କଟକ: ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ଏକ ମୁକାବିଲାରେ ମହାରାଷ୍ଟ୍ର ବିପକ୍ଷରେ ଓଡିଶା ସୁବିଧାଜନକ ସ୍ଥିତିରେ ରହିଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ମହାରାଷ୍ଟ୍ର ସ୍କୋରଠାରୁ ଓଡିଶା ୬୩ ରନ ପଛରେ ରହିଛି । ପ୍ରଥମେ ବ୍ୟାଟିଂ କରି ମହାରାଷ୍ଟ୍ର ୧୬୨ ରନରେ ଅଲଆଉଟ ହୋଇ ଯାଇଥିଲା । ପ୍ରଥମ ଥର ପାଇଁ ଚଳିତ ସିଜନରେ ଓଡିଶା ବୋଲର ପ୍ରଶଂସନୀୟ ବୋଲିଂ ପ୍ରଦର୍ଶନ କରିଥିଲେ । ରାମକ୍ରିଷ୍ଣ ଘୋଷ ଦଳ ପକ୍ଷରୁ ସର୍ବାଧିକ ୮୦ ରନ କରିଥିଲେ । ଓଡିଶା ପକ୍ଷରୁ ସୁମିତ ଶର୍ମା ୪ଟି ଏବଂ ଗୋବିନ୍ଦ ପୋଦ୍ଦାର ୩ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାରିଣୀ ଶା ୨ଟି ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ୱିକେଟ ନେଇଥିଲେ ।
ଜବାବରେ ସ୍ୱସ୍ତିକ ସାମଲ ଓ ଶାନ୍ତନୁ ମିଶ୍ର ଇନିଂସ ଓପନ କରିଥିଲେ । ଶାନ୍ତନୁ ୨ ରନ କରି ଆଉଟ ହୋଇଥିଲେ । ଷ୍ଟମ୍ପସ ଅପସାରଣ ବେଳକୁ ସ୍ୱସ୍ତିକ ୫୬ ଓ ସନ୍ଦୀପ ପଟ୍ଟନାୟକ ୪୧ ରନ କରି ଅପରାଜିତ ରହିଛନ୍ତି । ବିପକ୍ଷ ଦଳ ପକ୍ଷରୁ ଘୋଷ ଗୋଟିଏ ୱିକେଟ କରିଛନ୍ତି । ଓଡିଶା ନିକଟରେ ପ୍ରଥମ ଇନିଂସରେ ବଡ ସ୍କୋର କରି ମହାରାଷ୍ଟ୍ର ବିପକ୍ଷରେ ଚାପ ପକାଇବା ସୁଯୋଗ ରହିଛି ।
Comments are closed.