Latest Odisha News

ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ୨ଟି ପଦକ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ୨ଟି ପଦକ। ଚତୁର୍ଥ ଦିନରେ ୨ଟି ପଦକ ଜିତିଲେ ଭାରତୀୟ ଆଥଲେଟ୍। ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଜିତି ଇତିହାସ ରଚିଲେ ପ୍ରୀତି ପାଲ୍‌। ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରୀତିଙ୍କ ଏହା ଦ୍ବିତୀୟ ପଦକ। ସେହିପରି ୧୦୦ ମିଟର ଦୌଡ଼ରେ ବି ବ୍ରୋଞ୍ଜ ପଦକ ଜିତିଥିଲେ ପ୍ରୀତି। ପ୍ରଥମ ଭାରତୀୟ ମହିଳା ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍‌ ଭାବେ ପ୍ରୀତି ସଫଳତା ହାସଲ କରିଛନ୍ତି।

ଅନ୍ୟପଟେ ହାଇଜମ୍ପରେ ପୁଣି ରୌପ୍ୟ ଜିତିଲେ ନିଶାଦ କୁମାର। ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିଲେ ନିଶାଦ। ଏହା ସହ ଚଳିତ ସଂସ୍କରଣରେ ଆଥଲେଟିକ୍ସରୁ ଭାରତ ତୃତୀୟ ପଦକ ବିଜୟୀ ହୋଇଛି। ଆମେରିକାର ରୋଡ୍‌ରିକ୍‌ ଟାଉନ୍‌ସେଣ୍ଡ ୨.୦୨ ମିଟର ଉଚ୍ଚତା ଡେଇଁ ପ୍ରଥମ ସ୍ଥାନରେ ପହଞ୍ଚିଥିଲେ। ପରେ ନିଶାଦ ୨.୦୪ ମିଟର ଉଚ୍ଚ ଡେଇଁବା ପରେ ଉଭୟଙ୍କ ମଧ୍ୟରେ ମୁକାବିଲା ବେଶ ରୋଚକ ହୋଇଥିଲା। ଟାଉନସେଣ୍ଡ ୨.୦୪ ମିଟର ଛୁଇଁବା ପରେ ନିଶାଦ ୨.୦୬ ମିଟର ପ୍ରୟାସରେ ବିଫଳ ହୋଇଥିଲେ।

ପରବର୍ତ୍ତୀ ପ୍ରୟାସରେ ଟାଉନସେଣ୍ଡ ୨.୦୮ ମିଟର ଅତିକ୍ରମ କରିଥିଲେ। ନିଶାଦ ୨.୧୨ ମିଟର ଉଚ୍ଚତା ପାର କରିବାରେ ବିଫଳ ହୋଇଥିବା ବେଳେ ଅଲିମ୍ପିକ୍ସ ରେକର୍ଡ ସହିତ ଟାଉନସେଣ୍ଡ ୨.୧୨ ମିଟର ଉଚ୍ଚକୁ ଡେଇଁଥିଲେ। ନ୍ୟୁଟ୍ରାଲ ଆଥଲେଟ ଭାବରେ ଅଂଶଗ୍ରହଣ କରିଥିବା ଜର୍ଜି ମାର୍ଗେଭ୍‌ ୨.୦୦ ମିଟର ଉଚ୍ଚକୁ ଡେଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଭାରତୀୟ ରାମ ପାଲ ୧.୯୫ ମିଟର ଡେଇଁ ସପ୍ତମ ସ୍ଥାନରେ ରହିଥିଲେ। ଏହାକୁ ମିଶାଇ ଭାରତ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ ବ୍ରୋଞ୍ଜ ସହ ସମୁଦାୟ ୭ ପଦକ ହାସଲ କରିଛି।

 

Comments are closed.