ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆଦିବାସୀଙ୍କ ହାତରେ କ୍ଷମତାର ଚାବି । ଝାଡଖଣ୍ଡ ଅସ୍ମିତା ପିଚରେ ଜେଏମଏମ ବିଜେପିକୁ ଘେରୁଛି ତ ରୋଟି, ବେଟି ଓ ମାଟି ପ୍ରସଙ୍ଗରେ ଆଦିବାସୀ ଭୋଟ୍ ବ୍ୟାଙ୍କ ହାତେଇବାକୁ ଗୋଟି ଚଳଉଛି ବିଜେପି। ଏବେ ନିର୍ବାଚନ ମାହୋଲରେ ଜନଜାତି ଗୌରବ ଦିବସ ଅବସରରେ ଆଦିବାସୀ ଭୋଟ ନିଜ ପାଖକୁ ନେବାକୁ ଉଦ୍ୟମ ହେଉଛି। ଆଦିବାସୀ ସମାଜର ଭଗବାନ କୁହାଯାଉଥିବା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନିର୍ବାଚନ ପାଣିପାଗକୁ ଆହୁରି ସରଗରମ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିର୍ସା ମୁଣ୍ଡା ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ତ ଅମିତ ଶାହା ଦିଲ୍ଲୀରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି।
ବିହାରରୁ ଝାଡ଼ଖଣ୍ଡ ପାଇଁ ନିଶାନା
ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ବେଳେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଉଲିହାତୁରେ ପହଞ୍ଚିଥିଲେ ମୋଦି । ସେତେବେଳେ ମୋଦିଙ୍କ ଗସ୍ତ ବିଜେପି ପାଇଁ ବୁଷ୍ଟରଡୋଜ୍ ସାବ୍ୟସ୍ତ ହୋଇଥିଲା। ତିନିଟି ଯାକ ରାଜ୍ୟରେ ବିଜୟୀ ହୋଇଥିଲା ବିଜେପି। ଏବେ ଦଳ ଝାଡ଼ଖଣ୍ଡ ପାଇଁ ସମାନ ଫର୍ମୁଲା ଲଗାଇବାକୁ ଯାଉଛି। ପଡୋଶୀ ରାଜ୍ୟର ମାଟିରୁ ଝାଡଖଣ୍ଡ ଆଦିବାସୀଙ୍କୁ ମନାଇବାକୁ ଉଦ୍ୟମ କରୁଛି। ବିହାର ଜମୁଇରେ ପ୍ରଧାନମନ୍ତ୍ରୀ ଆଦିବାସୀ ସମାଜର ବିକାଶ ପାଇଁ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିଛନ୍ତି। ବିର୍ସା ମୁଣ୍ଡାଙ୍କ ସହ ଯୋଡି ହୋଇଥିବା ଆବ୍ବା ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଆଦିବାସୀ ଅସ୍ମିତାର ସବୁଠୁ ବଡ ପ୍ରତୀକଙ୍କ ଜରିଆରେ ଝାଡଖଣ୍ଡରେ ଆଦିବାସୀ ପିଚ୍ ସେଟ୍ କରିବାକୁ ଉଦ୍ୟମ କରୁଛି ବିଜେପି।
ଜେଏମଏମକୁ ମାତ୍ ଦେବାକୁ ପ୍ଲାନ୍
ହେମନ୍ତ ସୋରେନଙ୍କ ନେତୃତ୍ବରରେ ଜେଏମଏମ ଝାଡ଼ଖଣ୍ଡରେ ଆଦିବାସୀଙ୍କ ସ୍ବର ପାଲଟିଛି । ଝାଡ଼ଖଣ୍ଡ ପରିଚୟକୁ ଦଳ କରିଛି ଅସ୍ତ୍ର। ଆଦିବାସୀଙ୍କ ଅଧିକାର ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ସୋରେନ୍ ସରକାର । ତେବେ ଏଥର ବିଧାନସଭା ନିର୍ବାଚନରେ ଜେଏମଏମର ଆଦିବାସୀ ଭୋଟବ୍ୟାଙ୍କ ଭାଙ୍ଗିବାକୁ ସ୍ବତନ୍ତ୍ର ରଣନୀତି କରିଛି ବିଜେପି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ପ୍ରତୀକ ପଲିଟିକ୍ସ ସଫଳ ହେବା ପରେ ଏବେ ଝାଡଖଣ୍ଡରେ ବି ସମାନ ଫର୍ମୁଲା ଆପଣାଇଛି ଦଳ। ଜମୁଇ ମାଟିରୁ ବିର୍ସା ମୁଣ୍ଡାଙ୍କ ନାଁ ନେଇ ଝାଡଖଣ୍ଡ ଆଦିବାସୀଙ୍କୁ ସମର୍ଥନ ହାସଲ କରିବାକୁ ବଡ ଗୋଟି ଚଳାଇଛନ୍ତି ମୋଦି। ସେପଟେ ଦିଲ୍ଲୀରେ ବିର୍ସା ମୁଣ୍ଡାଙ୍କ ବିରାଟ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି ଶାହା।
ଆଦିବାସୀଙ୍କ ହାତରେ କ୍ଷମତାର ଚାବି
୨୦୧୧ ଜନଗଣନା ଅନୁସାରେ ଝାଡ଼ଖଣ୍ଡର ମୋଟ୍ ଜନସଂଖ୍ୟାର ୨୬ପ୍ରତିଶତ ଆଦିବାସୀ। ଝାଡ଼ଖଣ୍ଡ ବିଧାନସଭାର ମୋଟ ୮୧ ସିଟ ମଧ୍ୟରୁ ୨୮ଟି ଓ ଲୋକସଭାରେ ୧୪ରୁ ୫ଟି ଆଦିବାସୀଙ୍କ ପାଇଁ ସଂରକ୍ଷିତ । ତେଣୁ ଝାଡ଼ଖଣ୍ଡରେ କ୍ଷମତାର ଚାବି ଆଦିବାସୀଙ୍କ ପାଖରେ ହିଁ ରହିଛି। ତେଣୁ ୨୦୦୫ରୁ ଏପର୍ଯ୍ୟନ୍ତ ସମସ୍ତ ନିର୍ବାଚନରେ ଆଦିବାସୀ ହିଁ ପ୍ରମୁଖ ପ୍ରସଙ୍ଗ ରହିଛି ।
ଜେଏମଏମ ଆଦିବାସୀ ଅସ୍ମିତା ସହ ହେମନ୍ତ ସୋରେନଙ୍କ ଗିରଫଦାରୀକୁ ନେଇ ବିଜେପି ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଛି । ଲୋକସଭାରେ ଦଳ ସପକ୍ଷରେ ଆଦିବାସୀ ଭୋଟ୍ କରିଥିଲେ । ଏଥର ବି ସମାନ ମ୍ୟାଜିକ ଦୋହରାଇବାକୁ ଉଦ୍ୟମ କରୁଛି ଜେଏମଏମ। ତେବେ ବିଜେପି ଭୋଟବ୍ୟାଙ୍କ ଭାଙ୍ଗିବାକୁ ବଡ ରଣନୀତି କରିଛି । ଚମ୍ପାଇ ସୋରେନ, ବାବୁଲାଲ ମାରାଣ୍ଡିଙ୍କ ଭଳି ଆଦିବାସୀ ନେତାଙ୍କୁ ନେଇ ଚକ୍ରବ୍ୟୂହ ରଚିଛି ତ ମୋଦି, ଶାହାଙ୍କ ପରି କେନ୍ଦ୍ରୀୟ ନେତା ବିର୍ସା ମୁଣ୍ଡା କାର୍ଡ ଖେଳି ଆଦିବାସୀଙ୍କୁ ମନାଉଛନ୍ତି । କେବଳ ସେତିକି ନୁହେଁ ବାଂଲାଦେଶୀ ଅନୁପ୍ରବେଶକାରୀ ଓ ଡେମୋଗ୍ରାଫିରେ ପରିବର୍ତ୍ତନକୁ ନିର୍ବାଚନୀ ପ୍ରସଙ୍ଗ କରିଛି ।