Latest Odisha News

ଫାଇନାଲରେ ସଦର୍ଣ୍ଣ ସୁପରଷ୍ଟାର୍ସ: କୋଣାର୍କ ସୂର୍ଯ୍ୟାସ ନିକଟରେ ଏବେ ବି ରହିଛି ସୁଯୋଗ

ଶ୍ରୀନଗର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ପ୍ରଥମ କ୍ୱାଲିଫାୟରରେ ସଦର୍ଣ୍ଣ ସୁପରଷ୍ଟାର୍ସ ୭ ୱିକେଟରେ କୋଣାର୍କ ସୂର୍ଯ୍ୟାସ ଓଡିଶାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । କୋଣାର୍କ ସୂର୍ଯ୍ୟାସ ସୋମବାର ଦ୍ୱିତୀୟ କ୍ୱାଲିଫାୟରରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ଟୋୟାମ ହାଇଦ୍ରାବାଦ ମଧ୍ୟରେ ୧୩ରେ ହେବାକୁ ଥିବା ମ୍ୟାଚର ବିଜେତାଙ୍କୁ ଭେଟିବ । ଓଡିଶା କ୍ରିକେଟପ୍ରେମୀ ଏବେ ବି କୋଣାର୍କ ସୂର୍ଯ୍ୟାସ ଟିମ ଫାଇନାଲରେ ପ୍ରବେଶ କରିବ ବୋଲି ଦୃଢ଼ ଆଶାରେ ରହିଛନ୍ତି ।

ଟସ ଜିତି ସଦର୍ଣ୍ଣ ସୁପରଷ୍ଟାର୍ସର ଅଧିନାୟକ କେଦାର ଯାଦବ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । କୋଣାର୍କ ସୂର୍ଯ୍ୟାସ ୨୦ ଓଭରରେ ୮ ୱିକେଟ ହରାଇ ୧୪୮ ରନ କରିଥିଲା । ମାତ୍ର ୮ ରନରେ ଦଳ ୪ଟି ୱିକେଟ ହରାଇ ବିପଦରେ ପଡିଥିଲା । ୫ମ ୱିକେଟରେ ରିଚାର୍ଡ ଲେଭୀ ଓ ଅଧିନାୟକ ଇରଫାନ ପଠାନ ୪୫ ରନ ଯୋଗ କରିଥିଲେ । ଲେଭୀ ୨୫ ରନ କରି ଆଉଟ ହୋଇଥିଲେ । ଷଷ୍ଠ ୱିକେଟରେ ଦୁଇ ଭାଇ ଇରଫାନ ଓ ୟୁସୁଫ ପଠାନ ଇନିଂସ ସମ୍ଭାଳିଥିଲେ । ସେମାନେ ୬୧ ରନ ଯୋଗ କରିଥିଲେ ।

ୟୁସୁଫ ୨୧ ବଲରୁ ୪୩ ଓ ଇରଫାନ ୪୭ ବଲରୁ ୬୧ ରନ କରିଥିଲେ । ସଦର୍ଣ୍ଣ ସୁପରଷ୍ଟାର୍ସ ପକ୍ଷରୁ ହାମିଦ ହସନ, ଅବଦୁର ରଜାକ, ସୁବୋଧ ଭାଟି ଓ କେଦାର ଯାଦଭ ୨ଟି ଲେଖାଏଁ ୱିକେଟ ନେଇଥିଲେ । ୧୪୯ ରନର ଲକ୍ଷ୍ୟକୁ ସଦର୍ଣ୍ଣ ଟିମ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ହାମିଲଟନ ମାସକାଜା ଓ ଶ୍ରୀବତ୍ସ ଗୋସ୍ୱାମୀ ଦ୍ୱିତୀୟ ୱିକେଟରେ ୮୨ ରନ ଯୋଗ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ମାସକାଜା ୬୭ ଓ ଗୋସ୍ୱାମୀ ୨୭ ରନ କରିଥିଲେ । ପୱନ ନେଗୀ ଦ୍ରୁତ ୪୦ ରନ କରି ଅପରାଜିତ ରହିଥିଲେ । ଦୀବେଶ ପଠାନିଆ, କେପି ଆପ୍ପନା ଓ ବିନୟ କୁମାର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ମାସକାଜା ଲିଜେଣ୍ଡ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.