ମୁମ୍ବାଇ: ସୁପରନ୍ୟାଚୁରାଲ ହରର୍ ଫିଲ୍ମ ପ୍ରତି ଦର୍ଶକଙ୍କ ଆଗ୍ରହ ବଢୁଛି କି ? ଏ ବର୍ଷ ଏହି ଜେନରର କିଛି ବଲିଉଡ୍ ଫିଲ୍ମ ହାସଲ କରିଛି ଆଶାତୀତ ବ୍ୟବସାୟିକ ସଫଳତା । ସୁପରନ୍ୟାଚୁରାଲ ହରର ଫିଲ୍ମ ପ୍ରତି ଦର୍ଶକଙ୍କ ଆଗ୍ରହର ସଦ୍ୟ ଉଦାହରଣ ହେଉଛି ଫିଲ୍ମ ‘ସ୍ତ୍ରୀ-୨’। ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମ ସ୍ତ୍ରୀର ସିକ୍ୱେଲ ହେଉଛି ‘ସ୍ତ୍ରୀ-୨’। ଶ୍ରଦ୍ଧା କପୁର ଓ ରାଜକୁମାର ରାଓ ଅଭିନୀତ ଏବଂ ଅମର କୌଶିକ ନିର୍ଦ୍ଦେଶିତ ‘ସ୍ତ୍ରୀ-୨’କୁ ମିଳିଛି ଜବରଦସ୍ତ ଓପନିଂ ।
‘ଖେଲ ଖେଲ ମେ’ ଓ ‘ବେଦା’ କୁ ପଛରେ ପକାଇ ଦେଇଛି ‘ସ୍ତ୍ରୀ-୨’ । ପ୍ରଥମ ଦିନରେ ‘ସ୍ତ୍ରୀ-୨’ କୁ ମିଳିଛି ୫୫ କୋଟି ୪୦ ଲକ୍ଷ ଟଙ୍କାର ଓପନିଂ । ଏ ବର୍ଷର ସବୁଠୁ ବଡ ଓପନିଂ ପାଇଛି ‘ସ୍ତ୍ରୀ-୨’ ।
ହିଟ୍ର ହ୍ୟାଟ୍ରିକ
‘ସ୍ତ୍ରୀ-୨’ ପୂର୍ବରୁ ଏ ବର୍ଷ ‘ସଇତାନ’ ଓ ‘ମୁନଜ୍ୟା’ ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛନ୍ତି । ଏ ବର୍ଷ ମାର୍ଚ୍ଚରେ ରିଲିଜ ହୋଇଥିଲା ‘ସଇତାନ’ । ଏହା ଥିଲା ଏକ ଗୁଜରାଟୀ ଫିଲ୍ମର ରିମେକ୍ । ବିକାଶ ବହଲ ନିର୍ଦ୍ଦେଶିତ ‘ସଇତାନ’ ର ବଜେଟ୍ ୬୫ କୋଟି ଥିଲେ ମଧ୍ୟ ବକ୍ସ ଅଫିସରେ ୨୦୦ କୋଟିରୁ ଅଧିକ ଆୟ କରିଥିଲା ।
ସେହିପରି, ଏ ବର୍ଷ ଜୁନ୍ ରେ ରିଲିଜ ହୋଇଥିଲା ଫିଲ୍ମ ‘ମୁଞ୍ଜ୍ୟା’ । କୌଣସି ବଡ ଷ୍ଟାର୍ ନଥିଲେ କି ନିର୍ଦ୍ଦେଶକ ବି ଜଣାଶୁଣା ନଥିଲେ ମାତ୍ର ୩୦ କୋଟି ଟଙ୍କାରେ ନିର୍ମିତ ‘ମୁଞ୍ଜ୍ୟା’ ୧୩୨ କୋଟି ଟଙ୍କାରୁ ଅଧିକ ଆୟ କରିଥିଲା । ପ୍ରଥମେ ସଇତାନ, ପରେ ମୁଞ୍ଜ୍ୟା ଓ ଏବେ ସ୍ତ୍ରୀ-୨ । ତିନିଟିଯାକ ସୁପରନ୍ୟାଚୁରାଲ ହରର ଫିଲ୍ମ ବକ୍ସ ଅଫିସରେ ହିଟ୍ ।
ସବୁବେଳେ ରହିଛି ଚାହିଦା
ସ୍ୱଳ୍ପ ବଜେଟରେ ନିର୍ମାଣ ହେଉଥିବାରୁ ସୁପରନ୍ୟାଚୁରାଲ ହରର ଫିଲ୍ମ କେବେ ବି ବ୍ୟବସାୟିକ କ୍ଷତିର ସମ୍ମୁଖୀନ ହୋଇନଥାଏ । ବଲିଉଡ୍ ଓ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁପରନ୍ୟାଚୁରାଲ ହରର ଫିଲ୍ମ ଆଗରୁ ବି ନିର୍ମିତ ହୋଇଛି । କିନ୍ତୁ ଏଭଳି ଜେନରର ଫିଲ୍ମ ବହୁତ କମ୍ । ବଡ ବଡ ଷ୍ଟାରମାନେ ଏଭଳି ଫିଲ୍ମରେ ଅଭିନୟ କରିବାକୁ କୁଣ୍ଠା ପ୍ରକାଶ କରିଥାଆନ୍ତି ।
ହରର୍ ସହ କମେଡିର ମିଶ୍ରଣ
କିଛି ସୁପରନ୍ୟାଚୁଲାଲ ଫିଲ୍ମରେ ହରର ଏଲିମେଂଟ ସହ କମେଡି ମଧ୍ୟ ଦର୍ଶକଙ୍କୁ ବେଶ୍ ଆଦୃତ କରୁଛି । ସ୍ତ୍ରୀ ଓ ସ୍ତ୍ରୀ-୨ ଏହାର ଉଦାହରଣ । ଏପରିକି ଭୁଲ ଭୁଲେୟା ହରର କମେଡି ଶ୍ରେଣୀରେ ଆସିବ । କମେଡି ଥିବାରୁ କିଛି ସୁପରନ୍ୟାଚୁରାଲ ହରରକୁ ଖାଣ୍ଟି ହରର ଫିଲ୍ମ ଭାବେ ଗ୍ରହଣ କରନ୍ତି ନାହିଁ ସମାଲୋଚକ ।
Comments are closed.