Latest Odisha News

ଅରୁଣାଚଳର ପର୍ବତ ଶିଖରରେ ଉଡିଲା ତ୍ରିରଙ୍ଗା, ଡ୍ରାଗନ୍‌କୁ ଗଲା କଡା ସନ୍ଦେଶ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ପ୍ରସଙ୍ଗରେ ଡ୍ରାଗନର ପୁଣି ନାଲି ଆଖି । ଅରୁଣାଚଳକୁ ପୁଣି ନିଜର ବୋଲି ଦାବି କରିଛି ଚୀନ୍ । ଦେଇଛି ଚିରାଚରିତ ବୟାନ । ଅରୁଣାଚଳ ପ୍ରଦେଶ ଓ ଲଦ୍ଦାଖରେ ଭାରତ ଯାହା ବି କଲେ ଚୀନ୍ କଡା ପ୍ରତିକ୍ରିୟା ଦେଉଛି, ଯାହା କି ବେଜିଂ ପାଇଁ ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଛି । ଭାରତର କିଛି ପର୍ବତାରୋହୀ ଅରୁଣାଚଳ ପ୍ରଦେଶର ଏକ ପର୍ବତ ଶିଖର ଆରୋହଣ କରି ତ୍ରିରଙ୍ଗା ଉଡାଇଛନ୍ତି । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶିଖରକୁ ଷଷ୍ଠ ଦଲାଇଲାମାଙ୍କ ନାଁରେ ନାମିତ କରିଛନ୍ତି । ଏସବୁ କଥାରେ କଡା ଆପତ୍ତି ଉଠାଇଛି ବେଜିଂ । ଚୀନ୍ ଅଂଚଳରେ ବେଆଇନ୍ ଅପରେସନ ବୋଲି ପ୍ରତିକ୍ରିୟା ଦେଇଛି ବେଜିଂ ।

ଚୀନ୍ ଆପତ୍ତିର କାରଣ

ଅରୁଣାଚଳ ପ୍ରଦେଶକୁ ଭାରତର ଅଂଶ ବୋଲି କେବେ ବି ସ୍ୱୀକାର କରିନାହିଁ ଚୀନ୍ । ଅରୁଣାଚଳରେ ସର୍ବଦା ନିଜର ଅଧିକାର ସାବ୍ୟସ୍ତ କରିବାକୁ ଚାହିଁଛି । ଏ ପ୍ରସଙ୍ଗରେ ଭାରତକୁ ନିୟମିତ ବ୍ୟବଧାନରେ ଉସୁକାଇଛି ମଧ୍ୟ ଚୀନ୍ । ଏବେ ପୁଣି ଅରୁଣାଚଳ ପ୍ରଦେଶକୁ ନେଇ ଆପତ୍ତି । ନିକଟରେ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଥିବା ଏକ ପର୍ବତ ଶିଖର ଆରୋହଣ କରିଥିଲେ ଏକ ଭାରତୀୟ ପର୍ବତାରୋହୀ ଦଳ । ଆଗରୁ ଏହି ଶିଖରକୁ କେହି ବି ଯାଇନଥିଲେ । ଅରୁଣାଚଳ ପ୍ରଦେଶର ଦିରାଙ୍ଗ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମାଉଂଟେନିୟରିଂ ଆଣ୍ଡ୍ ଆଡଭେନଚର ସ୍ପୋର୍ଟସର ୧୫ ଜଣିଆ ଦଳ ତୱାଙ୍ଗ ସ୍ଥିତ ପର୍ବତ ଶିଖର ଆରୋହଣ କରିଥିଲେ । ଏହି ଅଂଚଳ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ରହିଛି । ପର୍ବତ ଶିଖର ଆରୋହଣ କରି ତ୍ରିରଙ୍ଗା ଉଡାଇଥିଲେ ପର୍ବତାରୋହୀ ଦଳ । ଏଥିସହ ପର୍ବତ ଶିଖରକୁ ଷଷ୍ଠ ଦଲାଇଲାମାଙ୍କ ନାଁରେ ନାମିତ କରିଥିଲେ । ତୱାଙ୍ଗରେ ଜନ୍ମିଥିଲେ ଷଷ୍ଠ ଦଲାଇଲାମା । ତିବତିୟ ବୌଦ୍ଧ ଧର୍ମଗୁରୁଙ୍କୁ ମାନ୍ୟତା ଦିଏ ନାହିଁ ଚୀନ୍ । ଅରୁଣାଚଳ ପ୍ରଦେଶରେ ଭାରତୀୟ ପର୍ବତାରୋହୀ ଦଳର ଅଭିଯାନ ଓ ପର୍ବତ ଶିଖରକୁ ଷଷ୍ଠ ଦଲାଇଲାମାଙ୍କ ନାଁରେ ନାମିତ କରାଯିବାକୁ ସହଜରେ ଗ୍ରହଣ କରିନାହିଁ ଚୀନ୍ ।  ଏସବୁ କାର୍ଯ୍ୟକଳାପ ବେଆଇନ୍ ବୋଲି କହିଛି ଚୀନ୍ ବୈଦେଶିକ ମନ୍ତ୍ରାଳୟ । ଅରୁଣାଚଳ ପ୍ରଦେଶକୁ ଜାଙ୍ଗନାନ୍ ବୋଲି କହି ଏହାକୁ ନିଜ ଅଂଚଳ ବୋଲି କହିଆସୁଛି ଚୀନ୍ ।

ଦଲାଇଲାମାଙ୍କ ନାଁରେ କାହିଁକି ପର୍ବତ ଶିଖର

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମାଉଂଟେନିୟରିଂ ଆଣ୍ଡ୍ ଆଡଭେନଚର ସ୍ପୋର୍ଟସ ଟିମ୍ ତୱାଙ୍ଗ ପର୍ବତ ଶିଖର ସଫଳତାପୂର୍ବକ ଆରୋହଣ କରିଥିଲେ । ଏଥିସହିତ ଶିଖରର ନାଁ ଷଷ୍ଠ ଦଲାଇଲାମାଙ୍କ ନାଁରେ ରଖିଥିଲେ । ତିବତର ବୌଦ୍ଧ ଧର୍ମଗୁରୁଙ୍କ ନାଁ ପଡିଲେ ଚୀନ୍ ଉତ୍ତ୍ୟକ୍ତ ହୋଇଥାଏ । କାରଣ ତିବତକୁ ନିଜ ଅଧିକାରକୁ ନେଇଛି ଚୀନ୍ । ତିବତ ଅଧିକାର ପରେ ତିବତ୍ତୀୟ ଧର୍ମଗୁରୁଙ୍କୁ ମାନ୍ୟତା ଦେଇନାହିଁ ଚୀନ୍ । ତେଣୁ ପର୍ବତ ଶିଖରକୁ ଭାରତୀୟ ପର୍ବତାରୋହୀ ଦଳ ଷଷ୍ଠ ଦଲାଇଲାମାଙ୍କ ନାଁରେ ନାମିତ କରିବା ଚୀନକୁ ସୁହାଇ ନାହିଁ । ଷଷ୍ଠ ଦଳାଇଲାମାଙ୍କ ନାଁରେ ପର୍ବତ ଶିଖରର ନାମକରଣ ତାଙ୍କ ଜ୍ଞାନ ଓ ବୁଦ୍ଧିମତା ପ୍ରତି ଶ୍ରଦ୍ଧାଞ୍ଜଳି ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ।

ଚୀନ୍ ଉପରେ ନଜର ପାଇଁ ଅରୁଣାଚଳରେ ଭାରତର ରଣନୀତି

ଚୀନ୍ ସବୁବେଳ ଅରୁଣାଚଳ ପ୍ରଦେଶକୁ ନିଜର ଅଂଶ ବୋଲି ଦାବି କରିଆସୁଥିବା ବେଳେ ଭାରତ ବେଜିଂର ଯେକୈାଣସି ଦୁଃସାହସ ପ୍ରତି ସତର୍କ ରହିଛି । ଚୀନର ଦାବିକୁ ଖାରଜ କରିବା ସହ ଅରୁଣାଚଳରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ଭାରତ । ଭାରତୀୟ ସେନା ନିୟମିତ ବ୍ୟବଧାନରେ ଅରୁଣାଚଳ ପ୍ରଦେଶରେ ଆୟୋଜନ କରିଥାଏ ଦୁଃସାହସିକ କ୍ରୀଡା ଅଭିଯାନ । ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରେ ଭାରତୀୟ ସେନା । ଏସବୁ ଦ୍ୱାରା ଚୀନକୁ କଡା ସନ୍ଦେଶ ଯାଇଥାଏ ।

 

Leave A Reply

Your email address will not be published.