Latest Odisha News

BREAKING NEWS

‘ଯୁବପିଢ଼ି ପାରମ୍ପରିକ ଖାଦ୍ୟ ପ୍ରତି ଆକୃଷ୍ଟ ହେଲେ ବିଲୁପ୍ତପ୍ରାୟ ଶସ୍ୟ ଗୁଡ଼ିକୁ ପୁନର୍ଜୀବିତ କରାଯାଇପାରିବ’

ଭୁବନେଶ୍ୱର: ଚଳିତ ନଭେମ୍ବର ୧୦ ତାରିଖରେ ଅନ୍ତର୍ଜାତୀୟ ଶ୍ରୀ-ଅନ୍ନ ସମ୍ମିଳନୀ ଅନୁଷ୍ଠିତ ହେବ । ସେନେଇ ଆଜି ଏକ ପ୍ରସ୍ତୁତି ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ହଜିଯାଉଥିବା ପାରମ୍ପରିକ ଖାଦ୍ୟ ଏବଂ ଗୁରୁତ୍ୱ ହରାଉଥିବା ଫସଲଗୁଡ଼ିକୁ ପ୍ରୋତ୍ସାହନ ଦେବା ଏହି ଅନ୍ତର୍ଜାତୀୟ ଶ୍ରୀ-ଅନ୍ନ (ମାଣ୍ଡିଆ) ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । ଏହା ସହ ଖାଦ୍ୟାଭାସରେ ନିରନ୍ତରତା ବଜାୟ ରଖିବା ସହ ଯୁବପିଢ଼ିଙ୍କୁ ପାରମ୍ପରିକ ଖାଦ୍ୟ ପ୍ରତି ଆକୃଷ୍ଟ କରାଯାଇପାରିଲେ ବିଲୁପ୍ତପ୍ରାୟ ଶସ୍ୟ ଗୁଡ଼ିକୁ ପୁନର୍ଜୀବିତ କରାଯାଇପାରିବ । ଏହା ଦ୍ୱାରା ଆମର କୃଷକମାନଙ୍କ ଆୟବୃଦ୍ଧି ସହ ଆମର ଖାଦ୍ୟ-ଐତିହ୍ୟର ସୁରକ୍ଷା ହୋଇପାରିବ ।

ସମ୍ମିଳନୀରେ ଓଡ଼ିଶାର ସବୁ ଜିଲ୍ଲାରୁ ଗୋଟିଏ କିମ୍ବା ତତୋଧିକ ପାରମ୍ପରିକ ଶସ୍ୟ/ପନିପରିବା/ଫଳ ବଛାଯାଇ ପ୍ରଦର୍ଶନ କରାଯିବ । ଏହା ଦ୍ୱାରା ସଂପୃକ୍ତ ଫଳ/ପନିପରିବାର ଚାହିଦା ବୃଦ୍ଧି ପାଇବ ଏବଂ ରାଜ୍ୟର ଚାଷୀଭାଇମାନେ ଚାଷ ପ୍ରତି ଆକୃଷ୍ଟ ହେବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପ୍ରତି ବ୍ଳକ୍‌, ଜିଲ୍ଲା ଓ ରାଜ୍ୟସ୍ତରରେ ଏହି ଦିବସକୁ ସଫଳତାର ସହ ପାଳନ ପାଇଁ ଢାଞ୍ଚା ପ୍ରସ୍ତୁତ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ମିଲେଟ୍‌ ସର୍ଭିସ୍‌ ସେଣ୍ଟର ଖୋଲାଯାଇ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟଦ୍ରବ୍ୟମାନ ପ୍ରଦର୍ଶନ ଓ ବିକ୍ରୟ କରାଯିବ । ଏହି ସର୍ଭିସ୍‌ ସେଣ୍ଟର ଖୋଲିବା ପାଇଁ ରାଜ୍ୟ ସରକାର ୮୦ ପ୍ରତିଶତ ରିହାତି ପ୍ରଦାନ କରୁଛନ୍ତି । ଓଡ଼ିଶାର ବଳଭଦ୍ର ଜୈବିକ ମିଶନ ଅଧିନରେ ଜୈବିକ ଚାଷ ଓ ଖାଦ୍ୟାନ୍ନ ଉପରେ ଗୁରୁତ୍ୱ ଦେବାକୁ ଡ. ପାଢ଼ୀ କହିଥିଲେ । ଭବିଷ୍ୟତରେ ଓଡ଼ିଶା ପାରମ୍ପରିକ କୃଷି ଐତିହ୍ୟରେ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ ବୋଲି ସେ ପ୍ରକାଶ କରିଥିଲେ ।

Comments are closed.