Latest Odisha News

BREAKING NEWS

ପ୍ୟାରିସ ଅଲିମ୍ପିକ୍ସରେ ରୋପ୍ୟ ଜିତିଲେ ସୁନା ପୁଅ ନୀରଜ

ପ୍ୟାରିସ୍: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ। ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ଜିତିଲେ ନୀରଜ ଚୋପ୍ରା । ୮୯.୪୫ ମିଟର ଜାଭେଲିନ୍ ଫିଙ୍ଗି ରୌପ୍ୟ ଜିତିଲେ ନୀରଜ । ଅନ୍ୟପଟେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ପାକିସ୍ତାନର ଏ. ନଦିମ ସ୍ବର୍ଣ୍ଣ ଜିତିଛନ୍ତି । ନାଦିମ ୯୨.୯୭ ମିଟର ଜାଭେଲିନ୍ ଫିଙ୍ଗି ଅଲିମ୍ପିକ୍ସରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ତେବେ ୨୦୨୪ ଅଲିମ୍ପିକ୍ସରେ ଏହା ହେଉଛି ଭାରତର ପଞ୍ଚମ ପଦକ। ଏହା ପୂର୍ବରୁ ଭାରତ ୪ଟି ବ୍ରୋଞ୍ଜ ପଦକ ଜିତିଛି। ସୁଟିଂରେ ୩ଟି ଏବଂ ହକିରେ ବ୍ରୋଞ୍ଜ ପଦକ ହାତେଇଛି ଭାରତ।

ପ୍ୟାରିସ୍ ଅଲିମ୍ପିକ୍ସରେ ଦେଶ ପାଇଁ ପ୍ରଥମ ରୌପ୍ୟ ଜିତିଲେ ନୀରଜ । କହିରଖୁଛୁ ଯେ, ୨୦୨୦ ଟୋକିଓ ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ । ତେବେ ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୋପ୍ୟ ଜିତିଥିବା ନୀରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଗାତାର ଦୁଇଟି ଅଲିମ୍ପିକ୍ ପଦକ ଜିତିବାରେ ନୀରଜ ପ୍ରଥମ ଭାରତୀୟ ଟ୍ରାକ ଏବଂ ଫିଲ୍ଡ ଖେଳାଳି ହୋଇଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପିଏମ ମୋଦୀ ଲେଖିଛନ୍ତି ଯେ, ସେ ଆହୁରି ମଧ୍ୟ କହିଛନ୍ତି, ” ନୀରଜ ଚୋପ୍ରା ହେଉଛନ୍ତି ଉତ୍କୃଷ୍ଠତାର ପ୍ରତୀକ । ବାରମ୍ବାର ସେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି । ଭାରତ ବହୁତ ଖୁସି ନୀରଜ ପୁଣି ଥରେ ଅଲିମ୍ପିକରେ ପଦକ ଜିତିବା ସହିତ ମଇଦାନକୁ ଫେରିଛନ୍ତି । ଅଲମ୍ପିକ୍ସରେ ରୋପ୍ୟ ଜିତିଥିବାରୁ ତାଙ୍କୁ ଅନେକ ଅନେକ ଅଭିନନ୍ଦନ। ସେ ଦେଶର ଆଗାମୀ ଅଗଣିତ ଆଥଲେଟିକ୍ ମାନଙ୍କର ସ୍ୱପ୍ନ ପୂରଣ କରିବା ଏବଂ ଦେଶକୁ ଗର୍ବିତ କରିବା ପାଇଁ ପ୍ରେରଣା ଯୋଗାଇବେ।” ମୋଦୀ ଏହି ପୋଷ୍ଟ ସହିତ ନୀରଜଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି।

ନୀରଜ ଚୋପ୍ରାଙ୍କ ପ୍ରଥମ ପ୍ରୟାସ ବିଫଳ ହୋଇଥିଲା। କିନ୍ତୁ ଦ୍ୱିତୀୟ ପ୍ରୟାସରେ ସେ ଜାଭେଲିନ୍ ୮୯.୪୫ ମିଟର ଫିଙ୍ଗି ସର୍ବୋତ୍ତମ ଥ୍ରୋ କରିଥିଲେ। ସେହିପରି ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ଫାଇନାଲରେ ପାକିସ୍ତାନର ଅର୍ଶଦ ନଦିମ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ନୀରଜ ଚୋପ୍ରାଙ୍କ ପରି ତାଙ୍କର ପ୍ରଥମ ପ୍ରୟାସ ମଧ୍ୟ ବିଫଳ ହୋଇଥିଲା। କିନ୍ତୁ ଦ୍ୱିତୀୟ ପ୍ରୟାସରେ ସେ ଜାଭେଲିନ୍ ସର୍ବାଧିକ ୯୨.୯୭ ମିଟର ଫିଙ୍ଗି ଏକ ଅଲିମ୍ପିକ୍ ରେକର୍ଡ ସ୍ଥାପନ କରିଥିଲେ।

Comments are closed.