Latest Odisha News

BREAKING NEWS

ବାବା ସିଦ୍ଧେଶ୍ୱର ନାଥ ମନ୍ଦିରରେ ଦଳାଚକଟା: ୭ ମୃତ, ୯ ଗୁରୁତର

ପାଟନା: ବିହାର ଜେହନାବାଦ ଜିଲ୍ଲାର ଏକ ମନ୍ଦିରରେ ଦଳାଚକଟାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଜେହନବାଦ ଜିଲ୍ଲାରେ ଶ୍ରାବଣ ଶେଷ ସୋମବାର ଥିବାରୁ ୱାଣାବର ବାବା ଶମ୍ଭୁଶ୍ୱରନାଥ ବା ସିଦ୍ଧେଶ୍ୱର ନାଥ ମନ୍ଦିରରେ ପ୍ରବଳ ଭିଡ଼ ଥିଲା। ଏହି ସମୟରେ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିଥିଲା। ଫଳରେ ଦଳାଚକଟାରେ ୩ ମହିଳା ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭକ୍ତମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଶ୍ରାବଣର ଚତୁର୍ଥ ସୋମବାର ଅବସରରେ ବାବା ସିଦ୍ଧେଶ୍ୱର ନାଥ ମନ୍ଦିରରେ ବହୁ ଭକ୍ତଙ୍କ ଭିଡ ଜମିଥିଲା। ଭିଡ଼ ଏତେ ଅଧିକ ଥିଲା ଯେ ଠେଲାପେଲା ଆରମ୍ଭ ହୋଇଥିଲା। ଧାଡିରେ ଠିଆ ହୋଇଥିବା ଭକ୍ତଙ୍କ କାଉଡି ଓ ଶୋଭାଯାତ୍ରା ହେତୁ ମନ୍ଦିରର ରେଲିଂ ଭାଙ୍ଗିଗଲା । ଫଳରେ ଲୋକମାନେ ପରସ୍ପର ଉପରେ ପଡ଼ିବାରେ ଲାଗିଲେ। ସୂଚନା ପାଇବା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜେହାନାବାଦ ଜିଲ୍ଲାପାଳ ଅଲଙ୍କୃତା ପାଣ୍ଡେ କହିଛନ୍ତି ଯେ ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି। ଆମେ ପରିସ୍ଥିତି ଉପରେ ନଜର ରଖିଛୁ ଏବଂ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି । ମନ୍ଦିରରେ ଏପରି ଘଟଣା କିପରି ଘଟିଲା, ସେନେଇ ବର୍ତ୍ତମାନ ପୋଲିସ ତଦନ୍ତ କରୁଛି।

Comments are closed.