Latest Odisha News

ଓଡିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ଓ୍ବାରରୁମ୍ !

ଭୁବନେଶ୍ବର: ରାଜଭବନ ହୋଇଛି କି ପଲିଟିକାଲ୍ ହବ୍? ପାଲଟିଛି କି ଝାଡ଼ଖଣ୍ଡ ନିର୍ବାଚନର ଓ୍ବାରରୁମ୍? କାହିଁକି ବିଜେପି ନେତା ରାଜ୍ୟପାଳଙ୍କୁ ଭେଟୁଛନ୍ତି ? କାରଣ ବ୍ୟକ୍ତିଗତ ନା ରାଜନୈତିକ? ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ରାଜନୀତିକୁ ଫେରିବା ଚର୍ଚ୍ଚା ଭିତରେ ଏଭଳି ପ୍ରଶ୍ନ ପଚାରିଛି ବିଜେଡି । ଆସାମ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଘଣ୍ଟିଆ ଓଡିଶା ଗସ୍ତ ହେଉ କି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଝାଡ଼ଖଣ୍ଡ ଗସ୍ତ । ରାଜ୍ୟପାଳଙ୍କୁ ପ୍ରଶ୍ନ କରିଛି ବିରୋଧୀ ବିଜେଡି। ଏଥିସହ ଏଏସଓଙ୍କୁ ମାଡ଼ ମାମଲାରେ କେବେ ରାଜ୍ୟପାଳଙ୍କ ପୁଅ ଉପରେ ଆକ୍ସନ୍ ନିଆଯିବ? ପଚାରିଛି ବିଜେଡି ।

ରାଜଭବନ ପାଲଟିଛି ଓ୍ବାର ରୁମ୍ !

ରାଜ୍ୟପାଳ ଓ ରାଜଭବନ ରାଜନୀତିରୁ ଉପରେ । ହେଲେ ଗତ କିଛି ଦିନ ହେଲା ରାଜଭବନ ଭଳି ସାମ୍ବିଧାନିକ କାର୍ଯ୍ୟାଳୟରେ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେଉଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମାତ୍ର ୨ଘଣ୍ଟା ପାଇଁ ଓଡିଶା ଆସିଲେ । କହିଲେ ବ୍ୟକ୍ତିଗତ କାମ, ହେଲେ କେଉଁ ବ୍ୟକ୍ତିଗତ କାମ କହିଲେନି । ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡ଼ଖଣ୍ଡ ପ୍ରଚାର ପାଇଁ ଗଲେ । ବରିଷ୍ଠ ବିଜେପି ନେତା ଭେଙ୍କିଆ ନାଇଡ଼ୁ ବି ରାଜଭବନରେ ରହିଲେ । ଚଳିତ ବର୍ଷ ଶେଷ ଆଡକୁ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଓଡ଼ିଶା ରାଜଭବନରେ ତାତି ଦେଖିବାକୁ ମିଳିଥିବା ବିଜେଡି କହିଛି ।

ଏଏସଓଙ୍କୁ ମାଡ଼…ଆକ୍ସନ୍ କେବେ?

ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡରେ ପ୍ରଚାର କରିବା ପାଇଁ ରାଜଭବନରୁ ଅଘୋଷିତ ନିର୍ଦ୍ଦେଶ ଆସିଥିବା ବିଜେଡି କହିଛି। ତେବେ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ମାଡ଼ ମାରିବା ଘଟଣାରେ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶ୍ନ କରିଛି । ଏପର୍ଯ୍ୟନ୍ତ ମାମଲାର ତଦନ୍ତ ରିପୋର୍ଟ ଆସିଲାନି । ନା ମୁଖ୍ୟମନ୍ତ୍ରୀ ଏହି ମାମଲାରେ ମୁହଁ ଖୋଲୁଛନ୍ତି ନା ଆକ୍ସନ ନେଉଛନ୍ତି । କାହାକୁ ସୁରକ୍ଷା ଦେଉଛନ୍ତି ମୁଖ୍ୟମନ୍ତ୍ରୀ? ରାଜ୍ୟପାଳ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ହେଲେ ଆଗ କାର୍ଯ୍ୟାନୁଷ୍ଠାନ ନେଇ ଏଏସଓଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ବିଜେଡି କହିଛି ।

ଓଡିଶା ରାଜନୀତି କଣ କିଣାବିକା?

ରାଜ୍ୟ ବିଜେପି ସଭାପତିଙ୍କ ବୟାନକୁ ଟାର୍ଗେଟ୍ କରିଛି ବିଜେଡି। ବୁଧବାର ବିଜେଡି ଜନସଂପର୍କ ପଦଯାତ୍ରାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଭାଷଣରେ ବିଜେପି ବିଚଳିତ ହୋଇପଡିଛି। ପ୍ରଥମେ ଜଣକ ପରେ ଜଣେ ମୁଖପାତ୍ର କହିଲେ । ଶେଷରେ ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ଖାଲି ହୋଇଯିବ କହିଲେ । ତାଙ୍କର ନିଜ ଦଳ ଉପରେ କମାଣ୍ଡ ଅଛି କି ନା? ନିଜ ତିନି ବିଧାୟକଙ୍କୁ ଲଗାଇ କହି ଚାଲିଛନ୍ତି ଯେ ବିଜେଡି ନେତା ମିଶିବେ । ତେବେ ଓଡ଼ିଶା ରାଜନୀତି କଣ କିଣାବିକା? କାହିଁକି ନେତା ଯିବେ? ଏତେ ଅହଂକାର, ଏତେ ପିଲାଲିଆମୀ କାହିଁକି? ବୋଲି ବିଜେଡି ପ୍ରଶ୍ନ କରିଛି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛି ବିଜେପି।

Leave A Reply

Your email address will not be published.