Latest Odisha News

କେବଳ ପଞ୍ଜାବରେ ରିଲିଜ୍ ହେବ ପାକିସ୍ତାନର ‘ବାହୁବଳୀ’

ନୂଆଦିଲ୍ଲୀ: ପାକିସ୍ତାନର ଅଲ୍ ଟାଇମ ବ୍ଲକବଷ୍ଟର ଫିଲ୍ମ ଦି ଲିଜେଣ୍ଡ ଅଫ୍ ମୌଲା ଜାଟ୍‌କୁ ନେଇ ଏବେ ଭାରତୀୟ ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା। ୨୦୨୨ରେ ରିଲିଜ ହୋଇଥିଲା ଦି ଲିଜେଣ୍ଡ୍ ଅଫ୍ ମୌଲା ଜାଟ୍ । ପାକିସ୍ତାନ ସହ ବିଦେଶରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି ଫିଲ୍ମ । ପାକିସ୍ତାନରେ ବକ୍ସ ଅଫିସ ରେକର୍ଡ ଭଙ୍ଗ କରିଛି । ଲୋକପ୍ରିୟତା ଓ ବକ୍ସ ଅଫିସ ସଫଳତା ଦୃଷ୍ଟିରୁ ଦି ଲିଜେଣ୍ଡ୍ ଅଫ ମୌଲା ଜାଟ୍‌କୁ ଭାରତୀୟ ଫିଲ୍ମ ବାହୁବଳୀ ସହ ତୁଳନା କରାଯାଉଛି। ପାକିସ୍ତାନର ଏହି ଫିଲ୍ମ ଏବେ ଭାରତରେ ରିଲିଜ ହେଉଛି । କିନ୍ତୁ ଏହା କେବଳ ପଂଜାବରେ ହିଁ ରିଲିଜ ହେବ । ଫିଲ୍ମ ମଧ୍ୟ ପଞ୍ଜାବୀ ଭାଷାରେ ନିର୍ମିତ ହୋଇଛି। ୧୦ ବର୍ଷ ପରେ ପ୍ରଥମ ପାକିସ୍ତାନୀ ଫିଲ୍ମ ଭାବେ ରିଲିଜ ହେବାକୁ ଯାଉଛି ଦି ଲିଜେଣ୍ଡ୍ ଅଫ୍ ମୌଲା ଜାଟ୍ । ଅକ୍ଟୋବର ୨ ତାରିଖରେ କେବଳ ପଞ୍ଜାବ ସର୍କିଟରେ ରିଲିଜ ହେବ ଫିଲ୍ମ ।

ମୌଲା ଜାଟ୍ ରିଲିଜକୁ ରାଜନୈତିକ ବିରୋଧ
ଦି ଲିଜେଣ୍ଡ ଅଫ୍ ମୌଲା ଜାଟ୍‌ର ଭାରତ ରିଲିଜକୁ ବିରୋଧ କରାଯାଇଛି । ରାଜ ଥାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା ଓ ଶିବସେନା ଉଦ୍ଧବ ଗୋଷ୍ଠୀ ପାକିସ୍ତାନୀ ଫିଲ୍ମର ରିଲିଜକୁ ବିରୋଧ କରିଛନ୍ତି । ବିରୋଧ ଦୃଷ୍ଟିରୁ ମହାରାଷ୍ଟ୍ରରେ ଫିଲ୍ମ ରିଲିଜ୍ ହେବ ନାହିଁ । କେବଳ ମହାରାଷ୍ଟ୍ର କାହିଁକି, ଅନ୍ୟ କୌଣସି ରାଜ୍ୟରେ ମଧ୍ୟ ପାକିସ୍ତାନୀ ଫିଲ୍ମ ରିଲିଜ୍ ହେବା କଥା ନୁହେଁ ବୋଲି ରାଜ ଥାକରେ କହିଛନ୍ତି । ଅନ୍ୟ କିଛି ସଂଗଠନ ମଧ୍ୟ ପାକିସ୍ତାନୀ ଫିଲ୍ମ ରିଲିଜକୁ ବିରୋଧ କରିଛନ୍ତି ।

ଉରି ଆକ୍ରମଣ ପରେ ଭାରତରେ ପାକିସ୍ତାନୀ କଳାକାର ବ୍ୟାନ୍
୨୦୧୬ରେ ଜାମ୍ମୁ ଓ କାଶ୍ମୀରର ଉରିରେ ପାକ୍ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କୁ ଭାରତରେ ବ୍ୟାନ ପାଇଁ ଚାପ ପଡିଥିଲା । ଇଣ୍ଡିଆନ ମୋସନ ପିକଚର ପ୍ରଡ୍ୟୁସର୍ସ ଆସୋସିଏସନ-ଆଇଏମପିପିଏ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ୍ କରିଥିଲା । ଏବେ ବଲିଉଡ ଫିଲ୍ମରେ ପାକିସ୍ତାନୀ କଳାକାରଙ୍କୁ ଦେଖିବାକୁ ମିଳୁନାହିଁ କି ପାକ୍ ଗାୟକ ଓ ସଂଗୀତଜ୍ଞମାନେ ଭାରତର ଶୋ’ କରୁନାହାନ୍ତି । କିନ୍ତୁ ଔପଚାରିକ ଭାବେ ବ୍ୟାନ୍ ହୋଇନାହାନ୍ତି ପାକ୍ କଳାକାର । ପାକ୍ କଳାକାରଙ୍କୁ ସଂପୂର୍ଣ୍ଣ ବ୍ୟାନ୍ ପାଇଁ ହୋଇଥିବା ଆବେଦନକୁ ଗତବର୍ଷ ନଭେମ୍ବରରେ ଖାରଜ କରିଦେଇଥିଲେ ସୁପ୍ରିମ କୋର୍ଟ ।

ଟାଇଟଲ ରୋଲରେ ପାକ୍ ଅଭିନେତା ଫୱାଦ ଖାନ୍‌
ଦି ଲିଜେଣ୍ଡ ଅଫ ମୌଲା ଜାଟରେ ଟାଇଟଲ ରୋଲ୍ କରିଛନ୍ତି ଫୱାଦ ଖାନ୍ । ଫୱାଦ ଖାନ ଭାରତୀୟ ସିନେପ୍ରେମୀଙ୍କ ମଧ୍ୟରେ ବେଶ୍ ପରିଚିତ। କେତୋଟି ବଲିଉଡ୍ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି ଫୱାଦ । ଫିଲ୍ମର ନାୟିକା ମାହିରା ଖାନ୍ ଶାହରୁଖ ଖାନଙ୍କ ରଇସରେ ଅଭିନୟ କରିଥିଲେ  ଦି ଲିଜେଣ୍ଡ ଅଫ୍ ମୌଲା ଜାଟ୍ ହେଉଛି ଫୱାଦ ଖାନଙ୍କ ପ୍ରଥମ ପାକିସ୍ତାନୀ ଫିଲ୍ମ ଯାହା କି ଭାରତରେ ରିଲିଜ୍ ହେବାକୁ ଯାଉଛି ।

ଏକ ଲଲିଉଡ୍ କ୍ଲାସିକର ରିମେକ୍
ଦି ଲିଜେଣ୍ଡ୍ ଅଫ ମୌଲା ଜାଟ୍ ଏକ ପୁରୁଣା ପାକିସ୍ତାନୀ ଫିଲ୍ମର ରିମେକ୍ । ୧୯୭୯ରେ ଲଲିଉଡ ଫିଲ୍ମ ମୌଲା ଜାଟ୍ ଉପରେ ଆଧାରିତ ହୋଇଛି ଫୱାଦ ଖାନଙ୍କ ଫିଲ୍ମ । ଏକ ସ୍ଥାନୀୟ ଲୋକ ନାୟକ ମୌଲା ଜାଟଙ୍କ ଜୀବନ କାହାଣୀ ଉପରେ ନିର୍ମିତ ହୋଇଛି ଦି ଲିଜେଣ୍ଡ୍ ଅଫ୍ ମୌଲା ଜାଟ୍ । ମୌଲା ଜାଟ୍ ପୂର୍ବରୁ ଭାରତରେ ରିଲିଜ୍ ହୋଇଥିବା ଶେଷ ପାକିସ୍ତାନୀ ଫିଲ୍ମ ଥିଲା ବୋଲ୍ । ବୋଲ୍‌ରେ ଅଭିନୟ କରିଥିଲେ ରଇସ ଫେମ୍ ମାହିରା ଖାନ୍ । ୨୦୦୮ ଏପ୍ରିଲରେ ଭାରତରେ ରିଲିଜ ହୋଇଥିଲା ପାକିସ୍ତାନୀ ପିଲ୍ମ ଖୁଦା କେ ଲିୟେ । ଦୀର୍ଘ ୪୦ ବର୍ଷ ପରେ ପ୍ରଥମ ପାକିସ୍ତାନୀ ଫିଲ୍ମ ଭାବେ ଭାରତରେ ରିଲିଜ୍ ହୋଇଥିଲା ଖୁଦା କେଲିୟେ । ଏଥିରେ ନାସିରୁଦ୍ଦିନ ଶାହ ମଧ୍ୟ ଅଭିନୟ କରିଥିଲେ ।

Leave A Reply

Your email address will not be published.