Latest Odisha News

BREAKING NEWS

ଆଫଗାନିସ୍ତାନରେ ତାଲିବାନର ନୂଆ ଫତୱା: ମହିଳାଙ୍କଠାରୁ ଛଡ଼ାଇ ନିଆଗଲା ପରିଚୟ, ‘ବିବି’, ‘ଛେଳି’ ଓ ‘ଗାଈ’ ନାଁରେ ଡାକିବାକୁ ନିର୍ଦ୍ଦେଶ

କାବୁଲ: ଆଫଗାନିସ୍ତାନରେ ତାଲିବାନ ଶାସନ ଅଧୀନରେ ମହିଳାଙ୍କ ଉପରେ ଅତ୍ୟାଚାର ଓ କଟକଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଶିକ୍ଷା, ରୋଜଗାର ଏବଂ ସର୍ବସାଧାରଣ ସ୍ଥାନକୁ ଯିବା ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ତାଲିବାନ ମହିଳାଙ୍କ ମୌଳିକ ପରିଚୟ ତଥା ସେମାନଙ୍କ ନାମକୁ ମଧ୍ୟ ଛଡ଼ାଇ ନେଇଛି। ଆଫଗାନିସ୍ତାନର ଉତ୍ତରାଞ୍ଚଳସ୍ଥିତ ବାଲ୍‌ଖ ପ୍ରଦେଶରେ ସରକାରୀ ଦସ୍ତାବିଜ, ଡାକ୍ତରଖାନା ରେକର୍ଡ ଏବଂ ପ୍ରେସକ୍ରିପସନରେ ମହିଳାଙ୍କ ପ୍ରକୃତ ନାମ ଲେଖିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି।

ତାଲିବାନ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ସରକାରୀ କର୍ମଚାରୀ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମହିଳାଙ୍କ ପ୍ରକୃତ ନାମ ପରିବର୍ତ୍ତେ ସେମାନଙ୍କୁ କେବଳ ‘ବିବି’ ବୋଲି ଲେଖିବାକୁ ଓ ସମ୍ବୋଧନ କରିବାକୁ କୁହାଯାଇଛି। ତେବେ ମାନବାଧିକାର କର୍ମୀ ଏବଂ ସ୍ଥାନୀୟ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଏହି ନୂଆ ନିୟମ ପରେ ଅନେକ ସ୍ଥାନରେ ମହିଳାମାନଙ୍କୁ ଅତ୍ୟନ୍ତ ଅପମାନଜନକ ଭାବେ ‘ଛେଳି’ କିମ୍ବା ‘ଗାଈ’ ବୋଲି ଡକାଯାଉଛି।

ଏହି କଟକଣା ଯୋଗୁଁ ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ଡାକ୍ତରଖାନାରେ ଏକାଧିକ ମହିଳା ରୋଗୀଙ୍କ ପ୍ରେସକ୍ରିପସନ ଓ ମେଡିକାଲ ରିପୋର୍ଟରେ ପ୍ରକୃତ ନାମ ବଦଳରେ କେବଳ ‘ବିବି’ କିମ୍ବା ନମ୍ବର ଲେଖାଯାଉଥିବାରୁ ଚିକିତ୍ସାରେ ବିଭ୍ରାଟ ଦେଖାଦେଉଛି। ଅନ୍ୟପଟେ ପୁରୁଷ ଡାକ୍ତରଙ୍କୁ ମହିଳା ରୋଗୀଙ୍କ ଚିକିତ୍ସା କରିବାକୁ ବାରଣ କରାଯାଇଥିବାରୁ ସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ିଛି।

ମାନବାଧିକାର କର୍ମୀ ଲାଲା ଓସମାନୀଙ୍କ କହିବା ଅନୁଯାୟୀ, ଆଫଗାନିସ୍ତାନରେ ଜଣେ ମହିଳାଙ୍କୁ ତାଙ୍କ ପ୍ରକୃତ ନାମରେ ଡାକିବା ଏବେ ଏକ ପ୍ରତିବାଦର ସ୍ୱର ପାଲଟିଛି। ମହିଳାଙ୍କ ଅସ୍ତିତ୍ୱକୁ ସମାଜରୁ ସମ୍ପୂର୍ଣ୍ଣ ଲିଭାଇ ଦେବା ପାଇଁ ତାଲିବାନର ଏହା ଆଉ ଏକ ଘୃଣ୍ୟ ପ୍ରୟାସ ବୋଲି ଅନ୍ତର୍ଜାତୀୟ ସ୍ତରରେ ତୀବ୍ର ନିନ୍ଦା କରାଯାଉଛି

Leave A Reply

Your email address will not be published.