Latest Odisha News

ଅନଲାଇନ୍ ଟ୍ରେଡିଂର ଭୟଙ୍କର ପରିଣତି, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହାରିବା ପରେ ଜୀବନ ହାରିଲେ ଯୁବକ

ଝାରସୁଗୁଡା: ଅନଲାଇନ ଟ୍ରେଡିଂ ସାଜିଲା କାଳ। ଦୁଇପଇସା ରୋଜଗାର କରିବା ପାଇଁ କରୁଥିଲେ ଟ୍ରେଡିଂ। ହେଲେ ଏଇ ଖେଳ ନେଇଗଲା ଯୁବକଙ୍କ ଜୀବନ। ଟ୍ରେଡିଂରେ ପଇସା ହାରି ଆତ୍ମହତ୍ୟା କରିଛନ୍ତି କେନ୍ଦ୍ରାପଡାର ଯୁବକ ଅଚ୍ୟୁତାନନ୍ଦ ସାହୁ। ସେ ଝାରସୁଗୁଡ଼ା ଠାରେ ଥିବା ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କ୍ୟାସିୟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବୟସ ୩୧। ଘର କେନ୍ଦ୍ରାପଡା ଓରାଡି ଲଙ୍କାପଡ଼ାରେ। ଋଣ ବୋଝ ସହିନପାରି ସେ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଟ୍ରେଡିଂ ଆପରେ ୨୫ ଲକ୍ଷ କ୍ଷତି ସହିବା ପରେ ଜୀବନ ହାରିଲେ ଅଚ୍ୟୁତାନନ୍ଦ। ହେଲେ ମୃତ୍ୟୁ ପୂର୍ବରୁ ନିଜ ପରିବାର ଓ ବନ୍ଧୁବାନ୍ଧବଙ୍କ ପାଇଁ ଛାଡିଗଲେ ଶେଷ ମେସେଜ୍।

ଅଚ୍ୟୁତାନନ୍ଦ କଲର ଟ୍ରେଡିଂ ଗେମ୍ବଲିଂ ଆପ୍‌ରେ ଟଙ୍କା ଲଗାଇଥିଲେ। ମାତ୍ର ସେଥିରେ ସେ ସବୁ ଟଙ୍କା ହରାଇ ବସିଲେ। ସେଥିର ମୁକୁଳିବାକୁ ସେ ଆଉ ୨୦-୨୫ ଲକ୍ଷର ଋଣ ବି କରି ଦେଇଥିଲେ। ମାତ୍ର ତାହା ବି ବୁଡ଼ିଗଲା। ଫଳରେ କରଜ ବୋଝ ତଳେ ଚାପି ହୋଇଗଲେ ଅଚ୍ୟୁତାନନ୍ଦ। ଋଣ କିପରି ଶୁଝିବେ ସେ ନେଇ ତାଙ୍କୁ କିଛି ବୁଦ୍ଧିବାଟ ଦିଶିଲାନି। ଫଳରେ ସବୁଆଡ଼େ ନିରାଶ ହେବା ପରେ ସେ ଜୀବନ ହାରିବାକୁ ଶେଷ ନିଷ୍ପତ୍ତି ନେଲେ। ଜୀବନ ହାରିବା ପୂର୍ବରୁ ସେ ଛାଡ଼ି ଯାଇଥିବା ସୁଇସାଇଡ ନୋଟରେ ଲେଖିଛନ୍ତି, ‘ଏତେ ବଡ଼ ଭୁଲ ମୋ ଦ୍ଵାରା କେମିତି ହୋଇଗଲା ସବୁ ଜାଣି ବି ଜାଣି ହେଲାନି। ଏତେ ପରିମାଣର ଋଣ ବୋଝର ଚାପ ସହିବା ଭଳି ମୋ ପାଖରେ ସେ ସାହସ ନାହିଁ । ଶେଷ ନିଶ୍ୱାସ ଯାଏଁ ବହୁତ ଚେଷ୍ଟା କଲି। ଆଉ ବିଳମ୍ବ କରିଥିଲେ ଆହୁରି ଅଧିକ ଲୋକ କଷ୍ଟ ପାଇଥାନ୍ତେ। ତାହା ମୁଁ ସହି ପାରି ନ ଥାନ୍ତି। ଯେଉଁ ସମୟରେ ବାପା ବୋଉଙ୍କ ସେବା କରିବା କଥା ସେ ସମୟରେ ତାଙ୍କ ମନକୁ ଆଘାତ ଦେଇ ଛାଡ଼ି ଚାଲି ଯାଉଛି। ବହୁତ ଭାଗ୍ୟବାନ ଥିଲି ଯେ ଏମିତି ବାପା ବୋଉଙ୍କୁ ପାଇଥିଲି। କିନ୍ତୁ ସେ ସୁଖରୁ ବଞ୍ଚିତ ହେବାକୁ ପଡ଼ିଲା। ଏତିକି ଅନୁରୋଧ ମତେ କ୍ଷମା କରିଦେବ।’

ଏହାପରେ ସେ ଝାରସୁଗୁଡ଼ା ରେଳ ଷ୍ଟେଶନରୁ କିଛି ଦୂରରେ ଟ୍ରେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ପୂର୍ବରୁ ପୁଅ କରିଥିବା ମେସେଜ୍ ପାଇବା ପରେ ଅଚ୍ୟୁତାନନ୍ଦଙ୍କ ପିତା ତୁରନ୍ତ ହୋଟେଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ଖବର ପାଇ ପୁଲିସ୍‌ ଓ ରେଳବାଇ ପୁଲିସ୍ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏହାପରେ ମୃତଦେହ ଧରି ପରିବାର ଲୋକେ ଘରକୁ ଫେରିଥିବା ଜଣାଯାଇଛି।

Comments are closed.