Latest Odisha News

‘ଭିନେଶଙ୍କ ବିଜୟ ବ୍ରିଜଭୂଷଣଙ୍କ ଗାଲରେ ଶକ୍ତ ଚାପୁଡା’

ନୂଆଦିଲ୍ଲୀ: ଭିନେଶ ଫୋଗାଟ ଅଲିମ୍ପିକ କୁସ୍ତି ପ୍ରତିଯୋଗିତା ଫାଇନାଲରେ ପହଞ୍ଚିଯାଇଛନ୍ତି । ଏହାସହିତ ସେ ପ୍ରଥମ ମହିଳା ବନିଛନ୍ତି ଯେ କୁସ୍ତିରେ ଫାଇନାଲକୁ ରାସ୍ତା ଖୋଲିଛନ୍ତି । ଭିନେଶଙ୍କ ଏହି ଉପଲବ୍ଧିରେ ତାଙ୍କର ଦାଦା ତଥା ତାଙ୍କ କୁସ୍ତି ପ୍ରଶିକ୍ଷକ ଗୁରୁ ମହାବୀର ଫୋଗାଟ ଏହାକୁ ନେଇ ଖୁସି ବ୍ୟକ୍ତ କରିବା ସହ ବଡ ବୟାନ ଦେଇଛନ୍ତି ।

ଏନେଇ ମହାବୀର କହିଛନ୍ତି, ‘ଝିଅ ଭିନେଶଙ୍କ ବିଜୟ ବ୍ରିଜଭୂଷଣଙ୍କ ଗାଲରେ ଏକ ଶକ୍ତ ଚାପୁଡା ମାରିଲା ଭଳି । ଏହା କେବଳ ଏକ ପଦକ ନୁହେଁ । ଆମ ଝିଅ ଯାହା କରିଛି ତାହା ପୂର୍ବରୁ କେହି ବି କରିନଥିଲେ । ଏଥିରେ ତାଙ୍କୁ ହରାଇବାକୁ ବ୍ରିଜଭୂଷଣ ସମସ୍ତ ପ୍ରଚେଷ୍ଟା କରିଥିଲେ । ହେଲେ ସେ ସେଥିରେ ସଫଳ ହେଲେ ନାହିଁ । ଏହା ତାଙ୍କ ଗାଲରେ ଶକ୍ତ ଚାପୁଡା । ସେ ସ୍ୱର୍ଣ୍ଣ ପଦକ ଜିତିବାର ଅତି ପାଖରେ ଏବଂ ମୁଁ ନିଶ୍ଚିତ ଯେ ସେ ସ୍ୱର୍ଣ୍ଣ ପଦକ ନିହାତି ହାସଲ କରିବ ବୋଲି ଦାବି କରିଛନ୍ତି ମହାବୀର ସିଂ ଫୋଗାଟ ।’

ତେବେ କହିରଖୁଛୁ, କୁସ୍ତିଯୋଦ୍ଧେମାନେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ବିରୋଧରେ ଅତୀତରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମହିଳା କୁସ୍ତିଯୋଦ୍ଧାମାନେ ଡବ୍ଲୁଏଫ୍ଆଇ ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ସିଂ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରି ପ୍ରାୟ ଏକ ବର୍ଷରୁ ଅଧିକ ସମୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆଙ୍କ ସମେତ ଭିନେଶ ଫୋଗାଟ ମଧ୍ୟ ବିକ୍ଷୋଭରେ ଯୋଗ ଦେଇଥିଲେ । ସେତେବେଳେ କୁସ୍ତିଯୋଦ୍ଧା ମାନଙ୍କ ବିରୋଧରେ ପୋଲିସ ଅଭିଯୋଗ ଆଣିବାରୁ ଭିନେଶଙ୍କୁ ବିରୋଧ ମଧ୍ୟ କରାଯାଇଥିଲା । କିନ୍ତୁ ସବୁ କିଛି ବାଧାକୁ ଏଡାଇ ଏବେ ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଆଶାରେ ଭିନେଶ । ଭାରତ ପାଇଁ ମହିଳା ୫୦ କେଜି ବର୍ଗ କୁସ୍ତିରେ ପଦକ ପକ୍କା କରିଛନ୍ତି। ସେମି ଫାଇନାଲରେ ସେ ଦମଦାର ପ୍ରଦର୍ଶନ କରି କ୍ୟୁବାର ଗୁଜମାନଙ୍କୁ ୫-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ଫାଇନାଲକୁ ଯିବା ପରେ ପଦକ ପକ୍କା ହୋଇଥିବା ବେଳେ ସ୍ବର୍ଣ୍ଣ ଲକ୍ଷ୍ୟରେ ଭିନେଶ ।

Comments are closed.