Latest Odisha News

BREAKING NEWS

ମାସେ ପରେ ନିଦ ଭାଙ୍ଗିଲା !

ଭୁବନେଶ୍ବର: ନେଇଗଲା ମହାରାଷ୍ଟ୍ର, ଚାହିଁ ଜଳକା ଓଡିଶା। ରାଜ୍ୟ ହାତରୁ ଖସିଗଲା ଜେଏସଡବ୍ଲୁ ଇଭି ପ୍ରକଳ୍ପ। ଅଗଷ୍ଟ ୨୨ତାରିଖରେ ଏନେଇ ଖବର ପ୍ରକାଶ କରିଥିଲା ଓଡିଶା ସମ୍ବାଦ । ଜେଏସଡବ୍ଲୁ ଗ୍ରୁପ ମହାରାଷ୍ଟ୍ରରେ ଇଭି ଓ ବ୍ୟାଟେରୀ ପ୍ଲାଣ୍ଟ ନେଇ ୫୨ହଜାର ୨ଶହ କୋଟି ଟଙ୍କା ନିବେଶ କରିବା ସଂପର୍କିତ ରିପୋର୍ଟ ପ୍ରକାଶ କରିଥିଲା । ଇଭି କମ୍ପାନୀ ଓଡିଶାରୁ ମହାରାଷ୍ଟ୍ର ସ୍ଥାନାନ୍ତର ହେବା ନେଇ ରିପୋର୍ଟ ପ୍ରକାଶ କରିଥିଲା ଓଡିଶା ସମ୍ବାଦ । ହେଲେ ନା ସରକାର ନା ଅନ୍ୟ କୌଣସି ଗଣମାଧ୍ୟମ, କେହି ବି ଇଭି କମ୍ପାନୀ ସ୍ଥାନାନ୍ତର ଭଳି ଖବରକୁ ଗୁରୁତ୍ବ ଦେଇନଥିଲେ । ଏପରିକି ବିରୋଧୀ ବିଜେଡି କି କଂଗ୍ରେସ ବି ପ୍ରସଙ୍ଗକୁ ଗୁରୁତ୍ବ ଦେଇ ବିଧାନସଭାରେ ଉଠାଇଲେନି । ଏବେ ଜାତୀୟ ଗଣମାଧ୍ୟମରେ ସମାନ ରିପୋର୍ଟ ପ୍ରକାଶ ପାଇବା ପରେ ଚେତା ପଶିଛି । ହେଲେ ଫଳ କିଛି ହେବନି । କାରଣ ଓଡିଶା ଛାଡି ମହାରାଷ୍ଟ୍ରରେ ଇଭି କାରଖାନା କରିବାକୁ ନିଷ୍ପତ୍ତି ନେଇସାରିଲାଣି ଜେଏସଡବ୍ଲୁ।

ରଖିପାରିଲାନି ଓଡିଶା ନେଇଗଲା ମହାରାଷ୍ଟ୍ର !

ପୂର୍ବ ବିଜେଡି ସରକାର ବେଳେ କଟକ ନରାଜରେ ବିଶ୍ବର ସର୍ବବୃହତ ଇଲେକ୍ଟ୍ରିକ୍ ଯାନ କାରଖାନା ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଥିଲା। ରାଜ୍ୟରେ ବିଦ୍ୟୁତ ଚାଳିତ ଗାଡି ଓ ବ୍ୟାଟେରୀ ନିର୍ମାଣ କାରଖାନା କରିବା ନେଇ ସେତେବେଳର ରାଜ୍ୟ ସରକାର ଓ ଜେଏସଡବ୍ଲୁ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ହେଲେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରକଳ୍ପ ନେଇ ଅନିଶ୍ଚିତତା ଲାଗି ରହିଥିଲା । ଏପରିକି ଜେଏସଡବ୍ଲୁ ଗ୍ରୁପ ମହାରାଷ୍ଟ୍ରରେ ଇଭି ଓ ବ୍ୟାଟେରୀ ପ୍ଲାଣ୍ଟ ନେଇ ୫୨ହଜାର ୨ଶହ କୋଟି ଟଙ୍କା ନିବେଶ କରିବା ଖବର ଆଶଙ୍କା ବଢାଇଥିଲା। ଶେଷରେ ଓଡିଶା ନୁହେଁ ମହାରାଷ୍ଟ୍ରକୁ ଜେଏସଡବ୍ଲୁ ବାଛିଥିବା ଜଣାପଡିଛି । ତେବେ ଜେଏସଡବ୍ଲୁ ଓଡିଶା ଛାଡିବା ନେଇ କିଛି ଫାଇନାଲ୍ ହୋଇନଥିବା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ।

ରାଜ୍ୟ କୋର୍ଟକୁ ବଲ୍ ଫିଙ୍ଗିଲା ଜେଏସଡବ୍ଲୁ

ଓଡିଶାରୁ ଇଭି ପ୍ରକଳ୍ପ ମହାରାଷ୍ଟ୍ର ସ୍ଥାନାନ୍ତର ନେଇ ଶିଳ୍ପ ମନ୍ତ୍ରୀଙ୍କ ପାଖରେ ସୂଚନା ନାହିଁ । ସେପଟେ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଛି ଜେଏସଡବ୍ଲୁ । ଜମି ଦେଲେ ପ୍ଲାଣ୍ଟ କରିବେ, ହେଲେ ଏଯାଏଁ ଜମି ମିଳିନଥିବା ଜେଏସଡବ୍ଲୁର ବରିଷ୍ଠ ଅଧିକାରୀ କହିଛନ୍ତି । ରାଜ୍ୟ ସରକାର ଜମି ଅଧିଗ୍ରହଣ କରିଦେଲେ ପ୍ଲାଣ୍ଟ କରିବେ । ଜମି ମିଳିବାର ୨ବର୍ଷ ମଧ୍ୟରେ ଇଭି ଉତ୍ପାଦନ ଆରମ୍ଭ ହେବ ବୋଲି ଜେଏସଡବ୍ଲୁ ପକ୍ଷରୁ କୁହାଯାଇଛି ।

ଇଭି ପ୍ରକଳ୍ପ ଦେଇଥାନ୍ତା ବମ୍ପର ନିଯୁକ୍ତି

ଜେଏସଡବ୍ଲୁ ବୈଦ୍ୟୁତିକ ଯାନ ଓ ବ୍ୟାଟେରୀ ନିର୍ମାଣ କାରଖାନା ହୋଇଥିଲେ ରାଜ୍ୟରେ ବୈଷୟିକ କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ ହୋଇଥାନ୍ତା। ଓଡିଶାରେ ବିଶ୍ବର ସର୍ବବୃହତ ବ୍ୟାଟେରୀ ପ୍ରସ୍ତୁତ କାରଖାନା ନିର୍ମାଣ କରିଥାନ୍ତା ଜେଏସଡବ୍ଲୁ। ପ୍ରକଳ୍ପ ପାଇଁ ୪୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିଥାନ୍ତା । ପ୍ରକଳ୍ପ ହୋଇଥିଲେ ୪ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିଥାନ୍ତା। ପ୍ରକଳ୍ପ ହାତଛଡା ହେବା ସହ ବମ୍ପର ନିଯୁକ୍ତି ସୁଯୋଗ ହରାଇଛନ୍ତି ରାଜ୍ୟବାସୀ। ଖାଲି ସେତିକି ନୁହେଁ ରାଜ୍ୟ ଶିଳ୍ପ ବିକାଶ କ୍ଷେତ୍ରରେ ବଡ ସୁଯୋଗ ହାତରୁ ଖସିଯାଇଛି ।

ହାତଛଡା ହେଲା ବଡ ଶିଳ୍ପ ସୁଯୋଗ

ଚଳିତ ବର୍ଷ ଫେବ୍ରୁଆରୀରେ ତତ୍କାଳୀନ ବିଜେଡି ସରକାର ସହ ଏମଓୟୁ କରିଥିଲା ଜେଏସଡବ୍ଲୁ । କଟକରେ ଇଭି କାରଖାନା ଓ ପାରାଦୀପରେ ବିଦ୍ୟୁତ ଯାନ ବ୍ୟାଟେରୀ ସହ ଅନ୍ୟ ଉପକରଣ ନିର୍ମାଣ ପାଇଁ କାରଖାନା କରିବାକୁ ଜେଏସଡବ୍ଲୁ ସହ ଏମଓୟୁ ସ୍ବାକ୍ଷର କରିଥିଲେ। ତେବେ ଓଡିଶାରେ ଇଭି ଓ ବ୍ୟାଟେରୀ କାରଖାନା କରିବାକୁ ଯୋଜନା କରିଥିବା ଜେଏସଡବ୍ଲୁ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ସମାନ କାରଖାନା କରିବାକୁ ଯାଉଛି । ମହାରାଷ୍ଟ୍ରରେ ୫୨ହଜାର ୨ଶହ କୋଟି ନିବେଶ କରିବାକୁ ଯାଉଛି ଜେଏସଡବ୍ଲୁ ଗ୍ରୁପ୍ । ଏନେଇ ପ୍ରଥମେ ଖବର ଓଡିଶା ସମ୍ବାଦରେ ପ୍ରସାରିତ ହୋଇଥିଲା । ହେଲେ ବିଜେପି ସରକାରର ସକ୍ରିୟତା ଅଭାବରୁ ଓଡିଶା ହାତରୁ ବଡ ଶିଳ୍ପ ସୁଯୋଗ ହାତଛଡା ହୋଇଯାଇଛି ।

Leave A Reply

Your email address will not be published.