Latest Odisha News

ରାଜ୍ୟରେ ୬ ହଜାର ମୁହାଁ ଡେଙ୍ଗୁ ସଂକ୍ରମଣ, ୨୪ ଘଣ୍ଟାରେ ୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଏବେ କାୟା ବିସ୍ତାର କରିଛି ଡେଙ୍ଗୁ ଜ୍ବର । ଯାହାକୁ ନେଇ ଭୟବୀତ ଅଛନ୍ତି ଲୋକେ । ବର୍ତ୍ତମାନ ସୁଦ୍ଧା ୬ ହଜାର ଛୁଇଁଛି ରୋଗୀଙ୍କ ସଂଖ୍ୟା । ଏଭଳି ପରିସ୍ଥିତିରେ ରାଜ୍ୟରେ ଡେଙ୍ଗୁ ପରୀକ୍ଷା ପାଇଁ କିଟ୍‌ର ଅଭାବ ଦେଖା ଦେଇଛି । ପୁଣି ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହି ସଂକ୍ରମଣ ଜାରି ରହିପାରେ ବୋଲି ସୂଚନା ରହିଛି ।

ରାଜ୍ୟ ଔଷଧ ନିଗମର ଷ୍ଟକ୍‌ ରିପୋର୍ଟରେ ଜିଲ୍ଲା ଓ ରାଜ୍ୟସ୍ତରରେ ପରୀକ୍ଷା ପାଇଁ ଆବଶ୍ୟକ କିଟ୍‌ ନାହିଁ । ତେଣୁ ଜିଲ୍ଲା ଗୁଡିକ ଡେଙ୍ଗୁ ପରୀକ୍ଷା ପାଇଁ ଏନଏସ୧ ଏଲିସା କିଟ୍‌ କିଣିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ରାଜ୍ୟ ସ୍ବାସ୍ଥ୍ୟସେବା ନି‌ର୍ଦ୍ଦେଶକ ଆଜି ଏ ସଂକ୍ରାନ୍ତରେ ଏକ ପତ୍ର ଲେଖିଛନ୍ତି ।

ଆସନ୍ତା ଏକ ମାସ ପାଇଁ ଜିଲ୍ଲା ମେଡିକାଲ କଲେଜ ଅଧୀକ୍ଷକ ନିଜ ନିଜ ସ୍ତରରେ ଏହି କିଟ୍‌ କିଣିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଔଷଧ ନିଗମ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର କିଟ୍‌ ଯୋଗାଣ ନ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ । ଏଥିପାଇଁ ଆବଶ୍ୟକ ଅର୍ଥ ହସ୍ପିଟାଲମାନଙ୍କୁ ଦିଆଯାଉଥିବା ୧୦ ପ୍ରତିଶତ ଅର୍ଥରୁ ଭରଣା କରାଯିବ । ଏହାସହ ନିର୍ଦ୍ଦେଶାବଳୀ ଅନୁଯାୟୀ ଡେଙ୍ଗୁ ପରୀକ୍ଷା ପାଇଁ ଆଇଜିଏମ୍‌ କିଟ୍‌ (ଏନ୍‌ଆଇଭି ପୁନେ) ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୮୨୬ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୫୨ ଜଣ ନୂଆ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସୁନ୍ଦରଗଡ଼ରେ ସର୍ବାଧିକ ୧୮୬୭ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପରେ ଖୋର୍ଦ୍ଧା ୧୧୩୪, ବାଲେଶ୍ବର ୪୦୧, କଟକ ୩୪୦, ମୟୂରଭଞ୍ଜ ୨୬୭, ଭଦ୍ରକ ୨୧୦, ଯାଜପୁର ୧୯୨, ପୁରୀ ୧୪୩, ନୟାଗଡ଼ ୧୨୬, ବଲାଙ୍ଗୀର ୧୧୭, ରାୟଗଡ଼ା ୧୧୬, ‌ଜଗତସିଂହପୁର ୧୦୬ ଓ କେନ୍ଦୁଝରରେ ୧୦୪ ରୋଗୀ ଚିହ୍ନଟ ହୋଇଛନ୍ତି । ଦେବଗଡ଼ରେ ସର୍ବନିମ୍ନ ୩ଜଣ ଆକ୍ରାନ୍ତ ବାହାରିଛନ୍ତି । ରାଜ୍ୟରେ ଡେଙ୍ଗୁ ନମୁନା ପରୀକ୍ଷା ସଂଖ୍ୟା ୧ଲକ୍ଷ ଟପିଛି ।

Leave A Reply

Your email address will not be published.