ଭୁବନେଶ୍ୱର: ଆମେରିକାର ମିୟୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଗବେଷଣା ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ସାକ୍ଷାତ କରିଛନ୍ତି। ଓଡିଶାରେ ଦୂରାରୋଗ୍ୟ କର୍କଟ ଚିକିତ୍ସା କ୍ଷେତ୍ରରେ ଆଧୁନିକ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତିର ବିକାଶ ସମ୍ପର୍କରେ ସେମାନେ ଆଲୋଚନା କରିଛନ୍ତି।
ସୂଚନା ଅନୁଯାୟୀ, କ୍ୟାନ୍ସର ଚିକିତ୍ସା ଅତ୍ୟଧିକ ବ୍ୟୟସାପେକ୍ଷ ହୋଇଥିବାରୁ ଏହାକୁ କେତେକାଂଶରେ ସଫଳ କରାଯାଇପାରିବ। ଡିଏନ୍ଏ ଟେଷ୍ଟ ମାଧ୍ୟମରେ ତୁରନ୍ତ ରୋଗ ନିରୂପଣ ସହିତ କୌଣସି ଏକ ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ଫଳପ୍ରଦ ହେଉଛି ବା ନାହିଁ ତାହା ଖୁବ୍ ଶୀଘ୍ର ଜାଣି ହେବ। ଓଡିଶାରେ ଏହି ନୂତନ ପଦ୍ଧତିର ପ୍ରୟୋଗ ସପକ୍ଷରେ ପ୍ରତିନିଧିମାନେ ମତ ରଖିଥିଲେ। ଏହା ଦ୍ୱାରା ରୋଗ ନିରୂପଣ କରାଯାଇ, ଖୁବ୍ ଶୀଘ୍ର ସୂଚନା ମିଳିବା ସହିତ ଫଳପ୍ରଦ ଚିକିତ୍ସା ପ୍ରଦାନ କରାଯାଇ ପାରିବ।
କ୍ୟାନ୍ସର ଭଳି ଏକ ଭୟଙ୍କର ରୋଗର ଚିକିତ୍ସାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇ ପ୍ରସ୍ତାବ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍. ଉପସ୍ଥିତ ଥିଲେ।
ମିୟୋ କ୍ଲିନିକ ପକ୍ଷରୁ ପ୍ରଫେସର ଦେବ ମୁଖାର୍ଜୀ, ଆମେରିକାସ୍ଥିତ ଏଲିଫାସ୍ ବାୟୋ ସାଇନ୍ସେସ୍ ପକ୍ଷରୁ ମିଷ୍ଟର ଚାର୍ଲସ୍ ମିଲର, ଇନ-ଡି.ଏନ୍.ଏ ଲାଇଫ୍ ସାଇନ୍ସର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଡ. ବିରେନ୍ ବାନାର୍ଜୀ ଓ ଏହାର ପ୍ରତିନିଧି ଦେବୀ ପ୍ରସାଦ ରଥ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ।
Comments are closed.