ଭୁବନେଶ୍ୱର: ଆଜି ଅପରାହ୍ନରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦେହାନ୍ତ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ କିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଦିବଙ୍ଗତ ନେତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ଲୋକସେବା ଓ ଉନ୍ନତି କ୍ଷେତ୍ରରେ ସ୍ବର୍ଗତ ଦେଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ନବୀନ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।
ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଦୀର୍ଘ ସମୟ ଧରି ଲୋକଙ୍କ ସେବା ଓ ଉନ୍ନତି ଦିଗରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଓଁ ଶାନ୍ତି
— Naveen Patnaik (@Naveen_Odisha) November 18, 2024
ସେହିପରି ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଆଜି ଅପରାହ୍ନରେ ସମୀରଙ୍କ ବାସଭଵନରେ ପହଞ୍ଚି ତାଙ୍କ ମରଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ତାଙ୍କ ପତ୍ନୀ ଓ ପରିବାରବର୍ଗଙ୍କୁ ଭେଟି ସମବେଦନା ଜ୍ଞାପନ କରିଥଲେ। ଶ୍ରୀ ମିଶ୍ର ଏକ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି, ସମୀର ଦେ ତାଙ୍କ ସାନ ଭାଇ ଭଳି ଥିଲେ। ଛାତ୍ର ଜୀବନଠୁ ଆରମ୍ଭ କରି ନବୀନ ବାବୁଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ହେବା ବେଳେ ତାଙ୍କ ସହ ନିବିଡତା ଥିଲା। କଟକ ସହରର ସାମାଜିକ, ସାଂସ୍କୃତିକ, କ୍ରୀଡା ଓ ଜନ ଜୀବନର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ସାଙ୍ଗଠନିକ ଦକ୍ଷତାର ଚି଼ହ୍ନ ସେ ଛାଡି ଯାଇଛନ୍ତି। ତାଙ୍କ ଭଳି ଜଣେ ସହଯୋଗୀଙ୍କୁ ହରାଇ ମୁଁ ଦୁଃଖିତ ଓ ମର୍ମାହତ। ତାଙ୍କର ଆତ୍ମାର ସତଗତି କାମନା କରୁଛି ବୋଲି ଶ୍ରୀ ମିଶ୍ର ତାଙ୍କ ବାର୍ତ୍ତାରେ କହିଛନ୍ତି।