Latest Odisha News

BREAKING NEWS

କଂଗ୍ରେସର ‘ସିଦ୍ଧରମୈୟା’ ଦ୍ୱନ୍ଦ୍ୱ

ବେଙ୍ଗାଲୁରୁ: ମୁଦ୍ଦା ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଯାଂଚ ପାଇଁ ରାଜ୍ୟପାଳଙ୍କ ଆଦେଶକୁ ହାଇକୋର୍ଟ କାଏମ ରଖିଲା ପରେ କଂଗ୍ରେସ ପାଇଁ ସୃଷ୍ଟି ହୋଇଛି ଅଡୁଆ ପରିସ୍ଥିତି । ହାଇକୋର୍ଟଙ୍କ ରାୟ ସିଦ୍ଧରମୈୟାଙ୍କ ପାଇଁ ଶକ୍ତ ଝଟକା ହେବା ସହ ତାଙ୍କର ମିଷ୍ଟର କ୍ଲିନ୍ ଇମେଜକୁ ଧୂମିଳ କରିଛି । ଇସ୍ତଫା ଦେବା ପାଇଁ ରୋକଠୋକ୍ ମନା କରିଥିଲେ ମଧ୍ୟ ସିଦ୍ଧରମୈୟାଙ୍କ ଭବିଷ୍ୟତ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ସିଦ୍ଧରମୈୟା କଂଗ୍ରେସର ଟାଣୁଆ ଓବିସି ନେତା । ରାଜ୍ୟ କଂଗ୍ରେସର ସିଦ୍ଧରମୈୟାଙ୍କ ସମର୍ଥକଙ୍କ ମଧ୍ୟ ଅଭାବ ନାହିଁ । କିନ୍ତୁ ହାଇକୋର୍ଟ ରାୟ ପରେ ସିଦ୍ଧରମୈୟାଙ୍କ ସ୍ଥିତି ଟିକେ ଦୁର୍ବଳ ହୋଇଥିବା କିଛି ରାଜନୈତିକ ବ୍ୟାପାର ବିଶେଷଜ୍ଞ ମନେ କରୁଛନ୍ତି । ବିଜେପି ଓ ଜେଡିଏସ ସିଦ୍ଧରମୈୟାଙ୍କ ଇସ୍ତଫା ଦାବି ଜୋରଦାର କରିଛନ୍ତି । ନୈତିକତା ପ୍ରସଙ୍ଗରେ ଶାସକ କଂଗ୍ରେସକୁ ଘେରିଛନ୍ତି ଦୁଇ ଦଳ । ଏ ଦୃଷ୍ଟିରୁ କଂଗ୍ରେସ ସିଦ୍ଧରମୈୟାଙ୍କୁ ସୁରକ୍ଷା ଦେଇପାରିବ, ତାହା ବଡ ପ୍ରଶ୍ନ ହୋଇଛି । ସିଦ୍ଧରମୈୟାଙ୍କ ବିରୋଧରେ କେବଳ ଯାଂଚ ଆଦେଶ ଦିଆଯାଇଛି । କିନ୍ତୁ ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ଆଦେଶ କାଏମ ରଖନ୍ତି, ତାହା ହେଲେ ସିଦ୍ଧରମୈୟାଙ୍କ ରାଜନୈତିକ ପ୍ରଭାବ ହ୍ରାସ ପାଇବ ।

ସିଦ୍ଧରମୈୟାଙ୍କୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ

ସିଦ୍ଧରମୈୟାଙ୍କୁ ନେଇ କଂଗ୍ରେସ ଦ୍ୱନ୍ଦ୍ୱରେ ପଡିଛି । ମୁଖ୍ୟମନ୍ତ୍ରୀ ପଦରୁ ହଟାଇଲେ ବିପଦ । ନ ହଟାଇଲେ ମଧ୍ୟ ବିପଦ । ଏପଟେ ବିଜେପି ଏହାକୁ ବଡ ପ୍ରସଙ୍ଗ କରିବାକୁ ତତ୍ପର । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କୁରୁବା ସଂପ୍ରଦାୟର ପ୍ରତିନିଧିତ୍ୱ କରନ୍ତି । କର୍ଣ୍ଣାଟକରେ କୁରୁବା ସବୁଠୁ ବଡ ଓବିସି ସଂପ୍ରଦାୟ । ଯଦି ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଗଲା, ତାହା ହେଲେ ରାଜ୍ୟ କଂଗ୍ରେସରେ ଏକତା ରହିବ କି ନାହିଁ ସନ୍ଦେହ ବୋଲି କିଛି ରାଜନୀତି ବିଶେଷଜ୍ଞ ମତ ଦେଇଛନ୍ତି । ସିଦ୍ଧରମୈୟାଙ୍କୁ ହଟାଗଲେ କଂଗ୍ରେସ ରାଜ୍ୟର ସବୁୁଠୁ ପ୍ରଭାବଶାଳୀ ଓବିସି ସଂପ୍ରଦାୟଙ୍କ ସମର୍ଥନ ହରାଇପାରେ । ରାଜ୍ୟରେ ଅହିନ୍ଦା ଭୋଟରଙ୍କ ମଧ୍ୟରେ ବି ସିଦ୍ଧରମୈୟାଙ୍କ ବେଶ୍ ପ୍ରଭାବ ରହିଛି । ସଂଖ୍ୟାଲଘୁ, ପଛୁଆ ବର୍ଗ ଓ ଦଳିତଙ୍କୁ ଅହିନ୍ଦା ଭୋଟର ବୋଲି କୁହାଯାଏ । ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଗଲେ କଂଗ୍ରସ ପ୍ରତି ଅହିନ୍ଦା ଭୋଟରଙ୍କ ସମର୍ଥନ ବଜାୟ ରହିବା ବି ମୁସ୍କିଲ । ମୁଖ୍ୟମନ୍ତ୍ରୀ ପଦରୁ ଯଦି ସିଦ୍ଧରମୈୟାଙ୍କୁ ବର୍ତ୍ତମାନ ହଟାଯାଏ, ତାହା ହେଲେ ଏହା ବିରୋଧୀ ଦଳର ବିଜୟ ଭାବେ ଦେଖାଯିବ । ଏ ଦୃଷ୍ଟିରୁ ସିଦ୍ଧରମୈୟାଙ୍କୁ ଏବେ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ କଂଗ୍ରେସ କୁଣ୍ଠିତ ହେବ ବୋଲି ରାଜନୀତି ବିଶେଷଜ୍ଞ ମନେ କରୁଛନ୍ତି ।

କଂଗ୍ରେସ ପାଇଁ ଉତ୍ତରାଧିକାରୀ ଚ୍ୟାଲେଞ୍ଜ

ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଯଦି ହଟାଯାଏ, ତାହା ହେଲେ ତାଙ୍କର ଉପ ଯୁକ୍ତ ଉତ୍ତରାଧିକାରୀ ଚୟନ ମଧ୍ୟ କଂଗ୍ରେସ ପାଇଁ ବଡ ଚ୍ୟାଲେଞ୍ଜ ହେବ । ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ସିଦ୍ଧରମୈୟାଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଥିଲେ ମଧ୍ୟ ସେ ନିଜେ ଆର୍ଥିକ ଅନିୟମିତତା ଅଭିଯୋଗର ସାମନା କରୁଛନ୍ତି । ଡି.କେ ଶିବକୁମାର ଜଣେ ପ୍ରଭାବଶାଳୀ ଭୋକାଲିଗା ନେତା । ହେଲେ ରାଜ୍ୟର ଅନ୍ୟ ସମୁଦାୟଙ୍କ ମଧ୍ୟରେ ଶିବକୁମାରଙ୍କ ଗ୍ରହଣୀୟତା ସେତେ ନାହିଁ । ଜି. ପରମେଶ୍ୱରନ, ଏମ.ବି ପାଟିଲଙ୍କ ଭଳି ବରିଷ୍ଠ କଂଗ୍ରେସ ନେତା ମଧ୍ୟ ମୁଖ୍ୟମନ୍ତ୍ରୀ ପାଇଁ ଆଶାୟୀ । ସିଦ୍ଧରମୈୟା ହଟିଲେ ରାଜ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଯିବା ନିଶ୍ଚିତ ବୋଲି କୁହାଯାଉଛି, ଯାହା କି କଂଗ୍ରେସ ଚାହେଁ ନାହିଁ । ସିଦ୍ଧରମୈୟାଙ୍କ କ୍ଷେତ୍ରରେ କଂଗ୍ରେସ କୌଣସି ତରବରିଆ ନିଷ୍ପତ୍ତି ନେବାକୁ ଚାହିଁବ ନାହିଁ ବୋଲି କିଛି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ବର୍ତ୍ତମାନ କଂଗ୍ରେସ ୱେଟ୍ ଆଣ୍ଡ୍ ୱାଚ୍ ଆଭିମୁଖ୍ୟ ଆପଣାଇବ ବୋଲି ଅନୁମାନ କରାଯାଉଛି ।

 

Leave A Reply

Your email address will not be published.