Latest Odisha News

ପୁଣି ଅଶାନ୍ତ ପୁରୀ: ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ, ଦିବ୍ୟାଙ୍ଗଙ୍କୁ ହତ୍ୟା

ପୁରୀ: ପୁରୀ ସହରରେ ପୁଣି ରକ୍ତପାତ । ପୁଣି ଅଶାନ୍ତ ହେଲା ସହର। ଜଣେ ଦିବ୍ୟାଙ୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୯ ଦୁର୍ବୃତ୍ତ। ଆକ୍ରମଣର ଶୀକାର ଦିବ୍ୟାଙ୍ଗଙ୍କ ଚାଲିଗଲା ଜୀବନ। ଖଜା ବେପାରକୁ ନେଇ ଲାଗି ରହିଥିବା ବିବାଦ ପୁଣି ଉଗ୍ରରୂପ ନେଇଥିବା ବେଳେ ଆଜି ଆଉ ଜଣକର ମୁଣ୍ଡ ଗଡ଼ିଛି। ଗତ ୮ ତାରିଖରେ ମାର୍କଣ୍ଡେଶ୍ବର ସାହି ରାଧାଗୋବିନ୍ଦ ଲେନ୍‌ରେ ଦୀନେଶ ଖୁଣ୍ଟିଆଙ୍କୁ ହତ୍ୟା କରାଯାଇଥିଲା। ଦୁର୍ବୃତ୍ତମାନେ ଆଜି ପୁଣି ଏହାର ପ୍ରତିଶୋଧ ନେଇଛନ୍ତି।

ଦୀନେଶ ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରଦୀପ୍ତ ସାହୁଙ୍କ ଦିବ୍ୟାଙ୍ଗ ବାପା ହରିହର ସାହୁ (୫୦) ହାଡ଼ଗୋଡ଼ିଆ ସାହି ଦେଇ ଯାଉଥିବା ବେଳେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ମୁଣ୍ଡକୁ କଟୁରିରେ ଅତି ବୀଭତ୍ସ ଭାବେ ହାଣି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ଆକ୍ରମଣ ଦେଖି ନିକଟରେ ଥିବା ଦୋକାନୀମାନେ ସେମାନଙ୍କ ଦୋକାନ ବନ୍ଦ କରି ଚାଲିଯାଇଥି‌ଲେ। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ହରିହରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ପଠାଇଥିଲା।

ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଏ ସଂକ୍ରାନ୍ତରେ ମୃତ ହରିହରଙ୍କ ପରିବାର ପକ୍ଷରୁ ପୁରୀ ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ହତ୍ୟାକାଣ୍ଡ ପଛରେ ଗୋଷ୍ଠୀ ବିବାଦ ରହିଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି। ପୋଲିସ ଖୁବ୍‌ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରିବ ବୋଲି ଏସ୍‌ପି ପିନାକ ମିଶ୍ର କହିଛନ୍ତି।

Comments are closed.