Latest Odisha News

ହରିୟାଣା ନିର୍ବାଚନ: ବିଜେପିର ହ୍ୟାଟ୍ରିକ ନା କଂଗ୍ରେସର କମବ୍ୟାକ୍ ? 

ଚଣ୍ଡିଗଡ: ଜମ୍ମୁ ଓ କାଶ୍ମୀରରେ ଐତିହାସିକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ପରେ ହରିୟାଣାର ଭୋଟର୍ ନୂଆ ବିଧାନସଭା ପାଇଁ ସାବ୍ୟସ୍ତ କରିଛନ୍ତି ମତାଧିକାର। ସରିଛି ଭୋଟ୍ ଗ୍ରହଣ । ଆସନ୍ତା ୮ରେ ଗଣତି । ଉଭୟ ବିଜେପି ଓ କଂଗ୍ରେସ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି ହରିୟାଣା ବିଧାନସଭା ନିର୍ବାଚନ। ବିଜେପି ହ୍ୟାଟ୍ରିକ ଲକ୍ଷ୍ୟରେ ରହିଛି । ଆଉ କମବ୍ୟାକର ଆଶା ରଖିଛି କଂଗ୍ରେସ।

୯୦ ଆସନ, ୧ ହଜାର ୩୧ ପ୍ରାର୍ଥୀ

ହାଇପ୍ରୋଫାଇଲ୍ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସରିଛି ଭୋଟ୍ ଗ୍ରହଣ । ରାଜ୍ୟର ସମସ୍ତ ୯୦ ବିଧାନସଭା ଆସନରେ ପଡିଛି ଭୋଟ୍ । ଏବେ ଅକ୍ଟୋବର ୮ ତାରିଖକୁ ଅପେକ୍ଷା । ସେଦିନ ଜଣାପଡିବ ଭୋଟର ଏଥର କେଉଁ ଦଳ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ପୁଣି କ୍ଷମତା ହାସଲ କରି ହ୍ୟାଟ୍ରିକ ପାଇଁ ବିଜେପି ଲକ୍ଷ୍ୟ ରଖିଥିବା ବେଳେ ୧୦ ବର୍ଷ ପରେ ଗ୍ରାଣ୍ଡ୍ କମବ୍ୟାକ୍ ପାଇଁ ଆଶା ରଖିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଦା, ରେସଲରରୁ ନେତା ହୋଇଥିବା ଭିନେଶ ଫୋଗଟ, ଜେଜେପି ନେତା ଦୁଷ୍ୟନ୍ତ ଚୌତାଲାଙ୍କ ସମେତ ୧ ହଜାର ୩୧ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଣ୍ଣୟ କରିବ ଏଥରର ନିର୍ବାଚନ।

ସହଜ ନାହିଁ ବିଜେପିର ହ୍ୟାଟ୍ରିକ ଲକ୍ଷ୍ୟ ହାସଲ

ହରିୟାଣାରେ ଗତ ୧୦ ବର୍ଷ ଧରି କ୍ଷମତାରେ ରହିଛି ବିଜେପି । ଲଗାତର ତୃତୀୟ ଥର ପାଇଁ କ୍ଷମତା ହାସଲ ପାଇଁ ଲକ୍ଷ୍ୟ ରଖିଛି ଦଳ । ତେବେ ୧୦ ବର୍ଷ କ୍ଷମତାରେ ରହିଥିବାରୁ ସରକାର ବିରୋଧୀ ହାୱା ବିଜେପିର ହ୍ୟାଟ୍ରିକ ଲକ୍ଷ୍ୟରେ ବଡ ପ୍ରତିବନ୍ଧକ ହୋଇପାରେ । ୨୦୧୪ରେ ମୋଦି ଲହରୀ ବଳରେ କଂଗ୍ରେସକୁ କ୍ଷମତାଚ୍ୟୁତ କରି ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିଥିଲା ବିଜେପି । ୯୦ ମଧ୍ୟରୁ ୪୭ ଆସନ ଜିତିଥିଲା ଦଳ । ମନୋହର ଲାଲ୍ ଖଟ୍ଟର ହୋଇଥିଲେ ହରିୟାଣାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ୨୦୧୯ରେ କ୍ଷମତା ବଜାୟ ରଖିଥିଲେ ମଧ୍ୟ କମ୍ ଆସନ ପାଇଥିଲା ବିଜେପି । ବିଜେପି ୪୦, କଂଗ୍ରେସ ୩୧ ଓ ଜନନାୟକ ଜନତା ପାର୍ଟି-ଜେଜେପି ୧୦ ଆସନରେ ବିଜୟୀ ହୋଇଥିଲା । ଜେଜେପି ସମର୍ଥନରେ ଲଗାତର ଦ୍ୱିତୀୟ ଥର ପାଇଁ ବିଜେପି କ୍ଷମତାକୁ ଆସିଥିଲା । ପୁଣି ମନୋହର ଲାଲ୍ ଖଟ୍ଟର ହୋଇଥିଲେ ମୁଖ୍ୟମନ୍ତ୍ରୀ । ପରେ ଜେଜେପି ବିଜେପି ସରକାରରୁ ଓହରି ଆସିଥିଲା । ମନୋହର ଖଟ୍ଟରଙ୍କୁ ହଟାଇ ନାୟବ ସିଂହ ସୈନିଙ୍କୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି । ବଦଳିଛି ସମୀକରଣ । ପରିବର୍ତ୍ତିତ ରାଜନୈତିକ ସମୀକରଣ ମଧ୍ୟରେ ବିଜେପି ପାଇଁ କ୍ଷମତା ବଜାୟ ରଖିବା କଠିନ ବୋଲି କିଛି ରାଜନୈତିକ ବ୍ୟାପାର ବିଶେଷଜ୍ଞ ମତ ଦେଇଛନ୍ତି । ବିଜେପିର ବିକାଶ ଏଜେଣ୍ଡା ଦଳକୁ ନିର୍ବାଚନୀ ବୈତରଣୀ ପାର କରିବ ବୋଲି ଆଶାବାଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି।

ଲୋକସଭା ନିର୍ବାଚନ ପ୍ରଦର୍ଶନ ଦୋହରାଇବା ଆଶାରେ କଂଗ୍ରେସ 

କିଛି ବିଶେଷଜ୍ଞଙ୍କ ମତରେ ଏଥର ହରିୟାଣା ବିଧାନସଭାରେ କଂଗ୍ରେସକୁ ଫାଇଦା ହୋଇପାରେ । ଲୋକସଭା ନିର୍ବାଚନର ସଫଳତା ଦୋହରାଇବା ଆଶା ରଖିଛି କଂଗ୍ରେସ । ଦଳର ନିର୍ବାଚନୀ ଇସ୍ତାହରାରେ ରହିଛି ଅନେକ ଲୋଭନୀୟ ପ୍ରତିଶ୍ରୁତି । ୭ଟି ଗ୍ୟାରେଂଟି ବଳରେ ୧୦ ବର୍ଷ ପରେ ପୁଣି କ୍ଷମତାକୁ ଫେରିବା ଆଶା ରଖିଛି କଂଗ୍ରେସ । ଜାତିଭିତ୍ତିକ ଜନଗଣନା, ଏମଏସପି ପାଇଁ ଆଇନଗତ ପ୍ରତିଶ୍ରୁତି ଓ ମହିଳାମାନଙ୍କୁ ପ୍ରତିମାସରେ ୨ ହଜାର ଟଙ୍କା ଭତ୍ତା ଭଳି ଗ୍ୟାରେଂଟି ଦେଇଛି କଂଗ୍ରେସ । ଅଗ୍ନିବୀର ସ୍କିମ ପ୍ରତି ଅସନ୍ତୋଷ, କୃଷକ ଓ ରେସଲରଙ୍କ ଆନ୍ଦୋଳନ ଦଳ ପାଇଁ ସହାୟକ ହେବ ବୋଲି ଆଶା ରଖିଛି କଂଗ୍ରେସ । ଆମ ଆଦମୀ ପାର୍ଟି ଓ ଜେଜେପି ଭଳି ଦଳ ଝୁଲା ବିଧାନସଭା ପରିସ୍ଥିତିରେ କିଙ୍ଗ୍ ମେକର ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି । ଆମ୍ ଆଦମୀ ପାର୍ଟି ଏଥର ଅପେକ୍ଷାକୃତ ଭଲ ପ୍ରଦର୍ଶନ ପାଇଁ ଆଶା ରଖିଛି । ଭୋଟ୍ ସରିଛି । ଏକଜିଟ୍ ପୋଲ୍ ଫଳାଫଳ ଆସିଯାଇଛି । ଏବେ ଡି-ଡେ’ ମାନେ ଅକ୍ଟୋବର ୮ ତାରିଖ ଭୋଟ ଗଣତିକୁ ଅପେକ୍ଷା।

 

 

Leave A Reply

Your email address will not be published.