Latest Odisha News

BREAKING NEWS

ମୁଁ ଆଉ କିଛି ଭାବୁଥିଲି, କିନ୍ତୁ ଭାଗ୍ୟ ମୋତେ ରାଜନୀତିକୁ ଆଣିଲା: ମୋଦୀ

ନୂଆଦିଲ୍ଲୀ: ଗତକାଲି ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରବାସୀ ଭାରତୀୟ ମାନଙ୍କୁ ସମ୍ବୋଧନ କରିବା ବେଳେ କହିଛନ୍ତି ଯେ, ମୋତେ ମୋ ଭାଗ୍ୟ ରାଜନୀତି ପର୍ଯ୍ୟନ୍ତ ପହଞ୍ଚାଇଛି । ମୁଁ କେବେ ହେଲେ ଭାବିନଥିଲି ଯେ ମୁଁ ଦିନେ ମୁଖ୍ୟମନ୍ତ୍ରୀ ହେବି । ମୁଁ ମୋ ଜୀବନରେ ଏମିତି କିଛି ସମୟ ଦେଇ ଗତି କରିଛି ଯେତେବେଳେ ମୋର ଖାଇବା ଶୋଇବାର କୌଣସି ନିର୍ଦ୍ଧିଷ୍ଟ ଠିକଣା ନଥିଲା । ଯେତେବେଳେ ଯେଉଁଠି ଯାହା ମିଳୁଥିଲା ଖାଉଥିଲି, ଯେଉଁଠି ଶୋଇବାକୁ ମିଳୁଥିଲା ସେଠି ଶୋଇପଡୁଥିଲି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଦିନେ ଏପରି ଏକ ସମୟ ଥିଲା ଯେତେବେଳେ ମୁଁ କେବଳ କିଛି ହେବାକୁ ଚେଷ୍ଟା କରୁଥିଲି । କିନ୍ତୁ ମୋ ଭାଗ୍ୟ ମୋତେ ରାଜନୀତି ପର୍ଯ୍ୟନ୍ତ ପହଞ୍ଚାଇଦେଲା । ମୁଁ କେବେ ଭାବିନଥିଲି ଯେ ଦିନେ ମୁଁ ମୁଖ୍ୟମନ୍ତ୍ରୀ ତା’ପରେ ପ୍ରଧାନମନ୍ତ୍ରୀ ହେବି । ୧୩ ବର୍ଷ ଧରି ମୁଁ ମୁଖ୍ୟମନ୍ତ୍ରୀ ପଦରେ ଥିଲି । ତା’ପରେ ପ୍ରଧାନମନ୍ତ୍ରୀ ହେଲି । ଦେଶର ଜନତା ଅନେକ ଭରଷାର ସହ ମୋତେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ କରିଛନ୍ତି । ଆଉ ଏବେ ମୁଁ ତିନି ଗୁଣା ଅଧିକ ଦାୟିତ୍ଵର ସହ ଆଗକୁ ଯାଉଛି ।

ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି ଯେ, ଏଣିକି ‘ନମସ୍ତେ’ ବି ଲୋକାଲରୁ ଗ୍ଲୋବାଲ ହୋଇଗଲାଣି । ଆପଣଙ୍କ ଭଲ ପାଇବା ମୋ ପାଇଁ ସବୁଠୁ ବଡ଼ ସୌଭାଗ୍ୟ । ଯେତେଥର ଆମେରିକା ଆସିଛି, ମୋତେ ଏଠାରୁ ଅପାର ସ୍ନେହ ମିଳିଛି । ଏହି ମୂଲ୍ୟବୋଧ ହିଁ ଆମକୁ ବିଶ୍ବବନ୍ଧୁ କରିଛି । ମୋ ପାଇଁ ଏଆଇର ଅର୍ଥ, ଆମେରିକାନ୍-ଇଣ୍ଡିଆନ୍ । ଆମେରିକା ଇଣ୍ଡିଆ ବିଶ୍ବର ନୂଆ ଏଆଇ ଶକ୍ତି । ତୃତୀୟ ଥର ପାଇଁ ଆମ ସରକାର ନିର୍ବାଚିତ ହୋଇଛନ୍ତି । ଆମକୁ ବଡ଼ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ । ସମୃଦ୍ଧ ଭାରତ ପାଇଁ ମୋ ଜୀବନ ସମର୍ପିତ । ଆଜି ୨୩ ସହରରେ ମେଟ୍ରୋ, ୧୪୦ରୁ ଅଧିକ ସହରରେ ଏୟାରପୋର୍ଟ ଅଛି । ଦେଶରେ ୩୧ କୋଟି ଏଲପିଜି ଗ୍ରାହକ ଅଛନ୍ତି । ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ମିଳିଛି । ପୁରୁଣା ଚିନ୍ତାଧାରା ବଦଳାଇଲୁ, ଗରିବଙ୍କୁ ସଶକ୍ତ କରିବାକୁ ଗୁରୁତ୍ବ ଦେଲୁ ବୋଲି କହିଛନ୍ତି ମୋଦୀ ।

ମୋଦୀ ଆହୁରି କହିଛନ୍ତି ଯେ, ଭାରତ ଆଉ ସୁଯୋଗକୁ ଅପେକ୍ଷା କରୁନି, ସୁଯୋଗ ସୃଷ୍ଟି କରୁଛି । ଆମେ ମହିଳା ଆଧାରିତ ବିକାଶ ଉପରେ ଗୁରୁତ୍ବ ଦେଲୁ । ହଜାର ହଜାର ମହିଳାଙ୍କୁ ଡ୍ରୋନ୍ ପାଇଲଟ କରାଯାଉଛି । ଭାରତର ୫ଜି ବଜାର ଆମେରିକା ଠାରୁ ମଧ୍ୟ ବଡ଼ । ଆଜି ଭାରତ ୬ଜି ଉପରେ କାମ କରୁଛି । ମେଡ୍ ଇନ୍ ଇଣ୍ଡିଆ ଆଜି ବିଶ୍ବର ସବୁଠୁ ବଡ଼ ବ୍ରାଣ୍ଡ ଭାବେ ଉଭା ହୋଇଛି । ଦେଶର ୟୁପିଆଇ ପୂରା ବିଶ୍ବକୁ ଆକର୍ଷିତ କରୁଛି । କେବଳ ସେତିକି ନୁହେଁ ଏକବିଂଶ ଶତାବ୍ଦୀର ଭାରତ ଏବେ ଶିକ୍ଷା, ସ୍କିଲ ସହଯୋଗରେ ଆଗକୁ ବଢୁଛି । ଗତ ୧୦ ବର୍ଷରେ ଆଇଆଇଟି ସଂଖ୍ୟା ୯ରୁ ବଢ଼ି ୨୫ରେ ପହଞ୍ଚିଛି । କରୋନା ସମୟରେ ଭାରତ ୧୫୦ ଦେଶକୁ ଔଷଧ ଓ ଟିକା ପଠାଇଛି ବୋଲି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି କହିଛନ୍ତି ମୋଦୀ ।

Leave A Reply

Your email address will not be published.