Latest Odisha News

ପରିବର୍ତ୍ତନ ପରେ ପ୍ରଥମ ପରୀକ୍ଷା

ଶ୍ରୀନଗର: ୧୦ ବର୍ଷ ପରେ ପୁଣି ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ ପ୍ରଥମ ଥର ପାଇଁ ହେବ ଭୋଟ୍ । ଏଥର କିନ୍ତୁ ରାଜ୍ୟ ଭାବେ ନୁହେଁ । କେନ୍ଦ୍ର ଶାସିତ ଅଂଚଳ ଭାବେ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ ।

ଐତିହାସିକ ପରିବର୍ତ୍ତନ ପରର ନିର୍ବାଚନ

୨୦୧୮ ନଭେମ୍ବରରେ ଜାମ୍ମୁ ଓ କାଶ୍ମୀର ରାଜ୍ୟର ବିଧାନସଭା ଭଙ୍ଗ କରି ଦିଆଯାଇଥିଲା । ଅନେକ କିଛି ବଦଳି ଯାଇଛି । ନିର୍ବାଚନ ପ୍ରତିଶ୍ରୁତି ରଖି ମୋଦି ସରକାର ୨୦୧୯ରେ ଜାମ୍ମୁ ଓ କାଶ୍ମୀରଠାରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିଥିଲେ । ଉଠିଥିଲା ଧାରା ୩୭୦ । ସଂସଦରେ ବିତର୍କ ପରେ ଗୃହୀତ ହୋଇଥିଲା ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ । ରାଜ୍ୟ ମାନ୍ୟତା ରଦ୍ଦ କରାଯାଇ ଜାମ୍ମୁ ଓ କାଶ୍ମୀର ଏବଂ ଲଦ୍ଦାଖକୁ ଦିଆଯାଇଥିଲା କେନ୍ଦ୍ର ଶାସିତ ଅଂଚଳର ମାନ୍ୟତା । ୨୦୨୨ରେ ନିର୍ବାଚନ କ୍ଷେତ୍ର ପୁନଃନିର୍ଧାରଣ ପରେ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ଆସନ ସଂଖ୍ୟା ବଢି ୮୭ରୁ ୯୦ରେ ପହଂଚିଛି । କାଶ୍ମୀର ଉପତ୍ୟକାରେ ୪୭ ଓ ଜାମ୍ମୁରେ ରହିଛି ୪୩ ଆସନ । ୨୦୧୯ ପରଠାରୁ ଉପରାଜ୍ୟପାଳଙ୍କଠାରେ ପୋଲିସ ଓ ଜମିଜମା ସଂପର୍କିତ ନିଷ୍ପତ୍ତି ସହିତ ଅନ୍ୟ କିଛି କ୍ଷମତା ରହିଛି । ନିର୍ବାଚିତ ବିଧାନସଭାର ଅଧିକାରକୁ କମ୍ କରିଦିଆଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ନିର୍ବାଚନ

୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେଲା ପରେ ବିରୋଧକୁ ଦୃଷ୍ଟିରେ ରଖି ସତର୍କ ହୋଇଥିଲେ ମୋଦି ସରକାର । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଲକଡାଉନ ଓ କର୍ଫ୍ୟୁ ଲଗାଇଥିଲେ ସରକାର । ବିଭିନ୍ନ ଦଳର ନେତାଙ୍କୁ ଗିରଫ କରାଯାଇଥିଲା । କେତେକଙ୍କୁ ଗୃହବନ୍ଦୀ ଭାବେ ରଖିଥିଲେ ସରକାର । ଧାରା ୩୭୦ ରଦ୍ଦ ନିଷ୍ପତ୍ତିକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା ଏକାଧିକ ପିଟିସନ୍ । ୨୦୨୩ ଡିସେମ୍ବରରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ ସୁପ୍ରିମକୋର୍ଟ । କିନ୍ତୁ ଜାମ୍ମୁ ଓ କାଶ୍ମୀରରେ ୨୦୨୪ ସେପଟେମ୍ବର ମଧ୍ୟରେ ବିଧାନସଭା ନିର୍ବାଚନ କରିବା ପାଇଁ ରାୟ ଦେଇଥିଲେ ସୁପ୍ରିମକୋର୍ଟ । ଏଥିସହ ଯେତେ ଶୀଘ୍ର ସମ୍ଭବ ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟ ମାନ୍ୟତା ପୁନଃ ପ୍ରଦାନ ସପକ୍ଷରେ ମତ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

ନୂଆ ଆଶା , ନୂଆ ଉତ୍ସାହ

ଏ ବର୍ଷ ଲୋକସଭା ନିର୍ବାଚନ ବେଳେ ଜାମ୍ମୁ ଓ କାଶ୍ମୀରରେ ଭୋଟରଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ବିଧାନସଭା ନିର୍ବାଚନରେ ମଧ୍ୟ ସେପରି ଉତ୍ସାହ ଦେଖିବାକୁ ମିଳିବ ବୋଲି ଆଶା ରହିଛି । କିନ୍ତୁ ନିର୍ବାଚନ ତାରିଖ ଘୋଷଣା ହେବା ସହ ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ ଦାବି ଜୋରଦାର ହୋଇଛି । ରାଜ୍ୟ ଥିବା ବେଳେ ଜାମ୍ମୁ ଓ କାଶ୍ମୀରରେ ଶେଷଥର ପାଇଁ  ୨୦୧୪ରେ ହୋଇଥିଲା ବିଧାନସଭା ନିର୍ବାଚନ । ରେକର୍ଡ ୬୫ ପ୍ରତିଶତରୁ ଅଧିକମତଦାନ ହୋଇଥିଲା । ପିଡିପି ଓ ବିଜେପିର ମିଳିତ ସରକାର ଗଠନ ହୋଇଥିଲା । ୨୦୧୮ରେ ଭାଙ୍ଗି ଯାଇଥିଲା ସରକାର । ସେହିଦିନଠାରୁ ନାଟକୀୟ ପରିବର୍ତ୍ତନ ଦେଖିଆସିଛି ଜାମ୍ମୁ ଓ କାଶ୍ମୀର । ନିର୍ବାଚନ ଫଳାଫଳରୁ ଜଣାପଡିବ ଯେ, ଏଠାକାର ଲୋକେ ନିଜର ନୂଆ ସରକାର, ନୂଆ ଶାସନ ଓ ସେଥିରେ ନିଜର ସ୍ଥାନକୁ କେମିତି ଦେଖୁଛନ୍ତି ।

 

 

Comments are closed.