Latest Odisha News

କ୍ୟାପିଟାଲ ହସ୍ପିଟାଲରେ ପଡିରହିଛି ଅଳିଆ, କୁଆଡେ ଗଲେ ସଫେଇ କର୍ମଚାରୀ?

ଭୁବନେଶ୍ବର: ଭୁବନେଶ୍ବର ପ୍ରମୁଖ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ । ଯେଉଁଠିକି ଦୈନିକ ଶହ ଶହ ରୋଗୀ ଆସନ୍ତି । ହେଲେ ଏବେ ସେଠି ନାକ ଦେଇହଉନି । ଯେଉଁଠି ଦେଖ ପଡିରହିଛି ଅଳିଆ, ସିରିଞ୍ଜ । ଡଷ୍ଟବିନ୍ ପୂରିଗଲାଣି । ଅଳିଆରୁ ଗନ୍ଧ ବି ଆସିଲାଣି । ସେଠି ସେମିତି ଅସ୍ବାସ୍ଥ୍ୟକର ପରିବେଶ ଭିତରେ ରୋଗୀଙ୍କୁ ଦେଖୁଛନ୍ତି ଡାକ୍ତର ଓ ନର୍ସ । କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ ଏପରି ପରିସ୍ଥିତି କାହିଁକି ଉପୁଜିଲା ? କାହିଁକି କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀ ମାନେ ଏହାକୁ ସଫା କରିନାହାନ୍ତି ?

ବାସ୍ତବରେ କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ । ଯାହାଫଳରେ ହସ୍ପିଟାଲରେ ସଫେଇ କାମ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଫଳରେ ଦୁର୍ଗନ୍ଧ ଓ ଅପରିଷ୍କାର ପରିବେଶ ଭିତରେ ଚାଲିଛି ରୋଗୀ ସେବା ।

ତେବେ ଗତକାଲି ଠାରୁ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀମାନେ ଆନ୍ଦୋଳନରେ ବସିଛନ୍ତି । ପୂଜା ବୋନସ୍ ସହ ୨୬ ଦିନ ବଦଳରେ ୩୦ ଦିନ ଦରମା ଦାବିରେ ସେମାନେ ଆନ୍ଦୋଳନରେ ବସିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଏଥର ତାଙ୍କୁ ୩୦ ଦିନ ବଦଳରେ ୨୬ ଦିନର ଦରମା ମିଳିଛି । ଯାହାକୁ ନେଇ ସେମାନେ ଆଉ ୪ ଦିନରେ ଦରମା ଦେବା ପାଇଁ ଦାବି କରିଛନ୍ତି ।

ସେପଟେ ଘଟଣାକୁ ନେଇ ସଫେଇ କର୍ମଚାରୀ ଯୋଗାଇ ଦେଇଥିବା ଠିକା ସଂସ୍ଥାକୁ ଚିଠି ଲେଖିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ଯଥାଶୀଘ୍ର ଏହି ଘଟଣାର ସମାଧାନ କର ବୋଲି ଚିଠିରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.