Latest Odisha News

ଅକ୍ଟୋବର ୫ ସୁଦ୍ଧା ଦୈତନଗରୀର ସମସ୍ତ ରାସ୍ତା ଶେଷ ହେବ

ଭୁବନେଶ୍ୱର: ଅକ୍ଟୋବର ୫ ସୁଦ୍ଧା କଟକ ଓ ଭୁବନେଶ୍ବରର ସମସ୍ତ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ ହେବ । ଏନେଇ ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।

ଦୁର୍ଗାପୂଜା ଆଉ ଅଳ୍ପଦିନ ଥିବାରୁ ଖୁବ୍‌ ଶୀଘ୍ର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନରେ ପ୍ରତ୍ୟେକ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ବିଭାଗ ପକ୍ଷରୁ ତଦାରଖ କମିଟି ଯାଞ୍ଚ କରିବେ । ନିମ୍ନ ମାନର କାର୍ଯ୍ୟ ପାଇଁ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ବୈଠକରେ କହିଛନ୍ତି ।

ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ପ୍ରମୁଖ ଯନ୍ତ୍ରୀ ଏବଂ ମୁଖ୍ୟ ନିର୍ମାଣ ଯନ୍ତ୍ରୀମାନଙ୍କୁ କ୍ଷେତ୍ରକୁ ଯାଇ ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ପରାମର୍ଶ ଦେଇଥିଲେ । ରାସ୍ତା ନିର୍ମାଣରେ ବ୍ୟବହୃତ ପେଭର ମେସିନ୍‌ର ଅଭାବ ପୂରଣ କରିବା ପାଇଁ ଏଜେନ୍ସି ସହିତ ଯୋଗାଯୋଗ କରି ଆଜି ରାତି ସୁଦ୍ଧା ମରାମତି କାର୍ଯ୍ୟ ତ୍ୱରାନ୍ୱିତ୍ୱ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ମାଣ କାର୍ଯ୍ୟରେ କୌଣସି ପ୍ରକାର ଜନଅସନ୍ତୋଷକୁ ବରଦାସ୍ତ କରାଯିବ ନାହିଁ । ତେଣୁ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସଜାଗ ହୋଇ ତ୍ୱରିତ ବେଗରେ କାର୍ଯ୍ୟ ଆଗେଇ ନେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସ୍ଥାନୀୟ ନିର୍ମାଣ ସୌଧ ଠାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ, ଇଆଇସି (ସିଭିଲ୍‌)ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟଯନ୍ତ୍ରୀ ବଶିଷ୍ଠ ପଟ୍ଟନାୟକ ଏବଂ ଧ୍ୟାନଚାନ୍ଦ ନାୟକଙ୍କ ସମେତ କଟକ ଓ ଭୁବନେଶ୍ୱର ଅଞ୍ଚଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.