Latest Odisha News

BREAKING NEWS

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା

ନୂଆଦିଲ୍ଲୀ: ଜଷ୍ଟିସ୍ ସଞ୍ଜୀବ ଖାନ୍ନା ହେବେ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି । ବର୍ତ୍ତମାନର ପ୍ରଧାନ ବିଚାରପତି ଅଛନ୍ତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ । ସେ ଅବସର ନେବା ପରେ ଜଷ୍ଟିସ ଖାନ୍ନା ନଭେମ୍ବର ୧୧ ତାରିଖରେ ପ୍ରଧାନ ବିଚାରପତି ଭାବେ ଶପଥ ନେବେ । ସର୍ବୋଚ୍ଚ ନ୍ୟାୟାଳୟର ୫୧ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ ।

ସୂଚନାଯୋଗ୍ୟ, ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ଏଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି । ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂ ତାଙ୍କର ଉତ୍ତରାଧିକାରୀ ଭାବେ ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ ଖାନ୍ନାଙ୍କ ନାଁ ସୁପାରିସ କରିଥିଲେ । ଏହା ଉପରେ ଆଜି ମୋହର ବାଜିଛି ।

ଏ ସମ୍ପର୍କରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ୬ ମାସ ଧରି ଜଷ୍ଟିସ ଖାନ୍ନା ଦାୟିତ୍ବରେ ରହିବେ । ଅର୍ଥାତ୍ ଜଷ୍ଟିସ ଖାନ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ମେ ୧୩ରେ ଶେଷ ହେବ ।

୧୯୬୦ ମେ’ ୧୪ରେ ଜନ୍ମିତ ଜଷ୍ଟିସ୍‌ ଖାନ୍ନା ଦିଲ୍ଲୀ ୟୁନିଭର୍ସିଟିର କ୍ୟାମ୍ପସ୍‌ ଲ’ ସେଣ୍ଟରରେ ଆଇନ ଶିକ୍ଷା ଲାଭ କରିଥିଲେ । ଏହାପରେ ବିଭିନ୍ନ ହାଇକୋର୍ଟରେ ଓକିଲାତି କରିବା ସହ ସହକାରୀ ସରକାରୀ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ । ପରେ ଆମିକସ କ୍ୟୁରି ଭାବେ ନିଯୁକ୍ତି ପାଇଥିଲେ । ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ଆଡିସନାଲ ଜଜ୍ ହୋଇଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ୨୦୦୬ରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ଏହାପରେ ୨୦୧୯ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ସେବେଠାରୁ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରିଆସୁଛନ୍ତି ।

Leave A Reply

Your email address will not be published.