Latest Odisha News

ଆଶା ଦିଦି ଶିବାନୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଭଲ କାମ କରିଥିବାରୁ ତାଙ୍କୁ…

ଭୁବନେଶ୍ଵର: ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳ ବାତ୍ୟା ପୂର୍ବରୁ ଖସାମୁଣ୍ଡା ଗାଁର ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବାର ଦାୟିତ୍ବ ନେଇଥିଲେ । ଏହି ଦାୟିତ୍ବ ସେ ସୁନ୍ଦରଭାବେ ନିର୍ବାହ କରିଛନ୍ତି । ଗାଁର ଜୈନେକ ବୟସ୍କା ମହିଳା ପାରାଲିସିସ ଆକ୍ରାନ୍ତ ଏବଂ ପ୍ରବଳ ବର୍ଷା ଯୋଗୁଁ ଆଶ୍ରୟସ୍ଥଳକୁ ଯାଇ ପାରୁନଥିଲେ । ପବନ, ବର୍ଷା ମାଡ଼କୁ ଖାତିର ନ କରି ଶିବାନୀ ଦିଦି ତାଙ୍କୁ ନିଜ ପିଠିରେ ପକାଇ ଦେଢ କିଲୋମିଟର ଦୂରରେ ଥିବା ଆଶ୍ରୟସ୍ଥଳକୁ ବୋହି ନେଇଥିଲେ ।

ଏହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଶିବାନୀଙ୍କୁ ସାବାସୀ ଜଣାଇ ପ୍ରଶଂସାରେ ପୋତି ପକାଇଛନ୍ତି । ମୁଖ୍ୟମନ୍ତ୍ରୀ ଆଶା ଦିଦିଙ୍କ ସହ ଫୋନ୍‌ରେ କଥା ହେବା ପରେ ଜାଣିବାକୁ ପାଇଲେ ଯେ ସେ ଦିନ ସେ ସମୁଦାୟ ୭ଜଣ ବୟସ୍କ ଏବଂ ୨ ଜଣ ପ୍ରସୂତୀଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଇଥିଲେ ।

ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଉତ୍ସର୍ଗୀକୃତ ସେବାର ଉଚ୍ଚ ପ୍ରଶଂସାକରିବା ସହିତ କହିଥିଲେ ଯେ, ସରକାର ଏବଂ ମୁଁ ବ୍ୟକ୍ତିଗତ ଭାବେ ତୁମ କାମ ଉପରେ ବହୁତ ଖୁସି । ମହାପ୍ରଭୁ ଜଗନ୍ନାଥ ତୁମକୁ ସବୁବେଳେ ଭଲରେ ରଖନ୍ତୁ । ବିପଦ ବେଳେ ତୁମେ ସମସ୍ତଙ୍କୁ ଏହି ଭଳି ସାହାଯ୍ୟ କରୁଥାଅ । ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରର ଭଲମନ୍ଦ ବିଷୟରେ ବୁଝିଥିଲେ ଏବଂ ତାଙ୍କର ଘର ନଥିବାରୁ ଟେଲିଫୋନ୍‌ ଯୋଗେ ରାଜନଗର ବିଡିଓଙ୍କୁ ତାଙ୍କୁ ତୁରନ୍ତ ଏକ ଘର ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଶିବନୀଙ୍କୁ ଅନ୍ୟାନ୍ୟ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.