Latest Odisha News

BREAKING NEWS

ମାଡି ଆସୁଛି ଦାନା !

ଭୁବନେଶ୍ୱର: ଭୀଷଣ ରୂପ ନେଇ ଓଡିଶା ଉପକୂଳ ଆଡକୁ ମାଡିଆସୁଛି ଦାନା । ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ହେଉଛି । ଏବେ ୬୦ରୁ ୭୦କିଲୋମିଟର ବେଗରେ ପବନ ବହୁଥିବା ବେଳେ ଆଗକୁ ପବନର ବେଗ ଏହା ଆହୁରି ବଢିବ । ଲ୍ୟାଣ୍ଡଫଲ୍ ପରେ ବାତ୍ୟା ସାମାନ୍ୟ ରିକର୍ଭ କରିପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲ୍ୟାଣ୍ଡଫଲ୍ ପରେ ବର୍ଷାର ପରିମାଣ ଅଧିକ ରହିବ । ବାତ୍ୟା ପ୍ରଭାବରେ କାଲି ଯାଏଁ ବର୍ଷା ହେବ । ସେପଟେ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଲ୍ୟାଣ୍ଡଫଲ୍ ପରେ ରିକର୍ଭ କରିବ ବାତ୍ୟା

ଓଡିଶା ଉପକୂଳମୁହାଁ ଭୀଷଣ ବାତ୍ୟା ଦାନା । ଲ୍ୟାଣ୍ଡଫଲ୍ ପରେ ବାତ୍ୟାର ଗତିପଥ ଅଳ୍ପ ରିକର୍ଭ କରିବ ବୋଲି ଆଇଏମଡି ଆକଳନ କରିଛି । ଲ୍ୟାଣ୍ଡଫଲ୍ ପରେ ବାତ୍ୟା ପଶ୍ଚିମ ଓ ଉତ୍ତର-ପଶ୍ଚିମକୁ ଗତି କରିବ । ଭିତରକନିକା ଓ ଧାମରା ପାଖରେ କରିବ ଏହା ଲ୍ୟାଣ୍ଡଫଲ୍ । ଆଜି ରାତିରୁ କାଲି ପୂର୍ବାହ୍ନ ଯାଏଁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ । ଲ୍ୟାଣ୍ଡଫଲ୍ ସମୟରେ ପୂର୍ବ ଅନୁମାନ ଅନୁସାରେ ୧୦୦ରୁ ୧୨୦କିଲୋମିଟର ବେଗରେ ପବନ ବହିବ । ବାତ୍ୟାରେ କେନ୍ଦ୍ରାପଡା ଓ ଭଦ୍ରକ ଅଧିକ ପ୍ରଭାବିତ ହେବ । ଏବେ ୬୦ରୁ ୭୦କିଲୋମିଟର ବେଗରେ ପବନ ବହୁଥିବା ବେଳେ ପରେ ପବନର ବେଗ ବଢିବ । ତେବେ ଏଥର ବାତ୍ୟାର ଆଖି ହେବନି । ବହୁତ ବଡ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏା ତେବେ ଦାନା ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଆଖି ହେବନି ।

କାଲି ଯାଏଁ କାଚିବ

ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହୋଇଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ଅତିପ୍ରବଳ ବର୍ଷା ବି ହୋଇପାରେ । କାଲି ଯାଏଁ ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ, ଢେଙ୍କାନାଳକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଦାନା ପ୍ରଭାବରେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

ଆସିବ ଉଚ୍ଚ ଜୁଆର

ଲ୍ୟାଣ୍ଡଫଲ୍ ବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ । ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ଉପକୂଳରେ ସ୍ୱାଭାବିକଠାରୁ ଅଧିକ ୧ରୁ ୨ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ଏସବୁ ଜିଲ୍ଲାରେ ନଦୀରେ ବି ଆସିପାରେ ଜୁଆର । ନଦୀରେ ପ୍ରାୟ ୩କିମି ଉପର ଯାଏଁ ଜୁଆର ଆସିପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ମୁଖ୍ୟମନ୍ତ୍ରୀଙ୍କ ‘ଦାନା’ ସମୀକ୍ଷା

ବାତ୍ୟା ଦାନା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ଏପର୍ଯ୍ୟନ୍ତ ୩ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ସ୍ଥାନାନ୍ତର ହେଉଥିବା ଲୋକଙ୍କ ଗାଁକୁ ପୋଲିସ ଜଗୁଛିା ୭ହଜାର ୨୮୫ ବାତ୍ୟା ଆଶ୍ରୟସ୍ଥଳୀ ଚାଲୁଛି । ୧୯ ଏନଡିଆରଏଫ୍‌, ୫୧ଓଡ୍ର୍ରାଫ, ୨୨୦ ଅଗ୍ନିଶମ ଟିମ ପ୍ରସ୍ତୁତ ରହିଛନ୍ତି । ୧୦ମିନିଟରେ ଗଛ କାଟି ରାସ୍ତା ସଫା କରିବାକୁ ବ୍ୟବସ୍ଥା ହୋଇଛି । ସେହିପରି ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ୯୨ଟି ମେଡିକାଲ ଟିମ୍ ଓ ୫୮ ପ୍ରାଣୀ ଚିକିତ୍ସା ଟିମ୍ ଗ୍ରାଉଣ୍ଡରେ ରହିଛନ୍ତି । ୨୩ଶହ ୩୮ ଗର୍ଭବତୀଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ୧୫୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ମୁକାବିଲା ପ୍ରସ୍ତୁତି ନେଇ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

Leave A Reply

Your email address will not be published.