Latest Odisha News

BREAKING NEWS

ଆଶା ଦେଇଛି ଯୁବ ପ୍ରତିଭାଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଶେଷ ହୋଇଛି ଭାରତର ଅଭିଯାନ । ଏଥର ଭାରତ ମୋଟ ୬ଟି ପଦକ ପାଇଛି । ଓଜନ ଅଧିକ ଯୋଗୁଁ  ମହିଳା କୁସ୍ତିରେ ଅଯୋଗ୍ୟ ଘୋଷିତ ଭିନେଶ ଫୋଗାଟଙ୍କ ସପକ୍ଷରେ ଯଦି କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟସର ରାୟ ଆସେ,ତାହା ହେଲେ ଭାରତକୁ ରୌପ୍ୟ ମିଳିବ । ଆଉ ଯଦି ଏହା ହୁଏ ପଦକ ସଂଖ୍ୟା ୭ ହେବ, ଯାହା କି ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଥିବା ପଦକ ସଂଖ୍ୟା ସହ ସମାନ । ଗତ ଅଲିମ୍ପିକ୍ସରେ ଭାରତ ଖାତରେ ଥିଲା ଗୋଟିଏ ସ୍ୱର୍ଣ୍ଣ ପଦକ । ଏଥର କିନ୍ତୁ ବିନା ସୁନାରେ ଫେରିବାକୁ ପଡିବ । ଗୋଟିଏ ସ୍ୱର୍ଣ୍ଣ ବଳରେ ଗତଥର ପଦକ ତାଲିକାରେ ଭାରତର ସ୍ଥାନ ଥିଲା ୪୮ । ଏଥର କିନ୍ତୁ ଭାରତର ସ୍ଥାନ ୭୦ ତଳକୁ ଖସିଛି ।

ପ୍ୟାରିସକୁ ୧୧୭ ଜଣିଆ ପ୍ରତିଯୋଗୀଙ୍କ ଦଳ ପଠାଇଥିଲା ଭାରତ । ଆଶା ଥିଲା ଏଥର ଭାରତ ଟୋକିଓ ଅଲିମ୍ପିକ୍ସଠାରୁ ଅଧିକ ପଦକ ପାଇବ । କିନ୍ତୁ ଯେଉଁମାନଙ୍କଠାରୁ ପଦକ ଆଶା କରାଯାଉଥିଲା, ସେମାନେ ନିରାଶ କରିଛନ୍ତି । ଆଉ କିଛି ଅଳ୍ପକେ ପଦକରୁ ବଂଚିତ ହୋଇ ଚତୁର୍ଥ ସ୍ଥାନରେ ରହିଛନ୍ତି । ଗୋଟିଏ କି ଦୁଇଟି ନୁହେଁ, ୬ଟି ଇଭେଂଟରେ ଭାରତୀୟ ପ୍ରତିଯୋଗୀମାନେ ଚତୁର୍ଥ ସ୍ଥାନରେ ରହି ପଦକ ହାତଛଡା କରିଛନ୍ତି ।

ବ୍ୟାଡମିଂଟନରେ ଭାରତର ଡବଲ୍ସ ଯୋଡି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀଙ୍କ ସମେତ ପି.ଭି ସିନ୍ଧୁଙ୍କଠାରୁ ପଦକ ଆଶା କରାଯାଉଥିଲେ ମଧ୍ୟ ସେମାନେ ନିରାଶ କରିଥିଲେ । ଉଦୀୟମାନ ତାରକା ଲକ୍ଷ୍ୟ ସେନ୍ ସିଙ୍ଗଲ୍ସ ସେମିଫାଇନାଲରେ ପଂହଚି ଇତିହାସ ରଚିଥିଲେ ମଧ୍ୟ ଚତୁର୍ଥ ସ୍ଥାନରେ ରହିଥିଲେ । ଲକ୍ଷ୍ୟ ସେନଙ୍କ ପ୍ରଦର୍ଶନ ଭବିଷ୍ୟତ ପାଇଁ ଆଶା ସଂଚାର କରିଛି । ଡବଲ୍ସ ଯୋଡି ସାତ୍ୱିକ-ଚିରାଗ ପଦକ ଜିତିନଥିଲେ ମଧ୍ୟ ସେମାନେ ସମର୍ଥ କ୍ରୀଡାବିତ୍ ବୋଲି ପ୍ରମାଣ କରିଛନ୍ତି ।

ମହିଳା ୱେଟଲିଫଟିଂରେ ମୀରାବାଈ ଚାନୁ ନିରାଶ କରି ଚତୁର୍ଥ ସ୍ଥାନରେ ରହିଥିଲେ । ୱେଟଲିଫଟିଂ, ମହିଳା ବ୍ୟାଡମିଂଟନ, ବକ୍ସିଂରେ ଭାରତର ପ୍ରଦର୍ଶନ ଚିନ୍ତାଜନକ ନିଶ୍ଚୟ । ବିଶେଷକରି ୱେଟଲିଫଟିଂ ଓ ବକ୍ସିଂ ପରି ପଦକ ସମ୍ଭାବନା ଥିବା କ୍ରୀଡା ପ୍ରତି ଭାରତ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏଥର ବକ୍ସିଂରେ ନିଖତ ଜରିନଙ୍କାରୁ ପଦକ ଆଶା ଥିଲା । ସେ କିନ୍ତୁ ଫେଲ୍ ମାରିଥିଲେ ।

ଏଥର ପ୍ୟାରିସରେ ସୁଟିଂରେ ଭାରତର ପ୍ରଦର୍ଶନ ରହିଛି ଉଲ୍ଲେଖନୀୟ । ମୋଟ ୬ଟି ପଦକରୁ ସୁଟିଂରୁ ହିଁ ଆସିଛି ତିନି ପଦକ । ମନୁ ଭାକର, ସରବଜୋତ୍ ସିଂହ ଓ ସ୍ୱପ୍ନିଲ କୁଶାଲେ ବ୍ରୋଂଜ ହାସଲ କରିଛନ୍ତି । ଅର୍ଜୁନ ବବୁତା ଏବଂ ମିକ୍ସଡ ସ୍କିଟ ଯୋଡି ଅନନ୍ତ ଜିତ୍ ସିଂହ ନାରୁକା ଓ ମହେଶ୍ୱରୀ ଚୌହାନ ଅଳ୍ପକେ ପଦକରୁ ବଂଚିତ ହୋଇଥିଲେ । ଏସବୁ ସୁଟର ପଦକ ଜିତିବା ସାମର୍ଥ୍ୟ ରଖନ୍ତି । ସେମାନଙ୍କୁ ଦରକାର ଭଲ ପ୍ରସ୍ତୁତି ଓ ପ୍ରୋତ୍ସାହନ ।

କୁସ୍ତିରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଖେଳୁଥିବା ୨୧ ବର୍ଷିୟ ଅମନ ଶେରାୱତ ବ୍ରୋଂଜ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମହିଳା ରେସଲର ରିତିକା ହୁଦା ପଦକ ଜିତିନଥିଲେ ମଧ୍ୟ ଭବିଷ୍ୟତ ପାଇଁ ସମ୍ଭାବନା ସୃଷ୍ଟି କରିଛନ୍ତି । ପ୍ୟାରିସରେ ଏସବୁ କ୍ରୀଡାବିତଙ୍କ ପ୍ରଦର୍ଶନ ହିଁ ଭବିଷ୍ୟତ ପାଇଁ ଆଶା ସଂଚାର ହୋଇଛି ।

 

Comments are closed.