Latest Odisha News

ବିଜେଡିକୁ ନେଇ କ’ଣ କହିଲେ ଜୟନାରାୟଣ?

ଭୁବନେଶ୍ବର: ବିଜେଡିର ଆୟୁଷ କମ ଦିନ । ଖୁବ୍ ଶୀଘ୍ର ଭାଙ୍ଗି ଛିନଛତ୍ର ହୋଇଯିବ ଦଳ । ବିଜେଡିକୁ ନେଇ ଏଭଳି ଭବିଷ୍ୟବାଣୀ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଅନେକ ବିଜେଡି ନେତା ବିଜେପି ସହ ଯୋଗାଯୋଗରେ ରହିଥିବା ବେଳେ ଦୁର୍ନୀତିମୁକ୍ତଙ୍କ କଥା ବିଚାର କରାଯିବ ବୋଲି ଜୟନାରାୟଣ କହିଛନ୍ତି । ତେବେ ନିଜ ଦଳ କଥା ଚିନ୍ତା ନକରି ଖାଲି ଶୂନ୍ୟରେ ହାବେଳୀ ମାରିବା ପାଇଁ ଜାତୀୟ ଦଳ ଉଦ୍ୟମ କରୁଥିବା ବିଜେଡି କହିଛି । ସେପଟେ ପିସିସି ଗଠନ ହେବା ପରେ ଅନେକ ନେତା କଂଗ୍ରେସକୁ ଆସିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ ।

ବିଜେଡିର ଆୟୁଷ କମ୍ ଦିନ !

ବିଜେଡି ଅସ୍ଥାୟୀ ଦଳ, ବହୁତ ଜଲଦି ବିଜେଡି ଭାଙ୍ଗି ଛିନଛତ୍ର ହୋଇଯିବ । କନ୍ଦଳ ଆହୁରି ବ୍ୟାପକ ଚାଲିବ, ବିଜେଡି ଲୋପ ପାଇଯିବ ବୋଲି କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଅନେକ ବିଜେଡି ନେତା ଯୋଗାଯୋଗରେ ଅଛନ୍ତି, ସେମାନେ ଶୀଘ୍ର ପଦ୍ମ ଶିବିରରେ ଯୋଗଦେବେ । ବିଜେଡି ପାଖରେ ଆଉ ନେତୃତ୍ବ ନାହିଁ । ଦଳରେ ନେତାଙ୍କୁ ଚାକର ଭଳି ରଖିଥିଲେ । ନେତାମାନେ ଦରି ପକାଇଲେ, ଟେଣ୍ଟ ଗାତ ଖୋଳିଲେ, ଚେୟାର ବୋହିଲେ । ଏବେ ସେମାନେ ପ୍ରତିଶୋଧ ନେବା ମୁଡକୁ ଆସିଯାଇଛନ୍ତି। ଆଗକୁ ରାଜ୍ୟରେ କେବଳ ଦୁଇଟି ଦଳ ରହିବ ବୋଲି ଜୟନାରାୟଣ କହିଛନ୍ତି । ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବିଜେଡି ଖାଲି ହୋଇଯିବ ବୋଲି କହିଥିଲେ।

ଶୂନ୍ୟରେ ହାବେଳୀ ମାରିବାକୁ ବ୍ୟଗ୍ର

ଜୟନାରାୟଣଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛି ବିଜେଡି । ଦିବାସ୍ବପ୍ନ ଦେଖିବାକୁ କାହାକୁ ମନା ନାହିଁ, କିଏ ଦେଖିବାକୁ ଚାହୁଁଥିଲେ ଦେଖନ୍ତୁ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି । କିଛି ଜାତୀୟ ଦଳ ନିଜ ଘର କଥା ଚିନ୍ତା ନକରି, ନିଜ ଦଳ କଥା ଚିନ୍ତା ନକରି ଖାଲି ଶୂନ୍ୟରେ ହାବେଳୀ ମାରିବା ପାଇଁ ବ୍ୟଗ୍ରତା ଦେଖାଉଛନ୍ତି। ସେମାନେ ପ୍ରଥମେ ନିଜର ପ୍ରାଥମିକ ଦାୟିତ୍ବ ତୁଲାନ୍ତୁ । ଅନ୍ୟ ଦଳ କଥା ଗପି ବାହାସ୍ଫୋଟ ନମାରନ୍ତୁ । ଜୟନାରାୟଣଙ୍କ ବିବୃତ୍ତିର କିଛି ମୂଲ୍ୟ ନାହିଁ ବୋଲି ଲେନିନ କହିଛନ୍ତି ।

କଂଗ୍ରେସକୁ ଆସିବେ ବିଜେଡି ନେତା !

ବିଜେଡିକୁ ନେଇ ଜୟନାରାୟଣ ମିଶ୍ର ଭବିଷ୍ୟବାଣୀ କରିଛନ୍ତି ତ ବଡ଼ ବୟାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ। ପିସିସି ଗଠନ ହେବା ପରେ କଂଗ୍ରେସ ଟ୍ରାକକୁ ଆସିବ । ବିଜେଡିରେ ନେତା ଅନିଶ୍ଚିତତା ଭିତରେ ଅଛନ୍ତି । ପ୍ରତିଦିନ ଘର କଳି ବାହାରକୁ ଆସୁଛି। ସେମାନେ ଭବିଷ୍ୟତ କଂଗ୍ରେସରେ ଦେଖୁଛନ୍ତି । ଦେଶରେ କଂଗ୍ରେସ ବଢୁଛି, ରାଜ୍ୟରେ ବି ଦଳର ଭବିଷ୍ୟତ ରହିଛି । ପିସିସି ଗଠନ ହେବାପରେ ଅନେକ ନେତା କଂଗ୍ରେସକୁ ଆସିବେ। ବିଜେଡିର ଅନେକ ନେତା ଓ ବିଜେପିରେ ବି କୋଣଠେସା ହୋଇ ରହିଥିବା ନେତା ଯୋଗାଯୋଗରେ ଅଛନ୍ତି । ହାରିଥିବା ସାଂସଦ ଓ ବିଧାୟକ ପ୍ରାର୍ଥୀ ବି ଦଳରେ ସାମିଲ ହେବେ ବୋଲି ମୋକିମ କହିଛନ୍ତି ।

ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ଓ ସୁଜିତ କୁମାର ବିଜେପିକୁ ଯିବା ପରଠୁ ଆହୁରି ନେତା ବିଜେଡି ଛାଡିବା ନେଇ ଚର୍ଚ୍ଚା ହେଉଛି । ଅମର ଶତପଥୀଙ୍କ ଭଳି ବରିଷ୍ଠ ନେତାଙ୍କ ବୟାନବାଜି ପରେ ବିଜେଡି ଭିତରର ଅନ୍ତକନ୍ଦଳ ବି ପଦାରେ ପଡିଛି । ଏବେ ମନମୋହନ ସାମଲଙ୍କ ବିଜେଡି ଖାଲି ହୋଇଯିବା ବୟାନକୁ ଦୋହରାଇଛନ୍ତି ଜୟନାରାୟଣ। ଦଳ ଗଠନ ପରଠୁ ପ୍ରଥମ ଥର ବିରୋଧୀ ଦଳରେ ବସିଥିବା ବିଜେଡି ପାଇଁ ଏବେ ଦଳ ଭିତର କଳି ତୁଟାଇବା ସବୁଠୁ ବଡ ଚ୍ୟାଲେଞ୍ଜ ହୋଇଛି। ଦଳର ନେତା ଏକଜୁଟ୍ ହୋଇପାରିଲେ ହିଁ ବିଜେପି ବିରୋଧରେ ଠିଆ ହୋଇପାରିବ ବିଜେଡି। ସେଥିପାଇଁ ଦଳ ଭିତରୁ ମଜବୁତ ହେବା ଜରୁରୀ ।

Leave A Reply

Your email address will not be published.