Latest Odisha News

ବଢୁଛି ଡିଜିଟାଲ ନେଣଦେଣ ଚାହିଦା, ରେକର୍ଡ କଲା ୟୁପିଆଇ

ଭୁବନେଶ୍ବର: ଦିନକୁ ଦିନ ଡିଜିଟାଲ ବା ଅନଲାଇନ ପେମେଣ୍ଟର ଚାହିଦା ବୃଦ୍ଧି ହେବାରେ ଲାଗିଛି । ଟଙ୍କା ନେଣଦେଣ ପାଇଁ ଏହା ଏକ ସୁବିଧା ବହୁଳ ପ୍ରକ୍ରିୟା । ଯାହାକୁ ଦେଖ ସେ ପ୍ରଥମେ ଅନଲାଇନ ପେମେଣ୍ଟ କଥା ହିଁ ପଚାରିବ । ଆଉ ଗ୍ରାହକଙ୍କ ଚାହିଦା ଦେଖି ବଡ ବଡ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଛୋଟ ନିବେଶକଟି ବି ଏବେ ଡିଜିଟାଲ ମାଧ୍ୟମକୁ ହିଁ ବ୍ୟବହାର କରୁଛି । ଯାହାର କ୍ଷେତ୍ର ଏବେ ବୃଦ୍ଧି ପାଇବାରେ ଲାଗିଥିବା ଦର୍ଶାଇଛି ଓ୍ବାଲ୍ଡଲାଇନ ଇଣ୍ଡିଆର ଡିଜିଟାଲ ପେମେଣ୍ଟ ରିପୋର୍ଟ ।

ଚଳିତ ବର୍ଷ ଜାନୁୟାରୀରୁ ଜୁନ୍ ମାସ ଭିତରେ ଦେଶର ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ ଜରିଆରେ ଡିଜିଟାଲ ନେଣଦେଣ ହାର ବୃଦ୍ଧି ପାଇଥିବା ରିପୋର୍ଟରେ ଦର୍ଶାଯାଇଛି । ଆଉ ସବୁଠୁ ବେଶୀ ଡିଜିଟାଲ ପେମେଣ୍ଟ ନେଣଦେଣ ୟୁପିଆଇ ଦ୍ବାରା ହିଁ ହୋଇଛି । ଚଳିତ ବର୍ଷ ଏଥିରେ ୭ ହଜାର ୮ଶହ କୋଟିରୁ ଅଧିକ କାରବାର ହୋଇଛି ଯାହାକି ଗତବର୍ଷ ଠାରୁ ୫୨ ପ୍ରତିଶତ ଅଧିକ । ଏଥିସହିତ କ୍ରେଡିଟ୍ କାର୍ଡ ବ୍ୟବହାର ମଧ୍ୟ ବୃଦ୍ଦି ପାଇଥିବା ଉଲ୍ଲେଖ ରହିଛି ।

ରିପୋର୍ଟ କହୁଛି, ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ୮୯ ଲକ୍ଷରୁ ଅଧିକ ପିଓଏସ ଟର୍ମିନାଲ ସ୍ଥାପନ କରାଯାଇଥିବା ବେଳେ ୟୁପିଆଇ କ୍ୟୁଆର କୋଡ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ତେବେ ୧୦ଟି ବ୍ୟାଙ୍କ ୯୫ ପ୍ରତିଶତ ପିଓଏସ ଟର୍ମିନାଲ କାର୍ଯ୍ୟକାରୀ କରାଇଥିବା ବେଳେ ବିଭିନ୍ନ ଦୋକାନ, ରେସ୍ତୋରାଁ, ସର୍ଭିସ୍ ଷ୍ଟେସନ, ସରକାରୀ ସେବା ,ଡାକ୍ତରଖାନାରେ ସର୍ବାଧିକ ଡିଜିଟାଲ ନେଣଦେଣ ପରିମାଣର ପ୍ରାୟ ୬୮ ପ୍ରତିଶତ କାରବାର ହୋଇଛି ।

ତେବେ ଡିଜିଟାଲି ନେଣଦେଣ କରିବାରେ ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ଣ୍ଣାଟକ, ଦିଲ୍ଲୀ, ତେଲଙ୍ଗାନା, ଉତ୍ତରପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଶୀର୍ଷ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପାଇଛନ୍ତି।

Leave A Reply

Your email address will not be published.