Latest Odisha News

ଇସ୍ରାଏଲ ବିରୋଧରେ ଭାରତର ସମର୍ଥନ ଚାହୁଁଛି କି ଇରାନ ?

ନୂଆଦିଲ୍ଲୀ: ଦିନେ ଇସ୍ରାଏଲ-ଇରାନ ଦୁଇଦେଶ ବନ୍ଧୁ ଥିଲେ। କିନ୍ତୁ ଏବେ ହୋଇଛନ୍ତି ଶତ୍ରୁ। ପରସ୍ପରକୁ ଦେଉଛନ୍ତି ମୁହଁତୋଡ ଜବାବ। କେହି କାହାକୁ ଛାଡିବାକୁ ନାରାଜ। ଦିନକୁ ଦିନ ବଢିବାରେ ଲାଗି ଉତ୍ତେଜନା। ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ସଂକଟ ହୋଇଛି ଘନୀଭୂତ। ଇସ୍ରାଏଲ ଜବାବୀ ଆକ୍ରମଣ କରିବା ନେଇ ଅନୁମାନ କରାଯାଉଛି। ଏହାରି ଭିତୟରେ ଇରାନର ରାଷ୍ଟ୍ରପତି ଏସୀୟ ଦେଶଗୁଡିକର ସାହାଯ୍ୟ ଚାହୁଁଛନ୍ତି। ପେଜେଶକିଆନ୍, ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପୈତୋଙ୍ଗତାର୍ନ ଶିନାୱାତ୍ରାଙ୍କ ସହ ସାକ୍ଷାତ ସମୟରେ ଏସୀୟ ଦେଶମାନଙ୍କୁ ଇସ୍ରାଏଲ ବିରୋଧରେ ଏକଜୁଟ ହେବାକୁ ନିବେଦନ କରିଛନ୍ତି।

ବାସ୍ତବରେ, ଇସ୍ରାଏଲ ଉପରେ ଇରାନର ପ୍ରତିଶୋଧ ପରାୟଣ ଆକ୍ରମଣ ପରେ ଏହି ଅଞ୍ଚଳରେ ଉତ୍ତେଜନା ଯଥେଷ୍ଟ ବୃଦ୍ଧି ପାଇଛି। ବିଶ୍ୱାସ କରାଯାଏ ଯେ ଇରାନର ଆଣବିକ ପ୍ରୋଗ୍ରାମ ଇସ୍ରାଏଲର ଟାର୍ଗେଟରେ ଅଛି। ଏଭଳି ପରିସ୍ଥିତିରେ ମଧ୍ୟପ୍ରାଚ୍ୟରେ ଆଉ ଏକ ଭୟଙ୍କର ସଂକଟ ସୃଷ୍ଟି ହୋଇପାରେ। ତେଣୁ ଗୁରୁବାର ଦିନ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଇରାନ ରାଷ୍ଟ୍ରପତି ଏସିଆ ଦେଶମାନଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି।

ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କହିଛନ୍ତି, ଏସିଆ ଦେଶଗୁଡିକ ସହଯୋଗ ସଂଳାପ ଭଳି ଆଞ୍ଚଳିକ ସଂଗଠନର ଲାଭ ଉଠାଇବା ଉଚିତ । ଏହି ଅଞ୍ଚଳରେ ବିଦେଶୀ ହସ୍ତକ୍ଷେପ ଏବଂ ଇସ୍ରାଏଲର ଅତ୍ୟାଚାରକୁ ରୋକିବା ଉଚିତ୍। ଇସ୍ରାଏଲ୍ ମହିଳା ଏବଂ ଶିଶୁମାନଙ୍କୁ ହତ୍ୟା କରୁଛି ଏବଂ ଆତ୍ମରକ୍ଷା ବାହାନା କରି ଡାକ୍ତରଖାନା, ବିଦ୍ୟାଳୟ ଏବଂ ସାଧାରଣ ନାଗରିକଙ୍କ ଉପରେ ବୋମା ମାଡ କରୁଛି। ଅନ୍ତର୍ଜାତୀୟ ସମ୍ପ୍ରଦାୟର ନୀରବତା ମଧ୍ୟରେ ଏଭଳି ଘଟଣା ଲଜ୍ଜାଜନକ।

ପେଜେଶକିଆନ୍ ବହୁତ ଭଲ ଭାବରେ ଜାଣନ୍ତି ଯେ ଆରବ ଦେଶଗୁଡିକ ଆମେରିକା ଏବଂ ଇସ୍ରାଏଲର ନିକଟତର ହୋଇଥିବାବେଳେ ଏହି ଅଞ୍ଚଳରେ ସର୍ବୋଚ୍ଚତା ସଂଗ୍ରାମ ଏବଂ ଶିଆ-ସୁନ୍ନି ବିବାଦ ହେତୁ ଅଧିକାଂଶ ଆରବ ଦେଶ ଇରାନକୁ ସମର୍ଥନ କରିବେ ନାହିଁ। ଗାଜାରେ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଇରାନ ଆରବ ଦେଶ ସମେତ ସମସ୍ତ ଇସଲାମ ଦେଶକୁ ଇସ୍ରାଏଲ ସହିତ ବାଣିଜ୍ୟ ବନ୍ଦ କରିବାକୁ ବାରମ୍ବାର ନିବେଦନ କରିଛି, କିନ୍ତୁ ଏହାର କୌଣସି ପ୍ରଭାବ ପଡି ନାହିଁ। ଗାଜାରେ ହୋଇଥିବା ଏକ ବର୍ଷ ଯୁଦ୍ଧରେ ପ୍ରାୟ ୪୧ ହଜାର ଲୋକ ପ୍ରାଣ ହରାଇଛନ୍ତି।

ଅନ୍ୟପଟେ ଆମେରିକା, ବ୍ରିଟେନ ଏବଂ ଜର୍ମାନୀ ସମେତ ଅନେକ ପାଶ୍ଚାତ୍ୟ ଦେଶ ଇସ୍ରାଏଲ୍ ସହିତ ଦୃଢ ଭାବରେ ଠିଆ ହୋଇଛନ୍ତି। ତେଣୁ ଏହି ଯୁଦ୍ଧରେ ଦୃଢ ତଥା ନିର୍ଭରଯୋଗ୍ୟ ସମର୍ଥନ ପାଇଁ ପେଜେଶକିଆନ୍ ଏସିଆର ବଡ଼ ବଡ଼ ନେତାଙ୍କ ମାତାମତ ପାଇଁ ଅପେକ୍ଷା କରୁଛନ୍ତି। ଋଷ ଏବଂ ଚୀନ୍ ପୂର୍ବରୁ ଇରାନ ସହିତ ଅଛନ୍ତି, ତେଣୁ ଯଦି ଇରାନ ଭାରତର ସମର୍ଥନ ପାଏ, ତେବେ ଏହି ଉତ୍ତେଜନାକୁ ରୋକିବାରେ ଏହା ସଫଳ ହୋଇପାରିବ।

କେବଳ ଏସିଆରେ ନୁହେଁ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ଭାରତର ସୁନାମ ରହିଛି। ଆମେରିକା ଜାଣେ ଯେ ଏପରି ପରିସ୍ଥିତିରେ ରୁଷ-ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଭାରତର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ହୋଇପାରେ, ଯଦି ଭାରତ ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନାକୁ ରୋକିବାରେ ଆଗକୁ ଆସେ, ତେବେ ଏହା ସମ୍ଭବ ଯେ ଆମେରିକା ସମେତ ପଶ୍ଚିମ ଦେଶ ଏହାକୁ ସମର୍ଥନ କରିବେ।

ଏହା ବ୍ୟତୀତ ଭାରତର ଉଭୟ ଇରାନ ଏବଂ ଇସ୍ରାଏଲ ସହିତ ଦୃଞ ସମ୍ପର୍କ ରହିଛି। ଇସ୍ରାଏଲ-ପାଲେଷ୍ଟାଇନ ବିବାଦରେ ଭାରତ ମଧ୍ୟ ‘ଦୁଇ ରାଷ୍ଟ୍ର ସମାଧାନ’ କୁ ସମର୍ଥନ କରେ। ଭାରତ ହେଉଛି ଗ୍ଲୋବାଲ୍ ସାଉଥ୍ର ଏକ ଶକ୍ତିଶାଳୀ ସ୍ୱର ଏବଂ ଏସିଆର ଦ୍ରୁତ ଗତିରେ ଉଦୀୟମାନ ଅର୍ଥନୀତି। ତେଣୁ ଏହି ଯୁଦ୍ଧକୁ ହ୍ରାସ କରିବାରେ ଭାରତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହୋଇପାରେ। ଏହି କାରଣରୁ ଇରାନର ରାଷ୍ଟ୍ରପତି ଏସୀୟ ଦେଶମାନଙ୍କୁ ଏକାଠି ହେବାକୁ ନିବେଦନ କରୁଛନ୍ତି।

 

Leave A Reply

Your email address will not be published.