Latest Odisha News

BREAKING NEWS

ଟଳି ଗଲା ବାତ୍ୟା, ଘାରିଲାଣି ବନ୍ୟା ଆଶଙ୍କା 

ଭୁବନେଶ୍ୱର: ଟଳି ଗଲା ବଡ଼ ବାତ୍ୟା। ହେଲେ ବାତ୍ୟା ପ୍ରଭାବରେ ତୁହାକୁ ତୁହା ବର୍ଷା ଏବେ ବନ୍ୟା ଆଶଙ୍କା ସୃଷ୍ଟି କଲାଣି। ଏନେଇ ଏବେ ୧୬ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ସତର୍କ କରିଛି ଆଇଏମଡି। ଅନୁଗୁଳ, ବାଲେଶ୍ଵର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଏବଂ ପୁରୀ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଇଛି।

ବିଭାଗ କହିବାନୁଯାୟୀ, ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ବର୍ଷର ପରିମାଣ ବଢିବ। ଏହି ସବୁ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଏଠାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ। ଉତ୍ତର ଓ ଉପକୂଳ ଓଡିଶା ଦେଇ ପ୍ରବାହିତ ହେଉଥିବା ନଦୀ ଯଥା, ବୁଢ଼ାବଳଙ୍ଗ, ସାଳନ୍ଦୀ, ଜଳକା, ସୁବର୍ଣ୍ଣରେଖା, ବୈତରଣୀ ଏବଂ ବ୍ରାହ୍ମଣୀ ଆଦି ଫୁଲିବାର ଆଶଙ୍କା ରହିଛି। ଏଥିସହିତ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେଲେ ଶିମିଳିପାଳରୁ ପାଣି ଆସି ବୁଢ଼ାବଳଙ୍ଗ ନଦୀରେ ପ୍ରବେଶ କରିବ।

ଅନ୍ୟପଟେ ବାତ୍ୟା କାରଣରୁ ଉଚ୍ଚ ଜୁଆର ଆସିବାରୁ, ନଦୀ ବାଟେ ପ୍ରାୟ ୧ କିମିରୁ ୩ କିମି ଯାଏଁ ଲୁଣାପାଣି ଆସିବ। ସେପଟେ ଏହାର ପ୍ରଭାବରେ ଅଧିକାଂଶ ନଦୀ ପାଣି, ଯାହା ଯାଇକରି ବଙ୍ଗୋପସାଗରରେ ମିଶୁ ଥିଲା, ତାହା ସମୁଦ୍ରକୁ ଯାଇପାରିବ ନାହିଁ। ଫଳରେ ଏ ପାଣି ଗାଁ ଗଣ୍ଡାରେ ପଶି ବନ୍ୟା ଆଶଙ୍କା ସୃଷ୍ଟି କରିପାରେ।

ତେବେ ଗତକାଲି ରାତି ପ୍ରାୟ ୧୨ ଟା ୫ରେ ସ୍ଥଳଭାଗ ଛୁଇଁଛି ବାତ୍ୟା ଦାନା। ଭିତରକନିକାର ହବଳିଖଟି ନେଚର୍ କ୍ୟାମ୍ପ ନିକଟରେ ରାତି ପ୍ରାୟ ସାଢେ ଗୋଟାଏରୁ ସାଢେ ତିନିଟା ଭିତରେ ସ୍ଥଳଭାଗ ଅତିକ୍ରମ କରିଥିଲା ଦାନା। ଏହିସମୟରେ ପବନର ବେଗ ୧୦୦ରୁ ୧୨୦କିମି ପର୍ଯ୍ୟନ୍ତ ଥିବା ବେଳେ ରାତିସାରା ଭିତରକନିକା , ଧାମରାରେ ତାଣ୍ଡବ ରଚିଥିଲା ଦାନା। ଏହାର ପ୍ରଭାବରେ ଗଛ ଭାଙ୍ଗିବା ଅଜବେଷ୍ଟ୍ ଉଡ଼ିବା ସହିତ ଚାଲ ଛପର ଘର ଭାଙ୍ଗିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏଥିସହିତ ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।

Leave A Reply

Your email address will not be published.