Latest Odisha News

BREAKING NEWS

ହିଜବୋଲ୍ଲାର ନିଦ ହଜାଇଦେଲାଣି ଇସ୍ରାଏଲ

ନୂଆଦିଲ୍ଲୀ: ପେଜର ଓ ୱାକିଟକି ବିସ୍ଫୋରଣ ପରେ ଲେବାନନରେ ଭୟ ଓ ଆକ୍ରୋଶର ବାତାବରଣ । ଇସ୍ରାଏଲ ବିରୋଧୀ ମିଲିସିଆ ହିଜବୋଲ୍ଲା ପ୍ରତିଶୋଧ ପାଇଁ ଯୋଜନା କରୁଥିବା ବେଳେ ଇସ୍ରାଏଲ କରିଛି ଅତର୍କିତ ବୋମା ମାଡ । ଶତ୍ରୁ ପକ୍ଷକୁ କୌଣସି ସୁଯୋଗ ନ ଦେଇ ୧ ହଜାରରୁ ଅଧିକ ରକେଟ ମାଡ କରିଛି ଇସ୍ରାଏଲ । ହିଜବୋଲ୍ଲାକୁ ପୁନଃସଂଗଠିତ ହେବାକୁ ସୁଯୋଗ ଦେଇନାହିଁ ଇସ୍ରାଏଲ୍ । ଇସ୍ରାଏଲର ଏହି ଆକ୍ରମଣ ଯୋଗୁଁ ସଂଗୀନ ହୋଇଛି ମଧ୍ୟପ୍ରାଚ୍ୟ ସ୍ଥିତି ।

ହିଜବୋଲ୍ଲା ମୁଖ୍ୟଙ୍କ ସମ୍ବୋଧନ ବେଳେ ଲେବାନନରେ ରକେଟ୍ ମାଡ

ଲେବାନନରେ ହିଜବୋଲ୍ଲାର କମ୍ୟୁନିକେସନ ନେଟୱର୍କକୁ ଟାର୍ଗେଟ କରି ଇସ୍ରାଏଲର ପେଜର ଓ ୱାକିଟକି ବିସ୍ଫୋରଣ ନେଇ ଚର୍ଚ୍ଚା ଥମିନାହିଁ । ଜବାବୀ ଆକ୍ରମଣ ପାଇଁ ଇସ୍ରାଏଲକୁ କୌଣସି ସୁଯୋଗ ଦେଇନାହିଁ ଇସ୍ରାଏଲ୍ । ହିଜବୋଲ୍ଲା ମୁଖ୍ୟ ନସରଲ୍ଲା ଲେବାନନବାସୀଙ୍କୁ ସମ୍ବୋଧନ କରି ପ୍ରତିଶୋଧ କଥା କହୁଥିବା ବେଳେ ବଡ ଧରଣର ରକେଟ୍ ଆକ୍ରମଣ କରିଛି ଇସ୍ରାଏଲ୍ । ଇସ୍ରାଏଲ ଡିଫେନ୍ସ ଫୋର୍ସ-ଆଇଡିଏଫ ପକ୍ଷରୁ ଦକ୍ଷିଣ ଲେବାନନରେ ହିଜବୋଲ୍ଲାର ଆଡ୍ଡାକୁ ଟାର୍ଗେଟ କରାଯାଇଛି । ହିଜବୋଲ୍ଲାର ଶତାଧିକ ରକେଟ ଲଂଚର ବ୍ୟାରେଲକୁ ଧ୍ୱଂସ କରିଛି ଇସ୍ରାଏଲ ସେନା । ଏସବୁ ରକେଟ ଲଂଚର ଇସ୍ରାଏଲୀ ଅଂଚଳରେ ବିସ୍ଫୋରଣ ପାଇଁ ବ୍ୟବହାର କରିଥାଆନ୍ତା ହିଜବୋଲ୍ଲା ।

ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଶଙ୍କାରେ ମଧ୍ୟପ୍ରାଚ୍ୟ

ଲେବାନନରେ ସକ୍ରିୟ ଇରାନ ସମର୍ଥିତ ହିଜବୋଲ୍ଲାର ସଂଚାର ସଂରଜାମରେ ସିରିଆଲ୍ ବିସ୍ଫୋରଣ ଯୋଗୁଁ ୩୭ ଜଣଙ୍କର ମୃତ୍ୟୁ ହେବା ସହ ୩ ହଜାରରୁ ଅଧିକ ଆହତ ହୋଇଛନ୍ତି । ଲେବାନରରେ ଗତ ମଙ୍ଗଳବାର ପେଜର ଓ ବୁଧବାର ୱାକିଟକି ଭଳି ଡିଭାଇସରେ ସିରିଆଲ ବିସ୍ଫୋରଣ ହୋଇଥିଲା । ହିଜବୋଲ୍ଲାକୁ ଟାର୍ଗେଟ କରି ଏଭଳି ବିସ୍ଫୋରଣ ହୋଇଥିଲେ ମଧ୍ୟ ଶତାଧିକ ସାଧାରଣ ନାଗରିକ ମୃତାହତ ହୋଇଛନ୍ତି । ଲେବାନନରେ ଇରାନର ରାଷ୍ଟ୍ରଦୂତ ମଧ୍ୟ ବିସ୍ଫୋରଣରେ ଆହତ ହୋଇଛନ୍ତି । ହିଜବୋଲ୍ଲା ଏହି ବିସ୍ଫୋରଣ ପାଇଁ ଇସ୍ରାଏଲକୁ ଦାୟୀ କରିଛି । କିନ୍ତୁ ଇସ୍ରାଏଲ୍ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇନାହିଁ । ଇରାନ, ସିରିଆ, ଇରାକ ଓ ତୁର୍କୀ ବିସ୍ଫୋରଣ ପାଇଁ ଇସ୍ରାଏଲକୁ ଦାୟୀ କରି ଚେତାବନୀ ଦେଇଛନ୍ତି । ମଧ୍ୟପ୍ରାଚ୍ୟରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଲାଗିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଇସ୍ରାଏଲ ଯୁଦ୍ଧର ଏକ ନୂଆ ପର୍ଯ୍ୟାୟରେ ପହଂଚିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ଗତବର୍ଷ ଅକ୍ଟୋବରରେ ଇସ୍ରାଏଲ ସୀମା ଅତିକ୍ରମ କରି ଆକ୍ରମଣ କରିଥିଲା ହମାସ । ସେହିଦିନଠାରୁ ହମାସ ବିରୋଧରେ ଲଢେଇ ଜାରି ରଖିଛି ଇସ୍ରାଏଲ । ଏବେ ହିଜବୋଲ୍ଲାକୁ ଟାର୍ଗେଟ କରି ପେଜର ଓ ୱାକିଟକି ବିସ୍ଫୋରଣ କରି ନୂଆ ମୋର୍ଚ୍ଚା ଖୋଲିଛି ଇସ୍ରାଏଲ୍, ଯାହା କି ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଶଙ୍କା ସୃଷ୍ଟି କରିଛି । ଇସ୍ରାଏଲର ପଦକ୍ଷେପ ଇରାନର ଆକ୍ରୋଶ ବଢାଇଛି ।

ତାଇୱାନ ମନ୍ତ୍ରୀଙ୍କ ପ୍ରତ୍ୟାଖ୍ୟାନ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ମଧ୍ୟରେ ଲେବାନନରେ ବିସ୍ଫୋରଣ ହୋଇଥିବା ପେଜରକୁ ନେଇ ଚର୍ଚ୍ଚା ଥମୁନାହିଁ । ପେଜରରେ ଲାଗିଥିବା ଉପକରଣ ତାଇୱାନ ନିର୍ମିତ ନୁହେଁ ବୋଲି ସେ ଦେଶର ଅର୍ଥ ମନ୍ତ୍ରୀ ସଂସଦକୁ ଜଣାଇଛନ୍ତି । ହିଜବୋଲ୍ଲାଠାରୁ ପେଜର ଅର୍ଡର ପାଇଥିବା ଗୋଲ୍ଡ ଆପୋଲୋ କମ୍ପାନୀ ସନ୍ଦେହ ଘେରରେ ରହିଛି । କଂପାନୀର ପ୍ରତିଷ୍ଠାତାଙ୍କୁ ତାଇୱାନ ଅଧିକାରୀମାନେ ପଚରାଉଚରା କରୁଛନ୍ତି । ଲେବାନନରେ ବିସ୍ଫୋରଣ ହୋଇଥିବା ପେଜର ନିର୍ମାଣ କରିନାହିଁ ବୋଲି ଗୋଲ୍ଡ ଆପୋଲୋ କମ୍ପାନି କହିଛି । ହଙ୍ଗେରୀର ବିଏସି କନସଲଟିଂ ନାମକ ଏକ କଂପାନି ପେଜର ନିର୍ମାଣ କରିଥିଲା । ସେହି କଂପାନିକୁ ଗୋଲ୍ଡ ଆପୋଲୋର ଲୋଗୋ ବ୍ୟବହାର ପାଇଁ ଅନୁମତି ମିଳିଥିଲା ।

Leave A Reply

Your email address will not be published.