Latest Odisha News

ବିଜେଡି କଳି ! ନବୀନ ହେବେ କି ସଂକଟମୋଚକ ?

ଭୁବନେଶ୍ବର: ପରାଜୟ ପରଠୁ ବିଜେଡିରେ କଳି ବଢିବାରେ ଲାଗିଛି। କ୍ଷମତାରେ ଥିବା ବେଳେ ମୁହଁ ଖୋଲୁନଥିବା ନେତା ଏବେ ସିଧାସଳଖ ଜବାବ ମାଗିଲେଣି । ବରିଷ୍ଠ ନେତା ଅମର ଶତପଥୀ ପରାଜୟର ଦାୟିତ୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନେବାକୁ କହିବା ପରେ ସରଗରମ ହେଲାଣି ରାଜନୀତି। ପୂର୍ବରୁ ଗୋଷ୍ଠୀ କନ୍ଦଳ ନେଇ ବିଜେଡି ବିଧାୟକ ସୌଭିକ ବିଶ୍ବାଳ ଖୋଲାଖୋଲି କହିଥିବା ବେଳେ ନିର୍ବାଚନ ପରିଚାଳନାକୁ ନେଇ ଆଙ୍ଗୁଳି ଉଠାଇଥିଲେ ପ୍ରଦୀପ ମାଝୀ, ବଦ୍ରିନାରାୟଣ ପାତ୍ର, ଅବିନାଶ ସାମଲଙ୍କ ପରି ଅନେକ ନେତା । ଦଳ ଗଠନ ପରଠୁ ସବୁଠୁ ଜଟିଳ ସ୍ଥିତିରେ ବିଜେଡି । ତେବେ ପ୍ରଶ୍ନ ଉଠୁଛି, ଗୋଷ୍ଠୀ କନ୍ଦଳ ତୁଟାଇବାକୁ ନବୀନ ହେବେ କି କ୍ରାଇସିସ୍ ମ୍ୟାନେଜର?

ବଢିଲାଣି ବିଜେଡି ଅସନ୍ତୋଷ

ନିର୍ବାଚନ ହାରିବା ପରଠୁ ବିଜେଡିରେ ଅସନ୍ତୋଷ ବଢିବାରେ ଲାଗିଛି । ବରିଷ୍ଠ ନେତା ଅମର ଶତପଥୀ ଏବେ ପରାଜୟର ଜବାବ ମାଗିଛନ୍ତି । ନବୀନ ପଟ୍ଟନାୟକଙ୍କୁ ନେତା ବାଛିଥିଲେ, ଓଡିଶା ଲୋକ ନବୀନବାବୁଙ୍କୁ ଭୋଟ୍ ଦେଇଥିଲେ। ବିଜୟର ଶ୍ରେୟ ଯେମିତି ନେଇଥିଲେ ପରାଜୟର ବି ନବୀନ ଦାୟିତ୍ବ ନିଅନ୍ତୁ। ସମୀକ୍ଷା କରି ଦଳକୁ ଠିକ ବାଟରେ ଚଲାଇଲେ ହିଁ ଦଳ ଠିକ୍ ବାଟରେ ଚାଲିପାରିବ । ଭିକେ ପାଣ୍ଡିଆନଙ୍କୁ ନେତା କରିନଥିଲୁ, ନବୀନଙ୍କୁ ବାଛିଥିଲୁ। ତେଣୁ ଉତ୍ତର ନବୀନ ପଟ୍ଟନାୟକ ଦେବା କଥା ବୋଲି ଅମର ଶତପଥୀ କହିଛନ୍ତି । ଅମର ଶତପଥୀଙ୍କ ଏଭଳି ବୟାନକୁ ନେଇ ରାଜନୀତି ସରଗରମ ହୋଇଛି । ପୂର୍ବରୁ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ଚର୍ଚ୍ଚାରେ ଥିଲେ ଅମର ।

ନିର୍ବାଚନ ପରାଜୟ, ଦାୟୀ କିଏ?

କାହିଁକି ନିର୍ବାଚନ ହାରିଲା ବିଜେଡି, ସେନେଇ ନବୀନ ଜିଲ୍ଲାଓ୍ବାରୀ ସମୀକ୍ଷା କରିଥିଲେ । ଏହି ସମୟରେ ନିର୍ବାଚନ ପରିଚାଳନାକୁ ନେଇ ଖୋଲାଖୋଲି ଅସନ୍ତୋଷ ଝାଡିଥିଲେ ବରିଷ୍ଠ ନେତା । ନିର୍ବାଚନ ପୂର୍ବରୁ ମେଣ୍ଟ ଚର୍ଚ୍ଚା, ଦଳ ଭିତରେ ଅନ୍ତକନ୍ଦଳ ଓ ନିର୍ବାଚନ ପରିଚାଳନାକୁ ଦୋଷ ଦେଇଥିଲେ ନବରଙ୍ଗପୁରର ଟାଣୁଆ ନେତା ପ୍ରଦୀପ ମାଝୀ। ସେହିପରି ନବୀନ ବାବୁ ନିର୍ବାଚନ ପ୍ରଚାରରେ ବୁଲିଥିଲେ ଦଳ କ୍ଷତି ସହିନଥାନ୍ତା ବୋଲି ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର କହିଥିଲେ । ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଅବିନାଶ ସାମଲ କ୍ୟାଡରଙ୍କ ଓଭର କନଫିଡେନ୍ସକୁ ଦାୟୀ କରିଥିଲେ । କେଉଁଠି ନା କେଉଁଠି ବିଜେଡିର ନିର୍ବାଚନ ପରିଚାଳନା ଯେ ଠିକ୍ ନଥିଲା, ସେନେଇ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲେ ।

କ୍ରାଇସିସ୍ ମ୍ୟାନେଜର ହେବେ ନବୀନ !

ନିର୍ବାଚନ ପରଠୁ ବିଜେଡିରେ ଦେଖା ଦେଇଥିବା ଅସନ୍ତୋଷର ସମାଧାନ ଦଳର ସଭାପତି ନବୀନ ପଟ୍ଟନାୟକ ହିଁ କରିପାରିବେ। କାରଣ ବିଜେଡିରେ ନବୀନ ହିଁ ଏକମାତ୍ର ଚେହେରା। ନିର୍ବାଚନ ପରଠୁ ଦଳକୁ ଏକଜୁଟ୍ କରିବାକୁ ଉଦ୍ୟମ ବି କରୁଛନ୍ତି ନବୀନ । ଜିଲ୍ଲାଓ୍ବାରୀ ସମୀକ୍ଷା କରି ନେତାଙ୍କୁ ସିଧାସଳଖ ଶୁଣିଛନ୍ତି ନବୀନ । ନେତାଙ୍କ ଅସନ୍ତୋଷ ତଥା ମତ ମନ୍ତବ୍ୟ ବୁଝିଛନ୍ତି । ଏବେ ସେସବୁକୁ କେମିତି ତୁଟାଇବେ? ତାହା ନବୀନଙ୍କ ଉପରେ ନିର୍ଭର କରୁଛି। ବରିଷ୍ଠ ନେତାଙ୍କୁ ଏକାଠି କରି ସଂଗଠନକୁ ମଜବୁତ କରିବାକୁ କେଉଁ ଗୋଟି ଚଳାଇବେ ନବୀନ? କେମିତି ଦଳର ସବୁଠୁ ଖରାପ ସମୟରେ କରିବେ ଡ୍ୟାମେଜ କଣ୍ଟ୍ରୋଲ? ତାଉପରେ ନଜର ରହିବ ।

ନିର୍ବାଚନରେ ହାରିବା ପରଠୁ ସାଧାରଣ ଭାବେ ଭିଡଠୁ ଦୂରେଇ ରହୁଥିବା ନବୀନ ଅଧିକ ନଜର ଆସୁଛନ୍ତି । ଗଣେଶ ପୂଜା ହେଉ କି ଦୁର୍ଗାପୂଜା, ମଣ୍ଡପ ବୁଲିବା ସହ ଲୋକଙ୍କ ସହ ସିଧାସଳଖ କଥା ହେଉଛନ୍ତି । ଆସନ୍ତା ମାସରୁ ଜିଲ୍ଲା ଗସ୍ତରେ ବି ଯିବେ ନବୀନ। ନିର୍ବାଚନ ହାରିଥିଲେ ବି ନବୀନଙ୍କ ଗସ୍ତ ବେଳର ଭିଡ ପ୍ରମାଣ କରୁଛି ତାଙ୍କ ଲୋକପ୍ରିୟତା ଆଗଭଳି ରହିଛି। ଏବେବି ଲୋକଙ୍କ ଭିତରେ ନବୀନ କ୍ରେଜ୍ କମିନି । ତୃଣମୂଳସ୍ତରରେ ସଂଗଠନ ବି ବିଜେଡିର ମଜବୁତ । ତେଣୁ ନେତାଙ୍କୁ ଏକାଠି କରି ନବୀନ ଦଳକୁ ଆଗେଇ ନେଲେ ଶାସକ ବିଜେପିକୁ ଚ୍ୟାଲେଞ୍ଜ ଦେଇପାରିବ ବିଜେଡି ।

Leave A Reply

Your email address will not be published.