ଭୁବନେଶ୍ବର: କିଏ ଧରିବେ ରାଜ୍ୟ କଂଗ୍ରେସ ମଙ୍ଗ? ଆଜିଠୁ ଆରମ୍ଭ ହୋଇଛି ଦଳର ମୁଖିଆ ଖୋଜା। ଭୁବନେଶ୍ବରରେ ପିସିସି ଚୟନ କମିଟି ମୁଖ୍ୟ ଚରଣ ଦାସ ମହନ୍ତ । ଦଳର ବରିଷ୍ଠ ନେତାଙ୍କ ସହ ସେ ଆଲୋଚନା କରୁଛନ୍ତି । ଯାହା ମତାମତ ରହିବ, ସେନେଇ କଂଗ୍ରେସ ହାଇକମାଣ୍ଡକୁ ଜଣାଇବେ ବୋଲି ଚରଣ ଦାସ ମହନ୍ତ କହିଛନ୍ତି । ସେପଟେ ପିସିସି ସଭାପତି ରେସରେ ରହିଛନ୍ତି ଭକ୍ତ ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ସପ୍ତଗିରି ଉଲାକା, ଶ୍ରୀକାନ୍ତ ଜେନାଙ୍କ ସହ ଅନେକ ନେତା । ତେବେ ପ୍ରଶ୍ନ, କାହାର ପଲ୍ଲା ଭାରି? କାହାକୁ ମିଳିବ ପିସିସି ଦାୟିତ୍ବ?
ପିସିସି ସଭାପତି ପାଇଁ ଲବି ନା ଛବି?
ରାଜ୍ୟ କଂଗ୍ରେସ ସଭାପତି ପଦ ପାଇଁ ଆଜିଠାରୁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡିଶା ଆସିଛନ୍ତି ଛତିଶଗଡ଼ ନେତା ତଥା ପିସିସି ଚୟନ କମିଟି ମୁଖ୍ୟ ଚରଣ ଦାସ ମହନ୍ତ । ରାଜ୍ୟ କଂଗ୍ରେସର ସବୁ ବରିଷ୍ଠ ନେତାଙ୍କୁ ଭେଟିବା ସହ ସେମାନଙ୍କ ମତାମତ ନେଉଛନ୍ତି । କେମିତି କଂଗ୍ରେସକୁ ମଜବୁତ କରିହେବ? କିଏ ମଙ୍ଗ ଧରିଲେ କଂଗ୍ରେସ ଲୋକଙ୍କ ଭରସା ଜିତିପାରିବ? କେମିତି କଂଗ୍ରେସ ସରକାର ଗଠନ ହୋଇପାରିବ? ସେନେଇ କଂଗ୍ରେସ ଭବନରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରୁଛନ୍ତି । କିଛି ନେତାଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ବି କରିପାରନ୍ତି । ପରେ ମତାମତ ନେଇ ଏଆଇସିସିକୁ ରିପୋର୍ଟ ଦେବେ । ତେବେ ତାଙ୍କ ପାଖରେ ଲବି କାମ କରିବନି ବୋଲି ଚରଣ ଦାସ ମହନ୍ତ କହିଛନ୍ତି ।
ପିସିସି ସଭାପତି ରେସରେ କିଏ?
ପିସିସି ସଭାପତି ପଦରୁ ଶରତ ପଟ୍ଟନାୟକ ହଟିବା ପରେ ରାଜ୍ୟ କଂଗ୍ରେସର ଟପ୍ ପୋଷ୍ଟ ପାଇଁ ଅନେକ ନାଁ ଚର୍ଚ୍ଚାରେ ରହିଛି। ଦୌଡରେ ରହିଛନ୍ତି ଭକ୍ତ ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ସପ୍ତଗିରି ଉଲାକା, ଶ୍ରୀକାନ୍ତ ଜେନାଙ୍କ ପରି ନେତା। ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀ ରହିଥିବା ଭକ୍ତ ଦାସ ପଶ୍ଚିମ ଓଡିଶାର ଜଣାଶୁଣା ନେତା । ସଂଗଠନ ଅଭିଜ୍ଞତା ସାଙ୍ଗକୁ ଭକ୍ତ ଦାସଙ୍କର ହାଇକମାଣ୍ଡଙ୍କ ସହ ବି ବେଶ୍ ଭଲ ସଂପର୍କ । ତେଣୁ ତାଙ୍କ ହାତରେ ରାଜ୍ୟ କଂଗ୍ରେସ କମାଣ ଦେଇପାରନ୍ତି ହାଇକମାଣ୍ଡ । ସେହିପରି ଦୁଇ ଦୁଇ ଥର କଂଗ୍ରେସ ସାଂସଦ ଭାବେ କୋରାପୁଟରୁ ନିର୍ବାଚିତ ହୋଇଥିବା ସପ୍ତଗିରି ଉଲାକାଙ୍କ ନାଁ ବି ଚର୍ଚ୍ଚା ହେଉଛି । ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଆଦିବାସୀ କାର୍ଡ ଖେଳିଥିବା ବେଳେ ଏହାର ଜବାବରେ ସପ୍ତଗିରିଙ୍କୁ ପିସିସି ସଭାପତି କରିପାରେ କଂଗ୍ରେସ । ତେବେ ରାମଚନ୍ଦ୍ର କାଡାମଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ହୋଇଥିବାରୁ ସପ୍ତଗିରିଙ୍କୁ ଟପ ପୋଷ୍ଟ ନଦେବା ସମ୍ଭାବନା ଅଧିକ । ସେହିପରି ରାମଚନ୍ଦ୍ର ଖୁଣ୍ଟିଆ ଓ ଶ୍ରୀକାନ୍ତ ଜେନାଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ଶ୍ରୀକାନ୍ତ ଜେନା ମଝିରେ କଂଗ୍ରେସ ଛାଡି ପୁଣି ଘରବାହୁଡା କରିଥିଲେ ବି ଗତ କିଛି ଦିନ ହେଲା ବେଶ ସକ୍ରିୟ ରହିଛନ୍ତି । ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ୍ କରୁଛନ୍ତି । ତେଣୁ ତାଙ୍କ ନାଁ ବି ବିଚାର କରିପାରେ କଂଗ୍ରେସ ।
ମଉକା ଥିଲା…ପାରିଲାନି କଂଗ୍ରେସ
ଗତ ନିର୍ବାଚନରେ ବିଜେଡିର ବିକଳ୍ପ ଖୋଜୁଥିଲେ ଜନତା । ବିଜେଡି ବିରୋଧୀ ଜନ ଅସନ୍ତୋଷର ଫାଇଦା ନେଇଗଲା ବିଜେପି । ହେଲେ ତୃଣମୂଳସ୍ତରରେ ସଂଗଠନ ଥାଇ ବି ସେମିତି ଭଲ ପ୍ରଦର୍ଶନ କରିପାରିଲାନି କଂଗ୍ରେସ । ଖରାପ ପ୍ରଦର୍ଶନ ପଛରେ ଦଳ ଭିତରର ଗୋଷ୍ଠୀ କନ୍ଦଳ ଓ ନିର୍ବାଚନ ପରିଚାଳନାରେ ତ୍ରୁଟିକୁ ଦାୟୀ କରାଗଲା । ବିନା ରଣନୀତି ଓ ଷ୍ଟାର ପ୍ରଚାରରେ ୯ରୁ ୧୪କୁ ବଢିଥିବା କଂଗ୍ରେସ ପାଇଁ ନିର୍ବାଚନରେ ଭଲ ସୁଯୋଗ ରହିଥିଲା, ଯାହା ହାତଛଡା ହୋଇଗଲା । ସାରା ଦେଶରେ କଂଗ୍ରେସ ଭଲ କରିଥିବା ବେଳେ ଏବେ ଓଡିଶାକୁ ଫୋକସ୍ କରିପାରେ କଂଗ୍ରେସ । ଆଉ ସେଥିପାଇଁ ପିସିସି ସଭାପତି ପଦରେ କିଏ ବସିବେ, ତାଉପରେ ନଜର ରହିଛି । କାରଣ ରାଜ୍ୟ କଂଗ୍ରେସ ମଙ୍ଗୁଆଳଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ । ନିର୍ବାଚନ ବେଳେ ବହୁ ବରିଷ୍ଠ ନେତା ଦଳ ଛାଡି ଯିବା ପରେ ତୃଣମୂଳସ୍ତରରେ ବି କର୍ମୀ ଭାଗ ଭାଗ ହୋଇଛନ୍ତି । ତେଣୁ ସେମାନଙ୍କୁ ଏକାଠି କରି ହାତମୁଠା ଟାଣ କରିବାକୁ ପଡିବ । ବିରୋଧୀ ଦଳ ଭାବେ ରାଜ୍ୟବାସୀଙ୍କ ଭରସା ଜିତିବାକୁ ପଡିବ। ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ସାରା ରାଜ୍ୟ ବୁଲି ନେତା ଓ କର୍ମୀଙ୍କୁ ଏକାଠି କରିବାକୁ ପଡିବ । ଗତ ୨୫ବର୍ଷ ହେଲା ରାଜ୍ୟରେ କ୍ଷମତାର ବନବାସ କାଟୁଛି କଂଗ୍ରେସ । ତେଣୁ ପିସିସି ସଭାପତି ଚୟନ ସହ ରାଜ୍ୟରେ କଂଗ୍ରେସର ଭାଗ୍ୟ ନିର୍ଦ୍ଧାରଣ ହେବ ।