Latest Odisha News

BREAKING NEWS

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଜାଣନ୍ତୁ ବାତ୍ୟା ନେଇ କ’ଣ କହୁଛି ଆଇଏମଡି….

ଭୁବନେଶ୍ବର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୧ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ। ଏହାର ପ୍ରଭାବରେ ୨୩ ତାରିଖରୁ ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

ଲଘୁଚାପ ପ୍ରଭାବରେ ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓଡିଶା ସହ ପାର୍ଶ୍ବବର୍ତ୍ତୀ ଜିଲ୍ଲଶ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ  ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ କିନ୍ତୁ ଓଡିଶାରେ ଏବେ ଆତଙ୍କ ଖେଳାଇଛି ବାତ୍ୟାର ଭୟ । ଯାହାକୁ ନେଇ ବାତ୍ୟାର କୌଣସି ପୂର୍ବାନୁମାନ କରାଯାଇନଥିବା କହି ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଏନେଇ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛି ଭୁବନେଶ୍ବର ପାଣିପାଗ ବିଭାଗ ।

ସେପଟେ ସମାନ କଥା କହିଛି ଭାରତୀୟ ପାଣିପାଗ ବିଭାଗ । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,୨୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଗତିପଥ ନେଇ ଆକଳନ କରିହେବ । ଲଘୁଚାପ ପ୍ରଭାବରୁ ୨୨ରୁ ସମୁଦ୍ର ଅଶାନ୍ତ ରହିବ । ୨୩ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହେବ । ସମୁଦ୍ର ମଧ୍ୟରେ ପବନର ବେଗ ୪୫ରୁ ୫୫ କିମି ରହିବ । ୨୨ ପରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ମନା ହୋଇଛି । ୨୩ରୁ ୨୫ ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷା ହେବ ।ଲଘୁଚାପ ସୃଷ୍ଟି ପରେ କେଉଁ ଜିଲ୍ଲାରେ କିପରି ପ୍ରଭାବ ରହିବ ଜଣାପଡ଼ିବ । ଉତ୍ତର ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ ଉପରେ ଏହାର ପ୍ରଭାବ ରହିବ । ହେଲେ ବାତ୍ୟା ନେଇ କୌଣସି ଆକଳନ କରାଯାଇନାହିଁ । ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟହେବ । ତେବେ ଅକ୍ଟୋବର ମାସ ବାତ୍ୟାକୁ ସୁହାଇଥାଏ । ଏବେ କିନ୍ତୁ ବାତ୍ୟା ନେଇ କୌଣସି ଆକଳନ କରି ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ।

Leave A Reply

Your email address will not be published.