Latest Odisha News

ତିରୁପତି ମନ୍ଦିରର ପ୍ରସାଦ ମାମଲା, ଏଆର ଦୁଗ୍ଧ କମ୍ପାନୀ ନାଁରେ ଅଭିଯୋଗ

ଅମରାବତୀ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରର ପ୍ରସାଦରେ ଘିଅ ପରିବର୍ତ୍ତେ ମାଛ ତେଲ ଓ ପଶୁ ଚର୍ବି ତେଲ ବ୍ୟବହାର କରାଯାଉଥିବା ଦାବିକୁ ନେଇ ଚାରିଆଡେ ଏବେ ଉତ୍ତେଜନା ଦେଖାଦେଇଛି। ଏହାରି ଭିତରେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ତରଫରୁ ଆନୁଷ୍ଠାନିକ ଭାବେ ଅଭିଯୋଗ ଦାଖଲ କରାଯାଇଛି l ଟିଟିଡି ଜେନେରାଲ ମ୍ୟାନେଜର ପି ମୁରଲୀ କୃଷ୍ଣ ଏଆର୍ ଡାଏରୀ ଫୁଡ୍ ପିଭି ଲିମିଟେଡ୍ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ଏହାପୂର୍ବରୁ ରାଜ୍ୟ ସରକାର ପୋଲିସ ଅଧିକାରୀ ସର୍ବଶ୍ରେଷ୍ଠ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଏସଆଇଟି ଟିମ ଗଠନ କରିଛନ୍ତି l ଏବେ ଏହି ଟିମ ଉକ୍ତ ମାମଲାର ତଦନ୍ତ କରୁଛି l ଏହାର ଗୋଟିଏ ଦିନ ପୂର୍ବରୁ ତାମିଲନାଡୁରେ ଅବସ୍ଥିତ ଏକ କମ୍ପାନୀକୁ ଏଫଏସଏସଏଆଇ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଅଭିଯୋଗ ହୋଇଛି ଯେ, ମନ୍ଦିରରେ ପ୍ରସ୍ତୁତ ହେଉଥିବା ପ୍ରାସାଦରେ ପଶୁ ଚର୍ବି ମିଶୁଛି l

ଟିଟିଡି ଅନୁଯାୟୀ, ଜୁଲାଇ ୬ ଓ ଜୁଲାଇ ୧୨ରେ ଏହି କମ୍ପାନୀ ୪ଟି ଟ୍ୟାଙ୍କର ପଠାଇଥିଲା। ପୂର୍ବରୁ ଜୁଲାଇ ୧୫ରୁ ୬ ପର୍ଯ୍ୟନ୍ତ ଏହି କମ୍ପାନୀ ୬ଟି ଟ୍ୟାଙ୍କର ପଠାଇଥିଲା। ସେଥିମଧ୍ୟରୁ ଗୋଟିଏ ଟ୍ୟାଙ୍କରରେ ୧୫ ହଜାର ଲିଟର ଘିଅ ଯୋଗାଣ କରାଯାଉଥିଲା, କିନ୍ତୁ ଜୁଲାଇ ୬ରେ ପଠାଯାଇଥିବା ୨ଟି ଟ୍ୟାଙ୍କର ଏବଂ ଜୁଲାଇ ୧୨ରେ ୨ଟି ଟ୍ୟାଙ୍କରର ନମୁନାରେ ତ୍ରୁଟି ଥିବାରୁ ସେମାନଙ୍କୁ ଗୁଜରାଟ ପଠାଯାଇଥିଲା ଏବଂ ଅବଶିଷ୍ଟ ଟ୍ୟାଙ୍କରଗୁଡ଼ିକୁ ନିଷିଦ୍ଧ କରାଯାଇଥିଲା।

ତେବେ ତିରୁପତି ମନ୍ଦିରରେ ଲଡୁ ତିଆରି ପାଇଁ କିଣାଯାଉଥିବା ଗାଈ ଘିଅର ମୂଲ୍ୟ ଲିଟର ପିଛା ୪୭୮ ଟଙ୍କା ରହିଛି । ଯାହାକୁ କର୍ଣ୍ଣାଟକ ଦୁଗ୍ଧ ମହାସଂଘ ପକ୍ଷରୁ ଦିଆଯାଉଛି। ବାସ୍ତବରେ, ୨୦୨୩ ମସିହାରେ, ଯେତେବେଳେ ସରକାରୀ ଦୁଗ୍ଧ କର୍ଣ୍ଣାଟକ ଦୁଗ୍ଧ ମହାସଂଘ ୩୨୦ ଟଙ୍କା ମୂଲ୍ୟରେ ଘିଅ ଯୋଗାଣ କରିବାକୁ ମନା କରି ଦେଇଥିଲା ଏବଂ ଟେଣ୍ଡରରୁ ବାହାରକୁ ଯାଇଥିଲା । ଏହାପରେ ୫ଟି ଘରୋଇ କମ୍ପାନୀକୁ ଘିଅ ଯୋଗାଣ ପାଇଁ ଠିକା ଦିଆଯାଇଥିଲା.

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପୂର୍ବରୁ ତାଙ୍କ ଦଳ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଅଭିଯୋଗ କରିଥିଲା ଯେ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଟ୍ରଷ୍ଟର ପୂର୍ବତନ ଅଧ୍ୟକ୍ଷ ଭୂମନା କରୁଣାକର ରେଡ୍ଡୀ ଓ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଏ ବି ଧର୍ମା ରେଡ୍ଡୀ ମନ୍ଦିର ପରିଚାଳନାରେ ଗତ ୫ ବର୍ଷରେ ଅନେକ ଅନିୟମିତତା କରିଛନ୍ତି । ଏଥିପାଇଁ ସେମାନଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି ଦଳ କହିଥିଲା । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ସେ ପୂରା ବ୍ୟବସ୍ଥାକୁ ସଫା କରିବେ ।

Leave A Reply

Your email address will not be published.