ନୂଆଦିଲ୍ଲୀ: ଦୁନିଆରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ସାଧାରଣ କଥା ଏବଂ ଏହାର ପ୍ରଭାବ ପରିବାର ଉପରେ ମଧ୍ୟ ପଡିଥାଏ।
କିନ୍ତୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ା ପାଇଁ ଭାରତୀୟ ରେଳବାଇ ପ୍ରଭାବିତ ହୋଇଛି। କେବଳ ଏତିକି ନୁହେଁ ସ୍ୱାମୀଙ୍କୁ ମଧ୍ୟ ଚାକିରି ହରାଇବାକୁ ପଡିଛି।
ସୂଚନା ଅନୁଯାୟୀ, ବିଶାଖାପାଟଣାରେ ରହୁଥିବା ଷ୍ଟେସନ ମାଷ୍ଟର ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ କିଛି ଦିନ ଧରି ବିବାଦ ଲାଗି ରହିଥିଲା। ଏସବୁ ମଧ୍ୟରେ ଡ୍ୟୁଟିରେ ଥିବାବେଳେ ଷ୍ଟେସନ ମାଷ୍ଟରଙ୍କୁ ତାଙ୍କ ପତ୍ନୀଙ୍କ ଏକ କଲ ଆସିଥିଲା ଏବଂ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ଗୋଟିଏ ହାତରେ ସେ ଅଫିସ୍ ଫୋନରେ ଏବଂ ଅନ୍ୟ ପଟେ ମୋବାଇଲ୍ ଫୋନରେ ତାଙ୍କ ପତ୍ନୀଙ୍କ ସହ କଥାବାର୍ତ୍ତା ହେଉଥିଲେ।
ସ୍ୱାମୀ ତାଙ୍କ ପତ୍ନୀଙ୍କୁ କହିଥିଲେ ଯେ ସେ ବର୍ତ୍ତମାନ ଡ୍ୟୁଟିରେ ଅଛନ୍ତି ଏବଂ ସେ ଘରକୁ ଆସିବା ପରେ କଥା ହେବେ। ଏଥିସହ ପତ୍ନୀଙ୍କୁ ‘ଓକେ’ କହି ସେ ଫୋନ୍ ରଖିଥିଲେ। ମାତ୍ର ଷ୍ଟେଶନ ମାଷ୍ଟରଙ୍କ ‘ଓକେ’ ଶୁଣି ଅନ୍ୟ ଜଣେ ଷ୍ଟେଶନ ମାଷ୍ଟର ଏକ ଟ୍ରେନ୍କୁ ଗ୍ରୀନ୍ ସିଗନାଲ ଦେଇଦେଲେ।
କିନ୍ତୁ ଯେଉଁ ରାସ୍ତାରେ ଗାଡିଟି ଯାଇଥିଲା ତାହା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରତିବନ୍ଧକ ଲାଗିଥିବା ମାର୍ଗରେ ଟ୍ରେନ୍ ଯିବା ଯୋଗୁଁ ରେଳବାଇକୁ ପ୍ରାୟ ୩ କୋଟି ଟଙ୍କା କ୍ଷତି ସହିବାକୁ ପଡିଥିଲା। ଯାହା ପରେ ରେଳବାଇ ଷ୍ଟେସନ ମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବନ କରାଯାଇଥିଲା।