Latest Odisha News

ଅଦାନୀଙ୍କ ପରେ ଆଉ କିଏ ଟାର୍ଗେଟରେ, ଭାରତୀୟ ବଜାରକୁ ପୁଣି ଦୋହଲାଇବ କି ହିଣ୍ଡେନବର୍ଗ… 

ନୂଆଦିଲ୍ଲୀ: ହିଣ୍ଡେନବର୍ଗ। ଆମେରିକାର ଏହି ସର୍ଟ ସେଲିଂ କମ୍ପାନୀ ଗୌତମ ଅଦାନୀଙ୍କୁ ଏଭଳି ଟାର୍ଗେଟ କରିଥିଲା ଯେ ଆଜି ପର୍ଯ୍ୟନ୍ତ ଅଦାନୀ ଗ୍ରୁପ୍ ଭୁଲିପାରୁନଥିବ।

ଏହି ହିଣ୍ଡେନବର୍ଗ ରିସର୍ଚ୍ଚ କମ୍ପାନୀ ଭାରତରେ ଆଉ ଏକ ବଡ ବିସ୍ଫୋରଣ କରିବାକୁ ଯାଉଛି। କମ୍ପାନୀ ‘ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ସୂଚନା ଦେଇଛି ଯେ, ଖୁବ୍ ଶୀଘ୍ର ଭାରତରେ କିଛି ବଡ ଘଟଣା ଘଟିବାକୁ ଯାଉଛି।

ଗତ ବର୍ଷ ଜାନୁୟାରୀ ୨୪ ରେ ଆଦାନି ଗ୍ରୁପର ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସର ସେୟାର ବିକ୍ରୀ ପୂର୍ବରୁ ହିଣ୍ଡେନବର୍ଗ ରିସର୍ଚ୍ଚ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏଥିରେ ଆଦାନୀ ଗ୍ରୁପ ବିରୋଧରେ ସେୟାର ମୂଲ୍ୟରେ ହେରଫେର ସମେତ ଅନେକ ଅଭିଯୋଗ କରାଯାଇଥିଲା। ଅଦାନୀ ଗ୍ରୁପ୍ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ ମଧ୍ଯ ​ଏହି ରିପୋର୍ଟ ଯୋଗୁଁ ଗ୍ରୁପ୍ ର ମାର୍କେଟ୍ କ୍ୟାପ୍ ୧୫୦ ବିଲିୟନ ଡ଼ଲାର ହ୍ରାସ ପାଇଥିଲା। ଏହି କାରଣରୁ ଗୌତମ ଅଦାନୀଙ୍କ ସମ୍ପତ୍ତି ମୂଲ୍ୟରେ ବହୁତ ହ୍ରାସ ଘଟିଥିଲା ​​ଏବଂ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ବହୁ ତଳକୁ ଖସି ଆସିଥିଲେ।

ତେବେ ହିଣ୍ଡେନବର୍ଗର ଏହିପରି ଚେତାବନୀ ନିଶ୍ଚିତ ଭାବରେ ଷ୍ଟକ୍ ମାର୍କେଟରେ ନିବେଶକଙ୍କ ଭାବନାକୁ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଉଛି।

ହିଣ୍ଡେନବର୍ଗ ରିସର୍ଚ୍ଚ ଏପର୍ଯ୍ୟନ୍ତ ଅନେକ କମ୍ପାନୀରେ ଘୋଟାଲାର ପର୍ଦ୍ଦାଫାସ କରିଥିବା ନେଇ ଦାବି କରିଛି। ଏହି କମ୍ପାନୀ ୨୦୧୭ ରେ ନାଥାନ୍ ଆଣ୍ଡରସନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ବାସ୍ତବରେ ଏହା ଏକ ଫୋରେନସିକ୍ ଆର୍ଥିକ ଅନୁସନ୍ଧାନକାରୀ ସଂସ୍ଥା। ଯାହା ଇକ୍ୱିଟି, କ୍ରେଡିଟ୍ ଏବଂ ଡେରିଭେଟିକ୍ସକୁ ବିଶ୍ଳେଷଣ କରେ। ୧୯୩୭, ମେ ୬ରେ ଘଟିଥିବା ହାଇ ପ୍ରୋଫାଇଲ୍ ହିଣ୍ଡେନବର୍ଗ ଏୟାରସିପ୍ ଅଘଟଣକୁ ନେଇ କମ୍ପାନୀର ନାମ ରଖାଯାଇଛି। ଆମେରିକାର ନ୍ୟୁ ଜର୍ସିର ମଞ୍ଚେଷ୍ଟର ଟାଉନସିପରେ ଏହି ଦୁର୍ଘଟଣା ଘଟିଥିଲା।

 

Comments are closed.