Latest Odisha News

ଛୋଟ ଦେଶ, ବଡ ସଫଳତା

ନୂଆଦିଲ୍ଲୀ: ଅନେକ ଦୃଷ୍ଟିରୁ ବେଶ୍ ସ୍ମରଣୀୟ ହୋଇ ରହିବ ପ୍ୟାରିସ ଅଲିମ୍ପିକ୍ସ । ଏଥର ଅଲିମ୍ପିକ୍ସରେ କିଛି ଘଟଣା ପ୍ରଥମ ଥର ପାଇଁ ଘଟିଛି । କିଛି ଆଥଲେଟ ପ୍ରଥମ ଥର ପାଇଁ ପଦକ ଜିତ ନିଜ ନିଜ ଦେଶ ପାଇଁ ଐତିହାସିକ ସଫଳତା ହାସଲ କରିଛନ୍ତି । ବିଶେଷକରି ଏଥର ବିଶ୍ୱର କିଛି ଛୋଟ ଛୋଟ ଓ କମ୍ ଜନସଂଖ୍ୟା ଦେଶର ପ୍ରତିଯୋଗୀ ଐତିହାସିକ ପ୍ରଦର୍ଶନ କରିଛନ୍ତି । ପୃଥିବୀର ମାନଚିତ୍ରରେ ଯେଉଁ କିଛି ଦେଶକୁ ଖୋଜିବାରେ କଷ୍ଟ କରିବାକୁ ପଡେ, ସେହିଦେଶର ଆଥଲେଟମାନେ ଦମଦାର ପ୍ରଦର୍ଶନ କରିଛନ୍ତି ।

ଆଫ୍ରିକାର ଏକ ଛୋଟ ଦେଶ ବୋଟ୍ସୱାନା । ଏଥର ଅଲିମ୍ପିକ୍ସରେ ବୋଟ୍ସୱାନାର ସ୍ପ୍ରିଂଟର ଲେଟସିଲେ ତେବୋଗୋ ନିଜ ଦେଶ ପାଇଁ ରଚିଛନ୍ତି ଅଲିମ୍ପିକ୍ସ ଇତିହାସ । ପୁରୁଷ ୨୦୦ ମିଟର ଦୌଡରେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ତେବୋଗୋ ଜିତିଥିଲେ ସ୍ୱର୍ଣ୍ଣ ପଦକ । ଏହା ଥିଲା ବୋଟ୍ସୱାନାର ସର୍ବପ୍ରଥମ ଅଲିମ୍ପିକ୍ସ ସ୍ୱର୍ଣ୍ଣ । ୨୧ ବର୍ଷିୟ ତେବେଗୋଙ୍କ ୨୦୦ ମିଟର ସ୍ୱର୍ଣ୍ଣ ଆଫ୍ରିକା ମହାଦେଶ ପାଇଁ ମଧ୍ୟ ପ୍ରଥମ । ତେବେଗୋଙ୍କ ଏହି ଐତିହାସିକ ସ୍ୱର୍ଣ୍ଣ ବିଜୟ ସମ୍ମାନରେ ବୋଟ୍ସୱାନାର ରାଷ୍ଟ୍ରପତି ଗୋଟିଏ ଦିନ ସରକାରୀ ଛୁଟି ଘୋଷଣା କରିଥିଲେ ।

ଡୋମିନିକା । ଏକ ଛୋଟ କାରିବିଆନ ଦ୍ୱୀପ । ଜନସଂଖ୍ୟା ମାତ୍ର ୭୩ ହଜାର । ଡୋମିନିକାର ପରି କ୍ଷୁଦ୍ର ଦେଶର ପ୍ରତିଯୋଗୀ ଥିୟା ଲାଫଣ୍ଡ୍ ଏଥର ଅଲିମ୍ପିକ୍ସ ମହିଳା ଟ୍ରିପଲ ଜମ୍ପରେ ହାସଲ କରିଥିଲେ ସ୍ୱର୍ଣ୍ଣ ପଦକ । ଥିୟାଙ୍କ ସ୍ୱର୍ଣ୍ଣ ହେଉଛି ଡୋମିନିକାର ସର୍ବପ୍ରଥମ ଅଲିମ୍ପିକ୍ସ ପଦକ ।

ଆଉ ଏକ ଛୋଟ ଓ କମ୍ ଲୋକସଂଖ୍ୟାର ଦେଶ ହେଉଛି ସେଂଟ୍ ଲୁସିଆ । ସେଂଟ ଲୁସିଆ ମଧ୍ୟ ଏକ ଛୋଟ କାରିବିଆନ ଦ୍ୱୀପ ଦେଶ । ଲୋକସଂଖ୍ୟା ମାତ୍ର ୧ ଲକ୍ଷ ୮୦ ହଜାର । ଏହି ଛୋଟ ଦେଶର ଆଥଲେଟ୍ ଜୁଲିଏନ ଆଲଫ୍ରେଡ୍ ଏଥର ପ୍ୟାରିସ ଅଲିମ୍ପିକ୍ସ ଦ୍ରୁତତମ ଧାବିକା । ମହିଳା ୧୦୦ ମିଟର ଦୌଡରେ ଟାଇଟଲ ଫେଭରିଟ୍ ଆମେରିକାର ସାକାରି ରିଚାର୍ଡସନଙ୍କୁ ପଛରେ ସ୍ୱର୍ଣ୍ଣ ଜିତି ସେଂଟଲୁସିଆର ପ୍ରଥମ ଅଲିମ୍ପିକ୍ସ ପଦକ ବିଜେତା ହୋଇ ଇତିହାସ ରଚିଛନ୍ତି ଜୁଲିଏନ୍ । ସ୍ୱର୍ଣ୍ଣ ଜିତିବା ପରେ ଜୁଲିଏନ କହିଥିଲେ ଯେ, ଏବେ ଅନେକ ଲୋକ ସେଂଟଲୁସିଆ ସଂପର୍କରେ ଗୁଗୁଲ୍ କରିବେ ।

କାରିବିଆନ ଦ୍ୱୀପପୁଂଜର ଆଉ ଗୋଟିଏ ଛୋଟ ଦ୍ୱୀପ ଗ୍ରେନେଡା ମଧ୍ୟ ଏଥର ପ୍ୟାରିସରେ ଦୁଇଟି ପଦକ ହାସଲ କରିଛି । ପୁରୁଷ ଜାଭେଲିନରେ ଆଣ୍ଡରସନ୍ ପିଟର୍ସ ଓ ଡେକାଥଲନରେ ଲିଣ୍ଡନ୍ ଭିକ୍ଟର ବ୍ରୋଂଜ ହାସଲ କରି ଅଲିମ୍ପିକ୍ସ ମଂଚରେ ନିଜ ଛୋଟ ଦେଶର ଗୌରବ ବୃଦ୍ଧି କରିଛନ୍ତି ।

ଆଉ ଏକ ଛୋଟ ଦେଶ ଡୋମିନିକାନ ରିପବ୍ଲିକର ପ୍ରତିଯୋଗୀ ମଧ୍ୟ ପ୍ୟାରିସ ଅଲିମ୍ପିକ୍ସରେ ନିଜ ଦେଶ ପାଇଁ ଇତିହାସ ରଚିଛନ୍ତି । ମହିଳା ୪୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ଡୋମିନିକା ରିପବ୍ଲିକର ମାରିଲେଇଡି ପୌଲିନୋ । ଏଥିସହ ପୌଲିନୋ ଯେକୌଣସି ଅଲିମ୍ପିକ କ୍ରୀଡାରେ ସ୍ୱର୍ଣ୍ଣ ଜିତିବାରେ ଡୋମିନିକାନ ରିପବ୍ଲିକର ପ୍ରଥମ ମହିଳା ପ୍ରତିଯୋଗୀ ହୋଇଛନ୍ତି । ୨୦୧୨ ପରେ ଡୋମିନିକାନ ରିପବ୍ଲିକ ପାଇଁ ପ୍ରଥମ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଛନ୍ତି ପୌଲିନୋ ।

ପ୍ୟାରିସରେ ଦକ୍ଷିଣ ଆମେରିକାର ଛୋଟ ଦେଶ ଗୁଆଟେମାଲା ପାଇଁ ଅଲିମ୍ପିକ୍ସ ଇତିହାସ ରଚିଛନ୍ତି ମହିଳା ସୁଟର ଆଡ୍ରିଆନା ରୁଆନୋ । ମହିଳା ଟ୍ରାପ ସୁଟିଂରେ ସ୍ୱର୍ଣ୍ଣ ହାସଲ କରି ଗୁଆଟେମାଲାର ସର୍ବପ୍ରଥମ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜୟୀ କ୍ରୀଡାବିତ୍ ହୋଇଛନ୍ତି ରୁଆନୋ । ଛୋଟ ଛୋଟ ଦେଶର ପ୍ରତିଯୋଗୀଙ୍କ ବଡ ଓ ଐତିହାସିକ ସଫଳତା ପାଇଁ ପ୍ୟାରିସ ଅଲିମ୍ପିକ୍ସ ମନେ ରହିବ ।

 

 

Comments are closed.