Latest Odisha News

ସତ କହିଲା କି ସଞ୍ଜୟ? ସନ୍ଦୀପଙ୍କ ସ୍ଥିତି ସଂଗୀନ

କୋଲକାତା: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଜାରି ରହିଛି ବିକ୍ଷୋଭ ପ୍ରଦର୍ଶନ । ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ । ଘଟଣାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ମହିଳାଙ୍କ ବିରୋଧରେ ଅପରାଧ ଅକ୍ଷମଣୀୟ ଅପରାଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୋଷୀ ଯିଏ ହେଉ ନା କାହିଁକି, ତାକୁ ନିସ୍ତାର ମିଳିବା ଉଚିତ ନୁହେଁ । ଦୋଷୀଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କୁ ବି ଛଡାଯିବା କଥା ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କୋଲକାତା ଘଟଣା ପରେ ପ୍ରଥମ ଥର ପାଇଁ ଏଭଳି କଡା ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯେକୌଣସି ସ୍ତରରେ କାର୍ଯ୍ୟାନୁଷ୍ଠାନରେ ଅବହେଳା ହୁଏ ଜମା ଗ୍ରହଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରେ ଏକ ସଭାରେ ଯୋଗ ଦେଇ କହିଛନ୍ତି ।

ସଂଜୟର ପଲିଗ୍ରାଫ ଟେଷ୍ଟ ଶେଷ, ସନ୍ଦୀପଙ୍କ ଘରେ ଚଢାଉ

ଟ୍ରେନି ଡାକ୍ତର ଦୁଷ୍କର୍ମ ମାମଲାର ଯାଂଚ କରୁଥିବା ସିବିଆଇ ଅଭିଯୁକ୍ତ ସଂଜୟ ରୟର ପଲିଗ୍ରାଫ ଟେଷ୍ଟ ଶେଷ କରିଛି । ସଂଜୟ ସମେତ ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନସିପାଲ ଓ ଅନ୍ୟ ୫ ଜଣଙ୍କ ଉପରେ ପଲିଗ୍ରାଫ ଟେଷ୍ଟ କରିଛି ସିବିଆଇ । ଅପରାଧସ୍ଥଳରୁ ୪୦ ଆଇଟମ ଜବତ କରିଛି ସିବିଆଇ, ଯାହା କି ଯାଂଚରେ ସହାୟକ ହେବ । ଏଣେ ଆରଜି କର ମେଡିକାଲ କଲେଜ ଓ ହସପିଟାଲର ପୂର୍ବତନ ପ୍ରିନସିପାଲ ସନ୍ଦୀପ ଘୋଷଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ ଆରମ୍ଭ କରିଛି ସିବିଆଇ । ହସ୍ପିଟାଲର ଜଣେ ପୂର୍ବତନ ଡେପୁଟି ସୁପରିଟେଣ୍ଡେଂଟ୍ ଘୋଷଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରିଥିଲେ । ସିବିଆଇର ଏକ ଟିମ୍ ପୂର୍ବତନ ପ୍ରିନସିପାଲ୍ ଓ ଭାଇସ ପ୍ରିନସିପାଲଙ୍କ ବାସଭବନ ଓ ଅଫିସରେ ଚଢାଉ କରିଥିଲା । ୭ ଜଣ ସିବିଆଇ ଅଧିକାରୀ ସନ୍ଦୀପ ଘୋଷଙ୍କୁ ମାରାଥନ ଜେରା କରିଛନ୍ତି ।

ଟାର୍ଗେଟରେ କପିଲ ସିବଲ 

ଆରଜି କର ଘଟଣା ନେଇ ସୁପ୍ରିମକୋର୍ଟ ବାର୍ ଆସୋସିଏସନ-ଏସସିବିଏରେ ବିବାଦୀୟ ପରିସ୍ଥିତି ଦେଖାଦେଇଛି । ଏସସିବିଏର ସଭାପତି କପିଲ ସିବଲ ଆଗତ କରିଥିବା ଏକ ବିବାଦୀୟ ପ୍ରସ୍ତାବକୁ ଜୋରଦାର ବିରୋଧ କରାଯାଇଛି । ଏସସିବିଏର ପୂର୍ବତନ ସଭାପତି ଆଦିସ ଅଗ୍ରୱାଲା ସିବଲଙ୍କୁ ଟାର୍ଗେଟ କରିଛନ୍ତି । ଘଟଣାର ଗମ୍ଭୀରତାକୁ ଉପେକ୍ଷା କରିଛନ୍ତି ସିବଲ୍ । ନିଜ ପଦବୀର ଜରିଆରେ ତଦନ୍ତକୁ ପ୍ରଭାବିତ କରିବାକୁ କପିଲ ସିବଲ ଉଦ୍ୟମ କରୁଥିବା ଅଗ୍ରୱାଲା ଅଭିଯୋଗ କରିଛନ୍ତି । ସିବଲ ଆରଜି କର ଘଟଣାରେ ସୁପ୍ରିମକୋର୍ଟରେ ମମତା ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି ।

ରାସ୍ତାକୁ ଓହ୍ଲାଇଲେ ଟିଭି କଳାକାର

କୋଲକାତାରେ ଘଟଣା ବିରୋଧରେ ପ୍ରତିବାଦ ଓ ବିକ୍ଷୋଭ ଜାରି ରହିଛି । ବଙ୍ଗଳା ଟେଲିଭିଜନ ଇଣ୍ଡଷ୍ଟ୍ରିର କଳାକାରମାନେ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି । କଳାକାରଙ୍କ ସହ ଟେକ୍ନିସିଆନମାନେ ମଧ୍ୟ ବିକ୍ଷୋଭରେ ସାମିଲ ହୋଇଛନ୍ତି । ପ୍ରତିବାଦ ଶୋଭାଯାତ୍ରାରେ ପୀଡିତାଙ୍କ ବାପାମାଆ ମଧ୍ୟ ସାମିଲ ହେବେ । ନ୍ୟାୟ ଦାବିରେ ସେମାନେ ବିକ୍ଷୋଭରେ ସାମିଲ ହେବେ ବୋଲି ପୀଡିତାଙ୍କ ବାପା କହିଛନ୍ତି ।

Comments are closed.