Latest Odisha News

ବାଚସ୍ପତିଙ୍କୁ ଅସମ୍ମାନ; ନିନ୍ଦା ପ୍ରସ୍ତାବ ପାରିତ କଲା ଶାସକ ଦଳ

ଭୁବନେଶ୍ବର: ଗୃହରେ ଜାରି ରହିଛି ବିରୋଧୀଙ୍କ ହଟ୍ଟଗୋଳ । ପୋଡିୟମ ଉପରକୁ ଚଢିବା ବାଚସ୍ପତିଙ୍କ ମାଇକ ଟାଣିବା ଯେମିତି ନିତିଦିନିଆ କଥା ହୋଇଯାଇଛି । ଆଜିକୁ ୫ ଦିନ ହେଲାଣି ଆରମ୍ଭ ହେଲାଣି ଚଳିତ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ହେଲେ ପ୍ରଶ୍ନକାଳ ପରେ ଚାଲିପାରୁନି ଗୃହ । ଶୁକ୍ରବାରର ତ ସ୍ଥିତି ପୂରା ଅସମ୍ଭାଳ । ପ୍ରଶ୍ନକାଳ ପୂର୍ବରୁ ହିଁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ମୁଲତବି ରହିଥିଲା ଗୃହ । ବିରୋଧୀ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ହୋହାଲ୍ଲା କରିଥିଲେ ।

ଏନେଇ ବିରୋଧୀ ବାଚସ୍ପତିଙ୍କୁ ଅସମ୍ମାନ କରିଛି କହି ଗୃହରେ ନିନ୍ଦା ପ୍ରସ୍ତାବ ଆଗତ କରିଛି ଶାସକ ଦଳ । ଶାସକ ଦଳ ମୁଖ୍ୟ ସଚେତକ ଗୃହରେ ନିନ୍ଦା ପ୍ରସ୍ତାବ ଆଗତ କରିବା ପରେ ଏହାକୁ ବାଚସ୍ପତି ଅନୁମତି କ୍ରମେ ଗୃହରେ ପାରିତ କରାଯାଇ ଗୃହକୁ ଘଣ୍ଟାଏ ପାଇଁ ମୁଲତବି ରଖାଯାଇଛି ।

ସେପଟେ ଆଜି ମଧ୍ୟ ଜୋର୍ ବିରୋଧ ପ୍ରଦର୍ଶନ କରିଛନ୍ତି ବିରୋଧୀ । ଗୃହ ଆରମ୍ଭରୁ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା କରିବା ସହିତ କଂଗ୍ରେସ ବିଧାୟକମାନେ  ଏସଟି, ଏସସି ଓ ଓବିସି ସଂରକ୍ଷଣକୁ ନେଇ ଗୃହରେ ହଟ୍ଟଗୋଳ କରିବା ସହିତ ଗୃହ ମଧ୍ୟକୁ ଲିଫଲେଟ ଫିଙ୍ଗିଥିଲେ । ଏହାସହିତ ଗୃହ ମଧ୍ୟଭାଗରେ କଂଗ୍ରେସ ଓ ବିଜେଡି ସଦସ୍ୟ ନାରାବାଜି କରି ପ୍ରତିବାଦ କରିଥିଲେ ।

ତେବେ କହିରଖୁଛୁ, ଗତକାଲି ଚିକିଟି ମଦ ମୃତ୍ୟୁ ମାମଲା ନେଇ ତାତିଥିଲେ ବିରୋଧୀ । ଉଭୟ ବିଜେଡି ଓ କଂଗ୍ରେସ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ ହୋହଲ୍ଲା ଆରମ୍ଭ କରିଥିଲେ । ଏହାସହିତ ଗୃହରେ ମୁଲତବି ପ୍ରସ୍ତାବ ଆଣିଥିଲେ । ହେଲେ ବାଚସ୍ପତି ଏହା ଉପରେ ଦୃଷ୍ଟି ନଦେବାର ଅଭିଯୋଗ କରି ଗୃହ ମଧ୍ୟ ଭାଗକୁ ଯାଇ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଯାଇଥିଲେ ବିଜେଡି ବିଧାୟକ ରୋମାଞ୍ଚ ବିଶ୍ୱାଳ ଓ ମାଧବ ଧଡ଼ା । ଏହାସହିତ ବିରୋଧୀ ଚାରିପଟୁ ବାଚସ୍ପତିଙ୍କୁ ଘେରିବା ଭଳି ସ୍ଥିତି ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଜଣେ ମହିଳା ବାଚସ୍ପତିଙ୍କୁ ବିରୋଧୀ ଅସମ୍ମାନ କରିଛି ବୋଲି ଅଭିଯୋଗ ଆଣିଥିଲା ଶାସକ ବିଜେପି ଦଳ । ଏହାକୁ ନେଇ ଆଜି ଗୃହରେ ନିନ୍ଦା ପ୍ରସ୍ତାବ ପାରିତ କରିଛି ଶାସକ ଦଳ ।

Comments are closed.