Latest Odisha News

BREAKING NEWS

ଗୃହରେ ବିଜେଡ଼ି ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀଙ୍କ ପ୍ରତିବାଦ

ଭୁବନେଶ୍ୱର: ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଥିବା ବେଳେ ଗୃହରେ ବିଜେଡ଼ିର ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ପରାମର୍ଶ ଦେବା ସହିତ ଅବଗତ କରିଥିଲେ ।

ଧାନବିକ୍ରୀକୁ ନେଇ ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲାରେ ସବୁ ବିଧାୟକମାନଙ୍କ ଘର ସମ୍ମୁଖରେ ଧାନବସ୍ତା ଭର୍ତ୍ତି ଗାଡ଼ି ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଧାନଚାଷୀମାନେ ଟୋକେନ୍ ବିକ୍ରୀ ବେଳେ ଟୋକେନ୍ ବ୍ୟବସ୍ଥାର ପ୍ରଚଳନକୁ ବିରୋଧ କରି ଆନ୍ଦୋଳନ କରୁଥିବାର ଦୃଶ୍ୟ ଦେଖାଯାଇଥିଲା । ଧାନବିକ୍ରୀ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହର ପ୍ରଶ୍ନକାଳ ସମୟରେ ଚାଲିଥିବା ବେଳେ ଶାସକ ଦଳର ଅଧିକାଂଶ ବିଧାୟକ ଅନୁପସ୍ଥିତ ରହିଥିବା ବିରୋଧୀଦଳର ସଦସ୍ୟମାନେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହାକୁ ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଶାସକ ଦଳ ପ୍ରତି କଟୁ ସମାଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମଧ୍ୟ ଭୁଲିନଥିଲେ । ଏନେଇ ଶ୍ରୀ ମିଶ୍ର କହିଥିଲେ ଯେ, ଗୃହରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନା ଚାଲିଥିବା ବେଳେ ସଦସ୍ୟମାନଙ୍କୁ ନିଶ୍ଚିତ ଉପସ୍ଥିତ ରହିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଚିତ୍ ପରାମର୍ଶ ଦେଇଥିଲେ ମଧ୍ୟ ବିଜେଡ଼ି ବିଧାୟକମାନେ ଏହା ଶୁଣୁନାହାନ୍ତି ।

“ଚାଷୀମାନଙ୍କ ଧାନବିକ୍ରୀ ସମ୍ପର୍କୀତ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଚାଲିଥିବା ବେଳେ ବିଜେଡ଼ି ସଦସ୍ୟମାନେ କୁଆଡ଼େ ଗଲେ?,” ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ମିଶ୍ର ।

କଂଗ୍ରେସର ସଦସ୍ୟମାନେ ଚାଷୀମାନଙ୍କର ଧାନବିକ୍ରୀକୁ ନେଇ ସରକାରଙ୍କୁ ପ୍ରଶ୍ନ ଉଠାଇଥିବା ବେଳେ ଏସମ୍ପର୍କରେ ଗୃହରେ ଆଲୋଚନା ଚାଲିଥିଲା । କଂଗ୍ରେସ ସଦସ୍ୟଙ୍କ ଅଭିଯୋଗ ହେଉଛି, ଏହି ସମୟରେ ବିଧାନସଭାର ସମୁଦାୟ ୧୪୭ ଜଣ ସଦସ୍ୟମାନଙ୍କ ମଧ୍ୟରୁ କେବଳ ବିଜେଡ଼ିର ମାତ୍ର ୨୧ ଜଣ ସଦସ୍ୟ ଗୃହରେ ଉପସ୍ଥିତ ରହିଥିଲେ । ବିରୋଧୀମାନେ ପ୍ରଶ୍ନ ଉଠାଇ କହିଥିଲେ ଯେହେତୁ ବିଜେଡ଼ିର ସଦସ୍ୟ ସଂଖ୍ୟା ୧୧୨ ଜଣ ତେବେ ସେମାନେ ଏବେ ଗଲେ କୁଆଡ଼େ ।

ଏହାକୁ ନେଇ ଶାସକ ଦଳର ମୁଖ୍ୟ ସଚେତକ କହିଛନ୍ତି, ଗୃହରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନା ଚାଲିଥିବା ବେଳେ ଗୃହର ଲବିରେ ବିଜେଡ଼ି ସଦସ୍ୟମାନେ ଉପସ୍ଥିତ ରହିଥିଲେ । “ଆମ ଦଳର ଅଧିକାଂଶ ସଦସ୍ୟ ଏହି ଶୀତକାଳୀନ ଅଧିବେଶନରେ ଉପସ୍ଥିତ ରହୁଛନ୍ତି । ଏପରିକି ଦୈନିକ ଉପସ୍ଥାନ ରେକର୍ଡ଼ରେ ମଧ୍ୟ ଅଧିକାଂଶ ସଦସ୍ୟ ଉପସ୍ଥିତ ରହୁଥିବା ନେଇ ଜାଣିପାରିବେ,”ଏହା କହିଛନ୍ତି ଶାସକ ଦଳର ମୁଖ୍ୟ ସଚେତକ ।

Leave A Reply

Your email address will not be published.