Latest Odisha News

ଆଜି ରାତି ୧୧ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ବୁଲବୁଲ୍: ‘ଏସଆରସି’

ଭୁବନେଶ୍ୱର: ଉପକୂଳ ଓଡିଶାରେ ନିଜର ଭୟଙ୍କର ରୂପ ଦେଖାଉଛି ବାତ୍ୟା ବୁଲବୁଲ୍ । ବିଶେଷ କରି ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ଏହାର ପ୍ରଭାବ ବିଶେଷ ଭାବେ ଅନୁଭୂତ ହୋଇଛି । ଅନେକ ସ୍ଥାନରେ ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ପଡିଛି ।

ତେବେ ବର୍ତ୍ତମାନ ସୁଦ୍ଧା ଏସଆରସି ଦେଇଥିବା ସୁଚନା ଅନୁସାରେ ବାତ୍ୟା ବୁଲବୁଲ୍ ଉତ୍ତର-ପୂର୍ବ ଦିଗକୁ ମୋଡ଼ ନେବା ଆରମ୍ଭ କରିଛି । ଯାହାର ପ୍ରଭାବରେ ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା ଓ ଜଗତସିଂହପୁର ଆଦି ଜିଲ୍ଲା ଗୁଡିକରେ ଆହୁରି ୪ ରୁ ୫ ଘଣ୍ଟା ପ୍ରବଳ ବର୍ଷା ହେବା ନେଇ ସୂଚନା ରହିଛି ।

ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଏହା ଓଡ଼ିଶାର ପାରାଦୀପଠାରୁ ୧୪୦ କିଲୋମିଟର ଉତ୍ତର-ଉତ୍ତରପୂର୍ବ ଦିଗରେ, ପଶ୍ଚିମ ବଙ୍ଗଠାରୁ ୮୫ କିଲୋମିଟର ଦକ୍ଷିଣ,ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି । ଏହା ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗରେ ଗତି କରି ଆଜି ରାତି ୮ଟାରୁ ୧୧ଟା ମଧ୍ୟରେ ପଶ୍ଚିମବଙ୍ଗର ସାଗରଦ୍ୱୀପ ଓ ବାଂଲାଦେଶର ଖେପୁପଡା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ତେବେ ଏହି ଲ୍ୟାଣ୍ଡଫଲ ବେଳକୁ ଏହା ଟିକିଏ ଦୁର୍ବଳ ହୋଇପଡିଥିବ ବୋଲି ଆଇଏମଡି କହିଛି ।

ପାରାଦ୍ୱୀପ, ଚାନ୍ଦବାଲି, ରାଜନଗର, ବାସୁଦେବପୁର ଆଦି ଅଞ୍ଚଳରେ ବଡ଼ବଡ଼ ଗଛଭାଙ୍ଗି ଯାଇଛି । ଏନଡିଆରଏଫ ଓ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଗଛଗୁଡିକୁ କାଟି ରାସ୍ତା ସଫା କରିଛନ୍ତି ।

ବାତ୍ୟା ପ୍ରଭାବିତ ଅଞ୍ଚଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଆବଶ୍ୟକ ସ୍ଥଳେ ଆହୁରି ମଧ୍ୟ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ମିଳିଛି।

ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଲୋକଙ୍କୁ ରନ୍ଧା ଖାଦ୍ୟ ସହ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଥିବା କହିଛନ୍ତି ଏସଆରସି ମୁଖ୍ୟ ପ୍ରଦୀପ ଜେନା। ତେବେ ଏହି ବାତ୍ୟାରେ ଏପର୍ଯ୍ୟନ୍ତ କୋୖଣସି ଲୋକ ମୃତାହତ ହୋଇନଥିବା ସେ ସୂଚନା ଦେଇଛନ୍ତି ।

Comments are closed.