Latest Odisha News

ରଘୁବର ଲଢିବେ ନା ଛାଡିବେ?

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ପାଇଁ ବିଗୁଲ ବାଜିବା ପରେ ସବୁଠୁ ବଡ ପ୍ରଶ୍ନ । ନିର୍ବାଚନ ଲଢିବେ କି ଓଡିଶା ରାଜ୍ୟପାଳ ରଘୁବର ଦାସ? ଝାଡ଼ଖଣ୍ଡ ରାଜନୀତିକୁ ଫେରିବେ କି ରଘୁବର? ରାଜ୍ୟପାଳ ପଦ ଛାଡି ପ୍ରତ୍ୟକ୍ଷ ରାଜନୀତିକୁ ରଘୁବର ଦାସ ଫେରିବା ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ହୋଇ ଆସୁଛି। ଝାଡ଼ଖଣ୍ଡରେ ବି ବେଶ୍ ଆକ୍ଟିଭ ରହିଛନ୍ତି ରଘୁବର । ରାଜଭବନରେ ଝାଡ଼ଖଣ୍ଡରେ ବିଜେପି ନିର୍ବାଚନ ସହପ୍ରଭାରୀ ହିମନ୍ତ ବିଶ୍ବଶର୍ମାଙ୍କ ସହ ସାକ୍ଷାତକାର ହେଉ କି ନୂଆଦିଲ୍ଲୀରେ ଦଳର ଟପ୍ ନେତାଙ୍କ ସହ ଆଲୋଚନା, ରଘୁବର ଫେରିବା ଚର୍ଚ୍ଚା ସରଗରମ ହୋଇଛି । ଏବେ ନିର୍ବାଚନ ତାରିଖ ଆସିବା ପରେ ପ୍ରଶ୍ନ, ରଘୁବର ଲଢିବେ ନା ଛାଡିବେ?

ଝାଡ଼ଖଣ୍ଡ ରାଜନୀତିରେ ‘ରଘୁବର’ ଚର୍ଚ୍ଚା

ଜାମସେଦପୁର ପୂର୍ବ ଆସନରୁ ନିର୍ବାଚନ ଲଢି ଝାଡ଼ଖଣ୍ଡ ରାଜନୀତିକୁ ଫେରିବେ କି ରଘୁବର ଦାସ? ଏନେଇ ଚର୍ଚ୍ଚା ଜୋରଦାର ଚାଲିଥିବା ବେଳେ ଜାମସେଦପୁର ପୂର୍ବ ସିଟକୁ ନେଇ ଦ୍ବନ୍ଦ୍ବ ରହିଛି । ଗତଥର ଏହି ସିଟରୁ ରଘୁବରଙ୍କୁ ହରାଇଥିବା ସରୟୁ ରାୟ ଏବେ ଜେଡିୟୁରେ । ଝାଡ଼ଖଣ୍ଡରେ ବିଜେପି ସହ ମେଣ୍ଟ କରିବ ଜେଡିୟୁ । ସିଟ୍ ଭାଗବଣ୍ଟା ଶେଷ ପର୍ଯ୍ୟାୟରେ ରହିଥିବା ହିମନ୍ତ ବିଶ୍ବଶର୍ମା କହିଛନ୍ତି । ତେବେ ଜାମସେଦପୁର ପୂର୍ବ ଆସନ ବିଜେପି ପାଖରେ ରହିବ କି ଜେଡିୟୁକୁ ମିଳିବ, ତା ଉପରେ ନଜର ରହିଛି । ଜାମସେଦପୁର ପୂର୍ବ ରଘୁବରଙ୍କ ପାରମ୍ପରିକ ଆସନ । ତେବେ ପ୍ରଶ୍ନ ଉଠୁଛି ଏହି ଆସନ ପାଇଁ, ସିଟିଂ ଏମଏଲଏ ସରୟୁ ରାୟ ନା ରଘୁବର ଦାସ, କାହାକୁ ବାଛିବ ବିଜେପି?

ଓବିସି ଭୋଟବ୍ୟାଙ୍କ

ଝାଡ଼ଖଣ୍ଡ ଓବିସି ଭୋଟରଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ରଘୁବର ଦାସଙ୍କର ଏହି ସମୁଦାୟ ଉପରେ ଭଲ ପକଡ ରହିଛି । ଏଥିରେ ତେଲି-ସାହୁ ସବୁଠୁ ଅଧିକ ୨୨ରୁ ୨୪ପ୍ରତିଶତ ରହିଛନ୍ତି । ସେମାନେ ପାରମ୍ପରିକ ଭାବେ ବିଜେପିକୁ ସମର୍ଥନ କରି ଆସୁଛନ୍ତି । ରଘୁବର ଦାସ ଝାଡ଼ଖଣ୍ଡ ରାଜନୀତିକୁ ଫେରିଲେ ଏହି ଭୋଟବ୍ୟାଙ୍କ ବିଜେପି ନିଜ ପାଖରେ ରଖିବାକୁ ସମର୍ଥ ହେବ ବୋଲି କୁହାଯାଉଛି । କାରଣ ଓଡିଶାର ରାଜ୍ୟପାଳ ପଦରେ ରହିଲେ ରଘୁବର ସକ୍ରିୟ ଭାବେ ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଇ ପାରିବେନି । ତେଣୁ ରଘୁବର ଝାଡଖଣ୍ଡ ରାଜନୀତିକୁ ଫେରିବାକୁ ତାଙ୍କ ସମର୍ଥକ ଚାପ ପକାଉଛନ୍ତି । ଏପରିକି ରଘୁବରଙ୍କୁ ରାଜଭବନରେ ବି ତାଙ୍କର ଅନେକ ସମର୍ଥକ ଭେଟୁଛନ୍ତି ।

ସହଜ ନୁହେଁ ରଘୁବରଙ୍କ ଫେରିବା ବାଟ

ଓଡିଶା ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ରାଜନୀତିକୁ ଫେରିବା ବାଟ ସହଜ ନୁହେଁ । ନିଜ ପାରମ୍ପରିକ ସିଟରୁ ନିର୍ବାଚନ ଲଢିବାକୁ ନେଇ ରହିଛି ସରୟୁ ରାୟ ଦ୍ବନ୍ଦ୍ବ। ସେପଟେ ଝାଡଖଣ୍ଡ ରାଜନୀତିରେ ରଘୁବରଙ୍କୁ ମିଳିନପାରେ ପୂର୍ବ ଭଳି ନେତୃତ୍ବ । କାରଣ ଗତ କିଛି ବର୍ଷ ହେଲା ବାବୁଲାଲ ମାରାଣ୍ଡିଙ୍କୁ ରାଜ୍ୟ ବିଜେପିରେ ମିଳିଛି ଫ୍ରିହ୍ୟାଣ୍ଡ । ରଘୁବର ଓଡିଶା ରାଜ୍ୟପାଳ ଓ  ଅର୍ଜୁନ ମୁଣ୍ଡା କେନ୍ଦ୍ରମନ୍ତ୍ରୀ ହେବା ପରେ ଏକପ୍ରକାର ଝାଡ଼ଖଣ୍ଡ ବିଜେପିର ଚେହେରା ପାଲଟିଛନ୍ତି ବାବୁଲାଲ ମାରାଣ୍ଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବି ଏବେ ବିଜେପିରେ। ତେଣୁ ରଘୁବର ଝାଡଖଣ୍ଡ ରାଜନୀତିକୁ ଫେରିଲେ ବି ପ୍ରତିଦ୍ବନ୍ଦ୍ବୀ ଅନେକ ରହିଛନ୍ତି ।

ଜାମସେଦପୁର ପୂର୍ବ ଆସନରୁ ପାଞ୍ଚ ପାଞ୍ଚ ଥର ବିଧାୟକ ରହିଛନ୍ତି ରଘୁବର। ୨୦୧୯ ନିର୍ବାଚନରେ ବିଜେପି ବିଦ୍ରୋହୀ ସରାୟୁ ରାୟ ସ୍ବାଧୀନ ଭାବେ ଲଢି ରଘୁବର ଦାସଙ୍କୁ ହରାଇଥିଲେ । ତେଣୁ ରଘୁବରଙ୍କ ଉପରେ କେତେ ଭରସା କରିବ ବିଜେପି, ତାଉପରେ ନଜର ରହିଛି । ଚର୍ଚ୍ଚା ହେଉଛି, ଓଡିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଇପାରନ୍ତି ରଘୁବର । ଏହାପରେ ପୁଣି ବିଜେପିରେ ସାମିଲ ହୋଇ ସକ୍ରିୟ ରାଜନୀତିକୁ ଫେରିପାରନ୍ତି । ତେବେ ରଘୁବରଙ୍କୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଚେହେରା କରିନପାରେ ଦଳ ।

Comments are closed.