ୍ବାସ ଜିତିପାରିବ । ବିଧାନସଭାରେ କଂଗ୍ରେସ ପୋଲାଭରମ ପ୍ରସଙ୍ଗ ବାରମ୍ବାର ଉଠାଇଥିଲେ ବି ଟିମ୍ ଗଠନ କରି ପ୍ରସଙ୍ଗକୁ ନିଜ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିପାରେ ବିଜେଡି । ୨୪ବର୍ଷ ଧରି ଶାସନ କ୍ଷମତାରେ ରହିଥିବା ବିଜେଡି, ଏବେ ବିରୋଧୀ ଆସନରେ । ତେଣୁ ପୋଲାଭରମ ଭଳି ପ୍ରସଙ୍ଗକୁ ଅସ୍ତ୍ର କରି ରାଜ୍ୟ ରାଜନୀତିରେ ଦବଦବା ଦେଖାଇବାକୁ ଦଳ ଉଦ୍ୟମ କରୁଛି ।

 

Comments are closed.