Latest Odisha News

BREAKING NEWS

ବିଜେଡିର ‘ପୋଲାଭରମ୍’ ଅସ୍ତ୍ର

ଭୁବନେଶ୍ବର: ପୋଲାଭରମ ପ୍ରକଳ୍ପକୁ ଅସ୍ତ୍ର କରି ବିଜେପି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିଜେଡି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି ବିଜେଡିର ପୋଲାଭରମ ଟିମ। ପ୍ରକଳ୍ପ ଅଞ୍ଚଳରେ ବାସ୍ତବ ସ୍ଥିତି କଣ, ସେନେଇ ନବୀନଙ୍କୁ ଜଣାଇଛନ୍ତି। ପ୍ରକଳ୍ପ ଦ୍ୱାରା ମାଲକାନଗିରି ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡ଼ିଆ ବ୍ଲକର ୨୩୬ଟି ଗାଁର ଲୋକ କ୍ଷତିଗ୍ରସ୍ତ ହେବେ। ସେମାନଙ୍କର ଭିଟାମାଟି ଓ ଜୀବନ ଜୀବିକା ଉଜୁଡି ଯିବ । ମାଲକାନଗିରି ଜିଲ୍ଲାରେ ସାଧାରଣତଃ ଅଧିକ ବର୍ଷା ହୋଇଥାଏ । ତେଣୁ ପୋଲାଭରମ ପ୍ରକଳ୍ପ, ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଦଳ କହିଛନ୍ତି ।

ସରକାରଙ୍କୁ ଘେରିବ ବିଜେଡି

ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରିବ ବିଜେଡି । ସଂସଦରୁ ସଡ଼କ, ଜୋରଦାର ବିରୋଧ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ଦଳ । ସଂସଦ, ବିଧାନସଭା ତଥା ପଞ୍ଚାୟତସ୍ତରରେ ଦୃଢ଼ ବିରୋଧ ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷାକୁ ବିଜୁ ଜନତା ଦଳ ସବୁ ବେଳେ ପ୍ରାଥମିକତା ଦେଇଆସିଛି । ଆଦିବାସୀଙ୍କ ହକ ପାଇଁ ବିଜୁ ଜନତା ଦଳ ତାର ଲଢ଼େଇ ଜାରି ରଖିବ ବୋଲି ନବୀନ କହିଛନ୍ତି ।

ଆନ୍ଧ୍ରରେ ପ୍ରକଳ୍ପ ଓଡିଶାର କ୍ଷତି

ଆନ୍ଧ୍ରପ୍ରଦେଶରେ ପୋଲାଭରମ ପ୍ରକଳ୍ପ ହେଲେ ଓଡିଶା କ୍ଷତି ସହିବ। ମାଲକାନଗିରି ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡ଼ିଆ ବ୍ଲକର ୨୩୬ଟି ଗାଁର ଲୋକ କ୍ଷତିଗ୍ରସ୍ତ ହେବେ । ହଜାର ହଜାର ପରିବାର ଭିଟାମାଟି ଛାଡିପାରନ୍ତି । ୫ହଜାର ହେକ୍ଟର ସଂରକ୍ଷିତ ଜଙ୍ଗଲ ନଷ୍ଟ ହେବା ସହ ୧୦ହଜାର ହେକ୍ଟର ଚାଷଜମି ଜଳମଗ୍ନ ହେବ । ସେଥିପାଇଁ ପ୍ରଥମରୁ ହିଁ ପ୍ରକଳ୍ପକୁ ଓଡିଶା ବିରୋଧ କରିଆସୁଛି । ଛତିଶଗଡ ଓ ତେଲେଙ୍ଗାନା ମଧ୍ୟ ପ୍ରକଳ୍ପକୁ ବିରୋଧ କରୁଛନ୍ତି । ଗୋଦାବରୀର ପଛୁଆ ପାଣି ମୋଟୁକୁ ବୁଡାଉଥିବା ବେଳେ ପୋଲାଭରମ ପ୍ରକଳ୍ପକୁ ନେଇ ସ୍ଥାନୀୟଲୋକେ ପ୍ରମାଦ ଗଣିଲେଣି। ପ୍ରକଳ୍ପ ବିରୋଧରେ ବିଜେଡି ନିଜ ସ୍ବର ଜୋରଦାର କରିବ ।

କେନ୍ଦ୍ର ବଜେଟରେ ପୋଲାଭରମ ପାଇଁ ଆନ୍ଧ୍ରକୁ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଘୋଷଣା ହେବା ପରଠୁ ତେଜିଛି ରାଜ୍ୟ ରାଜନୀତି । ପ୍ରକଳ୍ପ କାମ ଶୀଘ୍ର ସାରିବାକୁ କୁହାଯିବା ପରେ ଉଭୟ ବିଜେଡି ଓ କଂଗ୍ରେସ ଏହାକୁ ବିରୋଧ କରିଥିଲେ । ପରେ ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯାଇଥିବା ବେଳେ ଦିଲ୍ଲୀରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭେଟିଥିଲେ । କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାର, ରାଜ୍ୟରେ ବିଜେପି ସରକାର ଓ ଆନ୍ଧ୍ରପ୍ରଦେଶରେ ବିଜେପିର ମେଣ୍ଟ ସହଯୋଗୀ ଟିଡିପି କ୍ଷମତାରେ ରହିଛି । ତେଣୁ ପୋଲାଭରମ ପ୍ରସଙ୍ଗକୁ ଅସ୍ତ୍ର କଲେ ବିଜେଡି ଉଭୟ କେନ୍ଦ୍ର ଓ ରାଜ୍ୟକୁ ଏକାସାଙ୍ଗରେ ଟାର୍ଗେଟ୍ କରିପାରିବ। ଜନତାଙ୍କ ପାଇଁ ସ୍ବର ଉଠାଇବା ସହ ପୁଣି ବିଶ୍ବାସ ଜିତିପାରିବ। ତେଣୁ ପୋଲାଭରମକୁ ଅସ୍ତ୍ର କରି ବିଜେପି ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି ।

 

Comments are closed.