ମୁମ୍ବାଇ: ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୧୪୩ ରନର ଅଗ୍ରଣୀ ହାସଲ କରିଛି । ଷ୍ଟମ୍ପସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ୯ ୱିକେଟ ହରାଇ ୧୭୧ ରନ କରିଛି । ଅଜାଜ ପଟେଲ ୭ ରନ କରି ଅପରାଜିତ ରହିଛନ୍ତି । ୱିଲ ୟଙ୍ଗ ଦଳ ପକ୍ଷରୁ ସର୍ବାଧିକ ୫୧ ରନ କରିଥିଲେ । ପୂନର୍ବାର ଭାରତୀୟ ସ୍ପିନର ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ରବୀନ୍ଦ୍ର ଜାଡେଜା ୪ଟି ଓ ରବିଚନ୍ଦ୍ରନ ଅଶ୍ୱୀନ ୩ଟି ୱିକେଟ ନେଇଛନ୍ତି । ଆକାଶଦୀପ ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।
ପୂର୍ବରୁ ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ୨୩୫ ରନ ଜବାବରେ ଭାରତ ୨୬୩ ରନ କରିଥିଲା । ଏଥିସହ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୨୮ ରନର ଅଗ୍ରଣୀ ହାସଲ କରିଥିଲା । ଶୁଭମନ ଗିଲ ଓ ରିଷଭ ପନ୍ତଙ୍କ ଆକର୍ଷଣୀୟ ବ୍ୟାଟିଂ ଯୋଗୁ ଭାରତ ଏହି ଅଗ୍ରଣୀ ହାସଲ କରିପାରିଥିଲା । ଗିଲ ୯୦ ଏବଂ ପନ୍ତ ୬୦ ରନ କରି ଆଉଟ ହୋଇଥିଲେ । ଶେଷ ଭାଗରେ ୱାଶିଂଟନ ସୁନ୍ଦର ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ୩୮ ରନ ହାସଲ କରିଥିଲେ । ସେ ଶେଷ ପର୍ଯ୍ୟନ୍ତ ନଟଆଉଟ ରହିଥିଲେ । ଭ୍ରମଣକାରୀ ଦଳ ପକ୍ଷରୁ ଅଜାଜ ପଟେଲ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ ।